ଆକାଶରୁ ଖସିଲା ବିମାନ, ଆଉ କ୍ଷଣିକ ମଧ୍ୟରେ ପାଲଟିଗଲା ନିଆଁଗୋଳା। ଚାରିଆଡ଼େ ନିଆଁର ଲେଲିହାନ ଶିଖା, ଧୂଆଁର କଳା ବାଦଲ। ଆମେରିକାର ଫ୍ଲୋରିଡାରେ ଘଟିଛି ଭୟଙ୍କର ବିମାନ ଦୁର୍ଘଟଣା। ଏକ ବିଜନେସ୍ ଜେଟ୍ ଦୁର୍ଘଟଣାଗ୍ରସ୍ତ ହେବାରୁ ୯ ଜଣଙ୍କ ମୃତ୍ୟୁ ହୋଇଛି। ବିମାନରେ ଥିବା ସମସ୍ତ ୯ ଜଣ ପ୍ରାଣ ହରାଇଥିବା ଆମେରିକାର ପରିବହନ ସଚିବ ସିନ୍ ଡଫି ସୂଚନା ଦେଇଛନ୍ତି।
ରବିବାର ସ୍ଥାନୀୟ ସମୟ ଅନୁସାରେ ଦିନ ପ୍ରାୟ ୧୨ଟା ୫୦ ମିନିଟ୍ରେ ଘଟିଥିଲା ଏହି ଭୟଙ୍କର ଦୁର୍ଘଟଣା। ଲିୟରଜେଟ୍-୬୦ ବିଜନେସ୍ ଜେଟ୍ ବିମାନଟି ଟେକ୍ସାସର ଅଷ୍ଟିନ୍-ବର୍ଗଷ୍ଟ୍ରମ୍ ଅନ୍ତର୍ଜାତୀୟ ବିମାନବନ୍ଦରରୁ ବାହାମାସ୍ର ନର୍ଥ ଏଲୁଥେରା ଅଭିମୁଖେ ଯାଉଥିଲା। ହେଲେ ଫ୍ଲୋରିଡାର ପାମ୍ ବିଚ୍ କାଉଣ୍ଟି ଅନ୍ତର୍ଗତ କ୍ରେଷ୍ଟହେଭେନ୍ ଅଞ୍ଚଳରେ ହଠାତ୍ ନିୟନ୍ତ୍ରଣ ହରାଇ ତଳକୁ ଖସିପଡ଼ିଥିଲା ବିମାନ।
ରାସ୍ତା ନିକଟରେ ବିମାନଟି ଖସିପଡ଼ିବା ପରେ ପ୍ରଚଣ୍ଡ ବିସ୍ଫୋରଣ ଘଟିଥିଲା। ଆଉ ମୁହୂର୍ତ୍ତକ ମଧ୍ୟରେ ନିଆଁରେ ଜଳିଉଠିଥିଲା ସମ୍ପୂର୍ଣ୍ଣ ବିମାନ। ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ଦୁର୍ଘଟଣାସ୍ଥଳରେ ଏକ ବଡ଼ ଗର୍ତ୍ତ ସୃଷ୍ଟି ହୋଇଥିଲା। ଏହାର ଭୟାବହ ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି।
ଦୁର୍ଘଟଣା ପରେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ ଅଗ୍ନିଶମ ବାହିନୀ ଓ ଉଦ୍ଧାରକାରୀ ଦଳ। ସୁରକ୍ଷା ଦୃଷ୍ଟିରୁ ଆଖପାଖ ଅଞ୍ଚଳର ପ୍ରାୟ ୬୦୦ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲା। ଫ୍ଲୋରିଡା ଗଭର୍ଣ୍ଣର ରନ୍ ଡିସାଣ୍ଟିସ୍ ଏହି ଦୁର୍ଘଟଣାକୁ ଏକ ବଡ଼ ଦୁଃଖଦ ଘଟଣା ବୋଲି କହିଛନ୍ତି।
ଦୁର୍ଘଟଣା ପୂର୍ବରୁ ପାଇଲଟ୍ ଖରାପ ପାଗ, ବରଫ ଜମିବା ଓ ବିମାନରେ ଝଟକା ଲାଗିବା ସମ୍ପର୍କରେ ଏୟାର ଟ୍ରାଫିକ୍ କଣ୍ଟ୍ରୋଲକୁ ଜଣାଇଥିଲେ। ପରେ ବିମାନ ଦ୍ରୁତ ଗତିରେ ତଳକୁ ଖସୁଥିବା ନେଇ ଜରୁରୀକାଳୀନ ସୂଚନା ଦେଇଥିଲେ। ତେବେ ଦୁର୍ଘଟଣାର ପ୍ରକୃତ କାରଣ ଏଯାଏଁ ସ୍ପଷ୍ଟ ହୋଇନାହିଁ। ଆମେରିକାର ନ୍ୟାସନାଲ୍ ଟ୍ରାନ୍ସପୋର୍ଟେସନ୍ ସେଫ୍ଟି ବୋର୍ଡ ଓ ଫେଡେରାଲ୍ ଆଭିଏସନ୍ ଆଡମିନିଷ୍ଟ୍ରେସନ୍ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି