ବହୁ ଚର୍ଚ୍ଚିତ ମାଲଗୋଦାମ ବ୍ୟବସାୟୀ ହତ୍ୟା ମାମଲାରେ ଧଳ ବ୍ରଦର୍ସ ଖଲାସ

ବହୁ ଚର୍ଚ୍ଚିତ କଟକ ମାଲଗୋଦାମ ବ୍ୟବସାୟୀ ମହମ୍ମଦ ଫାରୁକ ହତ୍ୟା ମାମଲାରେ ଧଳସାମନ୍ତ ବ୍ରଦର୍ସଙ୍କୁ ମିଳିଛି କ୍ଲିନ ଚିଟ। ପ୍ରମାଣ ଅଭାବରୁ ଅଭିଯୁକ୍ତ ସୁଶୀଳ ଓ ସୁଶାନ୍ତ ଧଳ ସାମନ୍ତଙ୍କ ସହ ଆରିଫ ଖାନଙ୍କୁ ଦୋଷମୁକ୍ତ କରିଛନ୍ତି କଟକ ଦୌରାଜଜ୍। ଆଗରୁ ଏହି ମାମଲାରେ ଆଉ ୪ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଥିଲେ କୋର୍ଟ।

କଟକ ମାଲଗୋଦାମର ଜଣାଶୁଣା ଡ଼ାଲି ବ୍ୟବସାୟୀ ମହମ୍ମଦ ଫାରୁକଙ୍କୁ ୨୦୧୪ ମସିହା ନଭେମ୍ବର ୧୨ ତାରିଖରେ ହତ୍ୟା କରାଯାଇଥିଲା। ସେ ଗୋଦାମରେ ବସିଥିବା ବେଳେ ଦୁଇଟି ବାଇକରେ କିଛି ଦୁର୍ବୃତ୍ତ ଗୋଦାମରେ ପହଞ୍ଚି ଥିଲେ ଓ ତାଙ୍କ ଉପରକୁ ଗୁଳିମାଡ଼ କରିଥିଲେ। ଫାରୁକଙ୍କୁ ଗୁରୁତର ଅବସ୍ଥାରେ କଟକ ଏସ୍‌ସିବି ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା।

ହତ୍ୟାକାଣ୍ଡ ପରେ ପୋଲିସରେ ଅଭିଯୋଗ ହୋଇଥିଲା କି, ଧଳବ୍ରଦର୍ସ ତାଙ୍କୁ ୩୦ ଲକ୍ଷ ଟଙ୍କା ମାଗିଥିଲେ ଫାରୁକଙ୍କୁ। କିନ୍ତୁ ଫାରୁକ ବଟି ଦେବାକୁ ମନା କରିଦେଇଥିଲେ। ଯାହାକୁ ନେଇ ଧଳଭାଇଙ୍କ ଇଙ୍ଗିତରେ ହତ୍ୟା ହୋଇଥିଲା  ବୋଲି ଅଭିଯୋଗରେ ଉଲ୍ଳେଖ କରାଯାଇଥିଲା। ତେଣୁ ଅଭିଯୋଗ ଆଧାରରେ ୭ ଜଣଙ୍କୁ ଗିରଫ କରିଥିଲା କଟକ କମିଶନରେଟ ପୁଲିସ। ଏହି ମାମଲାରେ ଆଉ ଜଣେ ଅଭିଯୁକ୍ତ ଏବେ ମଧ୍ୟ ଫେରାର ରହିଛି।

କିନ୍ତୁ ସାକ୍ଷ୍ୟ ପ୍ରମାଣ ଅଭାବରୁ ଜିଲ୍ଲା ଦୌରାଜଜ୍ ପୂର୍ବରୁ ୪ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଥିବା ବେଳେ ଆଜି ଦୁଇ ଭାଇ ସୁଶୀଳ ଓ ସୁଶାନ୍ତ ଧଳ ସାମନ୍ତଙ୍କ ସହ ଆରିଫ ଖାନଙ୍କୁ ଦୋଷମୁକ୍ତ କରିଛନ୍ତି। ମାମଲାରେ ମୋଟ ୧୮ ଜଣଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଥିଲେ ମଧ୍ୟ ଅଭିଯୁକ୍ତଙ୍କ ସମ୍ପୃକ୍ତି ନେଇ କୌଣସି ପ୍ରମାଣ ମିଳି ନ ଥିଲା।

ଏନେଇ ଧଳସାମନ୍ତଙ୍କ ଓକିଲ ସୌରଚନ୍ଦ୍ର ମହାପାତ୍ର କହିଛନ୍ତି, ବିଭିନ୍ନ ପର୍ଯ୍ୟୟରେ ଏହି ମାମଲାରେ ପୁଲିସ ଚାର୍ଜସିଟ୍ ଦାଖଲ କରିଥିଲା। କୋର୍ଟ ଏହା ଉପରେ ବିଚାର କରି ୪ ଜଣ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଥିଲେ। ଫାରୁଙ୍କ ସ୍ତ୍ରୀ ଓ ଭାଇଙ୍କ ସମେତ ଗୋଦାମରେ ଯେଉଁ କର୍ମଚାରୀମାନେ କାମ କରୁଥିଲେ ସେମାନେ କୋର୍ଟରେ ମୁହଁ ଖୋଲୁନାହାନ୍ତି। ତେଣୁ ଏହା ନୋ ଏଭିଡିଏନ୍ସ କେସ୍ ହୋଇଯାଇଛି ଏବଂ କୋର୍ଟ ଅଭିଯୁକ୍ତମାନଙ୍କୁ ନର୍ଦ୍ଦୋଷରେ ଖଲାସ କରିଛନ୍ତି।

ତଦନ୍ତକାରୀ ସଂସ୍ଥା ତଥ୍ୟପ୍ରମାଣ ନଥାଇ ଅଯଥା କୋର୍ଟଙ୍କ ସମୟ ନଷ୍ଟ କରିବା ଅନୁଚିତ୍। ଏହାଦ୍ୱାରା ଲୋକେ ତଦନ୍ତକାରୀ ସଂସ୍ଥା ଉପରେ ବିଶ୍ୱାସ ହରାଉଛନ୍ତି। କିଛି ଲୋକେ ଅଯଥା ହତାସ ହେଉଛନ୍ତି। ଗୋଟିଏ ଲୋକକୁ ମାରିଦିଆ ଗଲା, ହେଲେ ତାକୁ କିଏ ମାରିଲା ପୁଲିସ ତଦନ୍ତରେ ଜାଣି ନପାରି ଅଧାଖଣ୍ଡିଆ ଚାର୍ଜସିଟ୍ କୋର୍ଟ ଦେବା ଅନୁଚିତ୍। ଗଣତାନ୍ତ୍ରିକ ଦେଶରେ ଏହା ଦ୍ୱାରା ଲୋକେ ନ୍ୟାୟ ପାଉନାହାନ୍ତି ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

Leave a Reply

Your email address will not be published. Required fields are marked *