କୋରାପୁଟ : ଦେଓମାଳି ଗେଟ୍କୁ ନେଇ ତେଜିଲା ବିବାଦ। ମୁହାଁମୁହିଁ ହେଲେ ପୋଲିସ ଓ ଗ୍ରାମବାସୀ। ପ୍ରଶାସନ ହଟାଇଲା ଫାଟକ, ତାତିଲେ ଲୋକେ। ନିଜ ଅଧିକାର ପାଇଁ ରାଜରାସ୍ତାରେ ଧାରଣା। ଦାବି ପୂରଣ ନହେଲେ ଭୋଟ୍ ବର୍ଜନ ସହ ଆନ୍ଧ୍ରପ୍ରଦେଶରେ ମିଶିଯିବାକୁ ଚେତାବନୀ ଦେଇଛନ୍ତି ଗ୍ରାମବାସୀ। କୋରାପୁଟ ଜିଲ୍ଲାର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ଦେଓମାଳିର ପ୍ରବେଶ ଫାଟକ ପରିଚାଳନାକୁ ନେଇ ଉପରକାଣ୍ଟିରେ ସୃଷ୍ଟି ହୋଇଛି ଉତ୍ତେଜନା।
ସୂଚନା ଅନୁସାରେ, ଦେଓମାଳିର ୨ ନମ୍ବର ଗେଟ୍ ପରିଚାଳନା ଦାୟିତ୍ୱ ଦାବିରେ ଧାରଣା ଦେଇଛନ୍ତି ଦୁଧାରୀ ଓ ଉପରକାଣ୍ଟି ପଞ୍ଚାୟତର ଗ୍ରାମବାସୀ। ମଙ୍ଗଳବାର ଦିନ ପ୍ରାୟ ୨ଟା ସମୟରେ ପ୍ରଶାସନିକ ଅଧିକାରୀମାନେ ପୋଲିସ ଫୋର୍ସ ସହ ଧାରଣାସ୍ଥଳରେ ପହଞ୍ଚିଥିଲେ। ଗ୍ରାମବାସୀ ଲଗାଇଥିବା ଫାଟକକୁ ପୋଲିସ ସହାୟତାରେ ହଟାଇ ଦିଆଯାଇଥିଲା। ଏହାକୁ ବିରୋଧ କରିବାରୁ ପୋଲିସ ଓ ଗ୍ରାମବାସୀଙ୍କ ମଧ୍ୟରେ ଠେଲାପେଲା ପରିସ୍ଥିତି ସୃଷ୍ଟି ହୋଇଥିଲା।
ପ୍ରଶାସନର ଅନୁମତି ବିନା ଫାଟକ ଲଗାଇ ପର୍ଯ୍ୟଟକଙ୍କ ଗାଡ଼ିରୁ ଟଙ୍କା ଆଦାୟ କରାଯାଉଥିବା ଅଭିଯୋଗ ରହିଛି। ପୋଲିସ ଏହି ଘଟଣାରେ ୭ ଜଣଙ୍କ ବିରୋଧରେ ମାମଲା ରୁଜୁ କରିବା ସହ ପ୍ରାୟ ୫ ହଜାର ଟଙ୍କା ଜବତ କରିଥିବା ରିପୋର୍ଟ ମିଳିଛି।

ଅନ୍ୟପଟେ ଗ୍ରାମବାସୀଙ୍କ ଅଭିଯୋଗ, ଦେଓମାଳିକୁ ସଂଯୋଗ କରୁଥିବା ରାସ୍ତା ସ୍ଥାନୀୟ ଲୋକଙ୍କ ପଟ୍ଟା ଜମିରେ ନିର୍ମାଣ ହୋଇଛି। ଏଥିପାଇଁ ସେମାନେ ଜମି ଦେଇଥିବା ବେଳେ ଏବେ ଗେଟ୍ ପରିଚାଳନା ଅଧିକାରରୁ ବଞ୍ଚିତ ହେଉଥିବା ଦାବି କରିଛନ୍ତି।
ସେପଟେ କୋଟିଆର ଏକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ପ୍ରଶାସନ ପକ୍ଷରୁ ଦେଓମାଳିର ପ୍ରବେଶ ଗେଟ୍ ପରିଚାଳନା ଦାୟିତ୍ୱ ଦିଆଯାଇଛି। ମାସିକ ୧ ଲକ୍ଷ ୪୬ ହଜାର ଟଙ୍କାର ଚୁକ୍ତିରେ ପର୍ଯ୍ୟଟକଙ୍କଠାରୁ ପ୍ରବେଶ ଶୁଳ୍କ ଆଦାୟ ସହ ପରିଷ୍କାର ପରିଚ୍ଛନ୍ନତା ଦାୟିତ୍ୱ ଦିଆଯାଇଥିବା ଜଣାପଡ଼ିଛି।
ହେଲେ ଏହାକୁ ନେଇ ଦୁଧାରୀ ଓ ଉପରକାଣ୍ଟିବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ୨ ନମ୍ବର ଗେଟ୍ ପରିଚାଳନା ଅଧିକାର ସେମାନଙ୍କୁ ଦେବାକୁ ଦାବି କରିଛନ୍ତି। ଦାବି ପୂରଣ ନହେଲେ ଆଗାମୀ ନିର୍ବାଚନରେ ଭୋଟ୍ ବର୍ଜନ କରିବା ସହ ଆନ୍ଧ୍ରରେ ମିଶିଯିବେ ବୋଲି ଚେତାବନୀ ଦେଇଛନ୍ତି।
ଏବେ ବଡ଼ ପ୍ରଶ୍ନ, ଦେଓମାଳିର ୨ ନମ୍ବର ଗେଟ୍ ପରିଚାଳନା ଦାୟିତ୍ୱ କାହାକୁ ମିଳିବ? ଗ୍ରାମବାସୀଙ୍କ ଦାବିକୁ ପ୍ରଶାସନ ଗ୍ରହଣ କରିବ ନା ବିବାଦ ଆହୁରି ତେଜିବ? ପର୍ଯ୍ୟଟନ ଋତୁ ଆରମ୍ଭରୁ ଏଭଳି ବିବାଦ ଏବେ ପ୍ରଶାସନ ପାଇଁ ନୂଆ ଚ୍ୟାଲେଞ୍ଜ ସୃଷ୍ଟି କରିଛି।