ମଙ୍ଗଳବାର ଝାରସୁଗୁଡା ଉପନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ବିଜେଡି ପ୍ରାର୍ଥୀ ଦୀପାଳି ଦାସ। ନିଜ ସମର୍ଥକଙ୍କ ସହ ଏକ ବିରାଟ ପଟୁଆରରେ ଦୀପାଳି ପ୍ରଥମେ ଝାରସୁଗୁଡ଼ା ପାଟଣେଶ୍ବରୀ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ। ଏହା ପରେ ମନମୋହନ ସ୍କୁଲ ପଡ଼ିଆଠାରୁ ପ୍ରାୟ ୪ କିମି ଶୋଭାଯାତ୍ରାରେ ଯାଇ ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ଦୀପାଳିଙ୍କ ସହ ଶୋଭାଯାତ୍ରାରେ ମନ୍ତ୍ରୀ ଅତନୁ ସବ୍ୟସାଚୀ, ସ୍ନେହାଙ୍ଗିନୀ ଛୁରିଆ, ରିତା ସାହୁ, ସାରଦା ନାୟକ ପ୍ରମୁଖଙ୍କ ସହ ୧୫ ହଜାରରୁ ଅଧିକ ନେତା ଓ କର୍ମୀ ସାମିଲ ହୋଇଥିଲେ। ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ପରେ ସେହି ଆସନ ଖାଲି ଥିଲା।
ଝାରସୁଗୁଡ଼ା ଉପନିର୍ବାଚନ ନାମାଙ୍କନ ଦାଖଲ ପାଇଁ ଆଉ ୩ଦିନ ଥିବାବେଳେ ଅଦ୍ୟାବଧି ୫ଜଣ ନାମାଙ୍କନ ଦାଖଲ କରି ସାରିଛନ୍ତି। କଂଗ୍ରେସର ତରୁଣ ପାଣ୍ଡେ ଓ ବିଜେପିର ଟଙ୍କଧର ତ୍ରିପାଠୀଙ୍କ ସମେତ ହିନ୍ଦୁସ୍ତାନ ନିର୍ମାଣ ଦଳର ପ୍ରାର୍ଥୀ ବିଜୟ ଜାଲାନ, ସ୍ୱାଧୀନ ପ୍ରାର୍ଥୀ ଭୁବନେଶ୍ୱର ଗର୍ଡିଆ ଓ ମନିଷ ଶର୍ମା ନାମାଙ୍କନ ଦାଖଲ କରିଛନ୍ତି।