Cyclone Murasu: ଭୀଷଣ ବାତ୍ୟାର ରୂପ ନେଲା ‘ମୁରାସୁ’! ଆଜି ରାତିରେ ଲ୍ୟାଣ୍ଡଫଲ୍ ଆଶଙ୍କା

ବଙ୍ଗୋପସାଗରରେ ମହାବିପଦ! ଧୀରେ ଧୀରେ ଅଧିକ ଶକ୍ତିଶାଳୀ ହେଉଛି ବାତ୍ୟା ‘ମୁରାସୁ’। ଭୀଷଣ ବାତ୍ୟାର ରୂପ ନେଇ ଉପକୂଳ ଆଡ଼କୁ ମାଡ଼ି ଆସୁଛି। ଆଜି ମଧ୍ୟରାତ୍ରିରେ ସ୍ଥଳଭାଗ ଛୁଇଁବାକୁ ଯାଉଛି ବାତ୍ୟା। ଫଳରେ ଆନ୍ଧ୍ରପ୍ରଦେଶ ଓ ତାମିଲନାଡୁ ଉପକୂଳରେ ବଢ଼ିଛି ବିପଦ। ସମୁଦ୍ର ଅଶାନ୍ତ ହେବା ସହ ପ୍ରବଳ ବର୍ଷା ଓ ଝଡ଼ପବନର ଆଶଙ୍କା ରହିଛି।

ଭାରତୀୟ ପାଣିପାଗ ବିଭାଗର ସଦ୍ୟତମ ସୂଚନା ଅନୁସାରେ, ବାତ୍ୟା ‘ମୁରାସୁ’ ଗତ ୬ ଘଣ୍ଟା ମଧ୍ୟରେ ଘଣ୍ଟାପ୍ରତି ୨୫ କିଲୋମିଟର ବେଗରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରିଛି। ଆଜି ସକାଳ ସାଢ଼େ ୫ଟା ସୁଦ୍ଧା ଏହା ଚେନ୍ନାଇଠାରୁ ପ୍ରାୟ ୨୦୦ କିଲୋମିଟର, ନେଲୋରଠାରୁ ୨୧୦ କିଲୋମିଟର ଏବଂ ମଛଲିପଟନମ୍‌ଠାରୁ ୨୭୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ହୋଇଛି।

ପାଣିପାଗ ବିଭାଗର ଆକଳନ ଅନୁସାରେ, ନଭେମ୍ବର ୨ ତାରିଖ ରାତି ସାଢ଼େ ୧୧ଟାରୁ ନଭେମ୍ବର ୩ ତାରିଖ ଭୋର ୪ଟା ମଧ୍ୟରେ ଆନ୍ଧ୍ରପ୍ରଦେଶ ଉପକୂଳ ଅତିକ୍ରମ କରିପାରେ ବାତ୍ୟା। ନେଲୋର ଓ ନରସାପୁର ମଧ୍ୟରେ ଓଙ୍ଗୋଲ ନିକଟରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି। ଏହି ସମୟରେ ଘଣ୍ଟାପ୍ରତି ୧୦୦ରୁ ୧୧୦ କିଲୋମିଟର ବେଗରେ ପବନ ବହିପାରେ। ଝଟକା ପବନର ବେଗ ୧୨୦ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିପାରେ।

ବାତ୍ୟା ପ୍ରଭାବରେ ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ଆନ୍ଧ୍ରପ୍ରଦେଶ ଓ ଉତ୍ତର ତାମିଲନାଡୁ ଉପକୂଳ ପାଇଁ ରେଡ୍ ସାଇକ୍ଲୋନ୍ ୱାର୍ଣ୍ଣିଂ ଜାରି କରାଯାଇଛି।

ଅନ୍ୟପଟେ ଓଡ଼ିଶା ଉପକୂଳରେ ମଧ୍ୟ ବର୍ଷା ଓ ବଜ୍ରପାତର ସମ୍ଭାବନା ରହିଛି। ରାଜ୍ୟର ସମସ୍ତ ବନ୍ଦରରେ ୩ ନମ୍ବର ସ୍ଥାନୀୟ ସତର୍କ ସଙ୍କେତ ବଳବତ୍ତର ରଖାଯାଇଛି। ତେବେ ବାତ୍ୟାଟି ଓଡ଼ିଶାରେ ସ୍ଥଳଭାଗ ଛୁଇଁବାର ପୂର୍ବାନୁମାନ ନାହିଁ। ପାଣିପାଗ ବିଭାଗର ପରବର୍ତ୍ତୀ ସୂଚନା ଉପରେ ନଜର ରହିଛି।