Cyclone Arnab Alert : ବାତ୍ୟା ପୂର୍ବରୁ ବଡ଼ ପ୍ରସ୍ତୁତି, SRC ଦେଲେ ଗୁରୁତ୍ୱପୂର୍ଣ୍ଣ ସୂଚନା!

ବାତ୍ୟା ‘ଅର୍ଣ୍ଣବ’କୁ ନେଇ ଓଡ଼ିଶାରେ ହାଇଆଲର୍ଟ। ସମ୍ଭାବ୍ୟ ବାତ୍ୟା ପ୍ରଭାବକୁ ଦୃଷ୍ଟିରେ ରଖି ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ପ୍ରସ୍ତୁତି। ଲୋକଙ୍କ ଧନଜୀବନ ସୁରକ୍ଷାକୁ ପ୍ରାଥମିକତା ଦେଇଛନ୍ତି ରାଜ୍ୟ ସରକାର। ବାତ୍ୟା ପାଇଁ ବିପଦପ୍ରବଣ ଅଞ୍ଚଳରୁ ପ୍ରାୟ ୪୮ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବ। କିଛି ଲୋକଙ୍କୁ ଏହା ମଧ୍ୟରେ ସ୍ଥାନାନ୍ତର କରାଯାଇସାରିଥିବା ବେଳେ ଆଜି ସନ୍ଧ୍ୟା ସୁଦ୍ଧା ଏହି ପ୍ରକ୍ରିୟା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି।

ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର ରାଜେଶ ପ୍ରଭାକର ପାଟିଲ। ବାତ୍ୟା ମୁକାବିଲା ପ୍ରସ୍ତୁତି ପାଇଁ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି ବା ଏସ୍‌ଡିଆର୍‌ଏଫ୍‌ରୁ ୧୯ କୋଟି ଟଙ୍କା ପ୍ରଦାନ କରାଯାଇଛି। ସମ୍ଭାବ୍ୟ ପ୍ରଭାବିତ ଜିଲ୍ଲାଗୁଡ଼ିକୁ ଆବଶ୍ୟକ ଅର୍ଥ ପ୍ରଦାନ କରାଯାଇସାରିଛି। ଫଳରେ ଜରୁରୀକାଳୀନ ପ୍ରସ୍ତୁତି ଓ ରିଲିଫ୍ ବ୍ୟବସ୍ଥାକୁ ତ୍ୱରାନ୍ୱିତ କରାଯାଇପାରିବ।

କେବଳ ମଣିଷ ନୁହେଁ, ବାତ୍ୟା ସମୟରେ ଗୃହପାଳିତ ପଶୁଙ୍କ ସୁରକ୍ଷା ଓ ଖାଦ୍ୟ ବ୍ୟବସ୍ଥାକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ବିଭିନ୍ନ ସ୍ଥାନରେ ପ୍ରାୟ ୧୯ ଶହ ମେଟ୍ରିକ୍ ଟନ୍ ଗୋଖାଦ୍ୟ ମହଜୁଦ ରଖାଯାଇଥିବା SRC ସୂଚନା ଦେଇଛନ୍ତି।

ଅନ୍ୟପଟେ ବାତ୍ୟା ‘ଅର୍ଣ୍ଣବ’ ଅକ୍ଟୋବର ୨୮ ତାରିଖ ପୂର୍ବାହ୍ନ ସୁଦ୍ଧା ଆନ୍ଧ୍ରପ୍ରଦେଶ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ଓ ଝଡ଼ପବନ ହୋଇପାରେ।

ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି ଓ ନବରଙ୍ଗପୁର ଭଳି ଜିଲ୍ଲାରେ ସତର୍କତାମୂଳକ ପଦକ୍ଷେପ ନିଆଯାଉଛି। ବିପଦପ୍ରବଣ ଅଞ୍ଚଳରେ ବାତ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ ରଖାଯାଇଛି। ଉଦ୍ଧାରକାରୀ ଦଳଗୁଡ଼ିକୁ ମଧ୍ୟ ସଜାଗ ରଖାଯାଇଛି।

ବାତ୍ୟା ସମୟରେ ଆତଙ୍କିତ ନହୋଇ ପ୍ରଶାସନର ନିର୍ଦ୍ଦେଶ ପାଳନ କରିବା ଏବଂ ସରକାରୀ ପାଣିପାଗ ସୂଚନା ଉପରେ ଭରସା ରଖିବାକୁ ପରାମର୍ଶ ଦିଆଯାଇଛି। ସମ୍ଭାବ୍ୟ କ୍ଷୟକ୍ଷତି ହ୍ରାସ ଓ ଗୋଟିଏ ବି ଜୀବନହାନି ନହେବା ଉପରେ ରହିଛି ସରକାରଙ୍କ ମୁଖ୍ୟ ଫୋକସ୍।