Category: ମୁଖ୍ୟ ଖବର

  • ମଧ୍ୟପ୍ରଦେଶ-ଛତିଶଗଡ ବିଧାନସଭା ନିର୍ବାଚନ,ବିଜେପି ଓ କଂଗ୍ରେସର ହେବ କଡ଼ା ଟକ୍କର

    ମଧ୍ୟପ୍ରଦେଶ-ଛତିଶଗଡ ବିଧାନସଭା ନିର୍ବାଚନ,ବିଜେପି ଓ କଂଗ୍ରେସର ହେବ କଡ଼ା ଟକ୍କର

    ଭାରତୀୟ ଜନତା ପାର୍ଟି ମଧ୍ୟପ୍ରଦେଶ-ଛତିଶଗଡ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ।ଏହି ଦୁଇ ରାଜ୍ୟରେ ଚଳିତ ବର୍ଷ ଶେଷଆଡ଼କୁ ନିର୍ବାଚନ ଥିବାବେଳେ ନିର୍ବାଚନ କମିସନ୍‌ ତାରିଖ ଘୋଷଣା କରିବା ପୂର୍ବରୁ ପ୍ରଥମ ଥର ପାଇଁ ବିଜେପି ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ଭାଜପା ମଧ୍ୟପ୍ରଦେଶ ପାଇଁ ୩୯ ଜଣ ଏବଂ ଛତିଶଗଡ ପାଇଁ ୨୧ ଜଣ ପ୍ରାର୍ଥୀ ଘୋଷଣା କରିଛି। ୯୦ ସଦସ୍ୟ ବିଶିଷ୍ଟ ଛତିଶଗଡ଼ ବିଧାନସଭା ପାଇଁ ବିଜେପି ପ୍ରଥମ ପର୍ଯ୍ୟାୟରେ ୨୧ ପ୍ରାର୍ଥୀଙ୍କ ନାମ ଘୋଷଣା‌ କରିଛି ଏବଂ ୨୩୦ ସଦସ୍ୟ ବିଶିଷ୍ଟ ମଧ୍ୟପ୍ରଦେଶ ବିଧାନସଭା ପାଇଁ ୩୯ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ଏହାପୂର୍ବରୁ ବୁଧବାର ନୂଆଦିଲ୍ଲୀର ପାର୍ଟି ମୁଖ୍ୟାଳୟରେ ଭାଜପାର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା। ୨୦୧୮ ବିଧାନସଭା ନିର୍ବାଚନରେ ବିଜେପି ଉଭୟ ଛତିଶଗଡ଼ ଏବଂ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ ହାରିଥିଲା। କିନ୍ତୁ ମଧ୍ୟପ୍ରଦେଶରେ କଂଗ୍ରେସ କନ୍ଦଳର ଫାଇଦା ନେଇ ବିଜେପି ପୁଣି ସେଠାରେ କ୍ଷମତାକୁ ଆସିଥିଲା। ଦଳ ଦୁର୍ବଳ ଥିବା ଆସନଗୁଡ଼ିକ ଉପରେ ପ୍ରଥମ ପର୍ଯ୍ୟାୟରେ ଗୁରୁତ୍ବ ଦେଇଛି ଏବଂ ବିଜେପି ପୂର୍ବ ପରମ୍ପରା ଭାଙ୍ଗି ଏବେ ନୂଆ ରଣନୀତିରେ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଆଗକୁ ୫ ରାଜ୍ୟ ଛତିଶଗଡ଼, ମଧ୍ୟପ୍ରଦେଶ, ରାଜସ୍ଥାନ, ତେଲେଙ୍ଗାନା ଏବଂ ମିଜୋରାମରେ ବିଧାନସଭା ନିର୍ବାଚନ ଅଛି। ମଧ୍ୟପ୍ରଦେଶରେ ବିଜେପି ଓ କଂଗ୍ରେସ ମଧ୍ୟରେ କଡ଼ା ଟକ୍କର ହେବ।

  • ଦୂତି ଚାନ୍ଦଙ୍କୁ ବଡ଼ ଝଟକା,ଡୋପ୍ ଟେଷ୍ଟରେ ବିଫଳ

    ଦୂତି ଚାନ୍ଦଙ୍କୁ ବଡ଼ ଝଟକା,ଡୋପ୍ ଟେଷ୍ଟରେ ବିଫଳ

    ଭାରତର ଦ୍ରୁତତମ ଧାବିକା ତଥା ଆଥଲେଟ୍ ଦୂତି ଚାନ୍ଦଙ୍କୁ ୪ ବର୍ଷ ପାଇଁ ବାସନ୍ଦ କରାଯାଇଛି। ଡୋପ୍ ଟେଷ୍ଟରେ ଫେଲ୍‌ ମାରିବା ପରେ ଦୂତୀଙ୍କ ଉପରେ ୪ ବର୍ଷର ବ୍ୟାନ୍ ଲାଗିଛି। ଗତ ଜାନୁଆରୀ ୩ ତାରିଖରୁ ପିଛିଲା ଭାବେ ଏହି ବାସନ୍ଦ ଅବଧି ଲାଗୁ ହେବ । ୨୦୨୨ ମସିହା ଡିସେମ୍ବର ୫ରେ ଦୂତିଙ୍କ ନମୁନା ସଂଗ୍ରହ କରାଯାଇଥିବାରୁ ଏହାପରେ ଦୂତି କ୍ରୀଡ଼ାରେ ହାସଲ କରିଥିବା ସମସ୍ତ ରେକର୍ଡ, ମେଡାଲ୍‌, ପୁରସ୍କାର ଏବଂ ପଏଣ୍ଟସ୍‌କୁ ଖାରଜ କରିଛନ୍ତି ଆଣ୍ଟି ଡୋପିଂ ଡିସିପ୍ଲିନାରି ପ୍ୟାନେଲ ।

    ଏହି ଦଣ୍ଡ ବିରୋଧରେ ଆଣ୍ଟି ଡୋପିଂ ଅପିଲ୍ ପ୍ୟାନେଲ୍ ଆଗରେ ନିଜର ପକ୍ଷ ରଖିବାକୁ ଦୂତିଙ୍କୁ ୨୧ ଦିନ ସମୟ ଦିଆଯାଇଛି। ଏଡିଡିପି ଆଗରେ ଶୁଣାଣି ସମୟରେ ଯଦିଓ ଦୂତି ନିଷିଧ ଔଷଧ ସେବନକୁ ଅସ୍ବୀକାର କରିଥିଲେ ତଥାପି ନିଜକୁ ନିର୍ଦ୍ଦୋଷ ପ୍ରମାଣିତ କରି ପାରିନଥିଲେ । ଦୂତି ଜାତୀୟ ଆଣ୍ଟି ଡୋପିଂ ଏଜେନ୍ସିର ଧାରା ୨.୧, ୨.୨କୁ ଉଲ୍ଲଂଘନ କରିଥିବା ଅଭିଯୋଗରେ ତାଙ୍କୁ ୪ ବର୍ଷ ବାସନ୍ଦ କରାଯାଇଛି । ୨୦୨୩ ମସିହା ୩ ଜାନୁଆରୀ ଠାରୁ ଦୂତିଙ୍କ ଉପରେ ଏହି କଟକଣା ଲାଗୁ କରାଯାଇଛି। ଆସନ୍ତା ଜାନୁଆରୀ ୨୦୨୭ ପର୍ଯ୍ୟନ୍ତ ଏହି ବ୍ୟାନ୍‌ ବଳବତ୍ତର ରହିବ। ଡୋପିଂ ନିରୋଧ ଆଇନକୁ ନେଇ ଶୃଙ୍ଖଳାଗତ କମିଟି ଏହି ନିଷ୍ପତ୍ତି ନେଇଛି । ତେବେ ଦଣ୍ଡାଦେଶ ହେବାର ୨୧ ଦିନ ମଧ୍ୟରେ ଦୂତି ଆଣ୍ଟି ଡୋପିଂ ଅପିଲ୍ ପ୍ୟାନେଲ(ଏଡିଏପି ) ନିକଟରେ ପୁନଃ ବିଚାର ପାଇଁ ଆବେଦନ କରିପାରିବେ।

  • ରାଜଗାଙ୍ଗପୁରରେ ରେଲ୍‌ ଓଭରବ୍ରିଜ ନିର୍ମାଣ ହେବ ତ୍ବରାନ୍ବିତ

    ରାଜଗାଙ୍ଗପୁରରେ ରେଲ୍‌ ଓଭରବ୍ରିଜ ନିର୍ମାଣ ହେବ ତ୍ବରାନ୍ବିତ

    ସୁନ୍ଦରଗଡ ଜିଲ୍ଲାର ରାଜଗାଙ୍ଗପୁର ଠାରେ ଏକ ରେଲ ଓଭରବ୍ରିଜ ନିର୍ମାଣ ପାଇଁ ଜମି ଅଧିଗ୍ରହଣ କରା ନ ଯାଇ ସିଧା ସଳଖ ଲୋକଙ୍କ ଠାରୁ ରାଜ୍ୟ ସରକାର ଜମି କିଣିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନିଷ୍ପତ୍ତି ନେଇଛନ୍ତି । ସୂଚନାଯୋଗ୍ୟ ଯେ ଗତ ମାର୍ଚ୍ଚ ମାସ ୧୧, ୧୨ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ୫-ଟି ସଚିବ ଶ୍ରୀ ଭି.କେ. ପାଣ୍ଡିଆନ ସୁନ୍ଦରଗଡ ଜିଲ୍ଲା ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ ସମୀକ୍ଷା କରିବା ସହିତ ଲୋକଙ୍କ ଅଭିଯୋଗ ମଧ୍ୟ ଶୁଣିଥିଲେ । ଏହି ଗସ୍ତ ସମୟରେ ଜିଲ୍ଲାର ରାଜଗାଙ୍ଗପୁର ଠାରେ ଏକ ରେଲ ଓଭରବ୍ରିଜ ନିର୍ମାଣ ପାଇଁ ଜମି ଅଧିଗ୍ରହଣ ସମସ୍ୟା ସଂପର୍କରେ ସେ ଅବଗତ ହୋଇଥିଲେ ।

    ଏହା ସଂପର୍କରେ ସେ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିବା ପରେ, ROB ପାଇଁ ଆବଶ୍ୟକ ଜମିକୁ ସିଧାସଳଖ ରାଜ୍ୟ ସରକାର କିଣିନେଇ ନିର୍ମାଣ କାମକୁ ତ୍ବରାନ୍ବିତ କରିବାକୁ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଥିଲେ । ଏହି ରେଲ ଓଭରବ୍ରିଜଟି ସୁନ୍ଦରଗଡ ଜିଲ୍ଲାର ସୋନାଖାନ୍ ଓ କାଂଶବାହାଲ ଷ୍ଟେସନ ମଧ୍ୟରେ ରାଜଗାଙ୍ଗପୁର ମୌଜାରେ ନିର୍ମାଣ କରାଯିବ ।

  • ସାପ ବିଷ ରାକେଟର ପର୍ଦ୍ଦାଫାସ ସହ , ୩ ଅଟକ

    ସାପ ବିଷ ରାକେଟର ପର୍ଦ୍ଦାଫାସ ସହ , ୩ ଅଟକ

    ଓଡ଼ିଶାରୁ ରାଜ୍ୟ ବାହାରକୁ ଲମ୍ବିଥିବା ସାପ ବିଷ ରାକେଟର ପର୍ଦ୍ଦାଫାସ୍ କରିଛି ବନ ବିଭାଗ । ବାଲେଶ୍ୱରରୁ ଏକକାଳୀନ ଧରାପଡ଼ିଲା ୨୯ ଟି ନାଗ ସାପ ।ବାଲେଶ୍ୱର ବାଲିଆପାଳ ପଞ୍ଚୁପଳିରେ ବନ ବିଭାଗ ଚଢ଼ାଉ କରି ଉଦ୍ଧାର କରାଯାଇଛି ୨୯ ଟି ନାଗ ସାପ । ଏହି ମାମଲାରେ ୩ ଜଣଙ୍କୁ ଅଟକ ଯାଇଛି। ନାଗ ସାପଙ୍କଠାରୁ ବିଷ ବାହାର କରାଯାଇ ଏହାକୁ ବିଭିନ୍ନ ସ୍ଥାନକୁ ଚାଲାଣ କରାଯାଉଥିଲା। ଓଡ଼ିଶାର ବିଭିନ୍ନ ସ୍ଥାନରୁ ଏହି ସବୁ ସାପକୁ ସଂଗ୍ରହ କରାଯାଉଥିଲା,। ତେବେ ଏଥିରେ ଆଉ କିଏ କିଏ ସାମିଲ ସେ ନେଇ ତଦନ୍ତ ଚାଲିଛିା ସୁଚନା ଅନୁଯାୟୀ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ସ୍ନେକ ହେଲ୍ପ ଲାଇନ୍ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ ଆଜି ଭୋର ପ୍ରାୟ ୫ଟା ପରେ ବାଲେଶ୍ୱରରେ ପହଞ୍ଚିଥିଲେ । ଏହାପରେ ବହୁ ରେଞ୍ଜ ଅଧିକାରୀଙ୍କ ସହ ପଞ୍ଚୁପଳିରେ ପହଞ୍ଚି ରେଡ କରାଯାଇଥିବା କହିଛନ୍ତି । ଏହି ରେଡ ସମୟରେ ୨୯ ଟି ନାଗ ସାପଙ୍କୁ ଚାଲାଣ ପୂର୍ବରୁ ଉଦ୍ଧାର କରାଯାଇଛି।ସାପ ଚାଲାଣ ପାଇଁ ବ୍ୟବହୃତ ହେଉଥିବା ପ୍ଲାଷ୍ଟିକ ପେଡ଼ିକୁ ସ୍ୱତନ୍ତ୍ର ଭାବେ ତିଆରି କରାଯାଇଛି। ତେବେ ଏହି ରାକେଟରେ ଆହୁରି ଲୋକ ସାମିଲ ଥିବା ସନ୍ଦେହ କରାଯାଉଛି। ତେଣୁ ଏହାର ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ଦାବି ହେଉଛି।

  • କମିଲା ସୁନା ଦର

    କମିଲା ସୁନା ଦର

    ସୁନା କିଣିବାକୁ ଯାଉଥିଲେ ନଜର ପକାନ୍ତୁ ଆଜି ଓଡ଼ିଶା ସମେତ ଦେଶର ପ୍ରମୁଖ ସହର ମାନଙ୍କରେ କେତେ ରହିଛି ସୁନା ଦର। ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୫୪,୫୫୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ମଧ୍ୟ ଦଶ ଗ୍ରାମ ପ୍ରତି ୫୯,୫୧୦ ଟଙ୍କା ରହିଛି । ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ଏବେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୫୪,୫୫୦ ଟଙ୍କା ଓ ୫୯,୫୧୦ ଟଙ୍କା ହୋଇଛି। ଦେଶର ପ୍ରମୁଖ ସହରମାନଙ୍କରେ ବି ସୁନା ଦରବଢିଛି । ମୁମ୍ବାଇରେ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ମୂଲ୍ୟ ୫୪,୫୫୦ ଟଙ୍କା ଓ ୫୯,୫୧୦ ଟଙ୍କା ଥିବା ରେକର୍ଡ ହୋଇଥିବା ବେଳେ ନୂଆଦିଲ୍ଲୀରେ ଏହି ଦର ଯଥାକ୍ରମେ ୫୪,୭୦୦ଟଙ୍କା ଓ ୫୯,୬୬୦ଟଙ୍କା ରହିଛି । ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ ମୂଲ୍ୟ ୫୫,୦୦୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ମୂଲ୍ୟ ୬୦,୦୦୦ ଟଙ୍କା ଥିବା ରେକର୍ଡ ହୋଇଛି । ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୫୪,୫୫୦ଟଙ୍କା ଓ ୫୯,୫୧୦ ଟଙ୍କା ରହିଛି। ସେହିପରି ରୁପା ମୂଲ ୧ କିଲୋଗ୍ରାମ ପ୍ରତି ୭୨,୮୦୦ଟଙ୍କା ରହିଥିବା ନେଇ ରେକର୍ଡ ହୋଇଛି।ରେକର୍ଡ ହୋଇଛି।

  • ବରଗଡ ଜିଲ୍ଲାରେ ହେବ ୩ଟି ନୂଆ ବୃହତ୍ ସେତୁ

    ବରଗଡ ଜିଲ୍ଲାରେ ହେବ ୩ଟି ନୂଆ ବୃହତ୍ ସେତୁ

    ବରଗଡ ଜିଲ୍ଲାରେ ୩ଟି ବୃହତ ସେତୁର ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ୩୯ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଏହି ୩ଟି ନୂତନ ସେତୁ ଦ୍ବାରା ଜିଲ୍ଲାର ପ୍ରାୟ ୭.୨୫ ଲକ୍ଷ ଲୋକ ଉପକୃତ ହେବେ। ଏହାଦ୍ବାରା ଜିଲ୍ଲାରେ ଗମନାଗମନର ସୁବିଧା ସହିତ ସାମାଜିକ ସୁବିଧା ସୁଯୋଗ ଓ ଆର୍ଥିକ ଅଭିବୃଦ୍ଧିରେ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଛନ୍ତି।

    ସୂଚନାଯୋଗ୍ୟ ଯେ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ 5T ସଚିବ ଶ୍ରୀ ଭି.କେ. ପାଣ୍ଡିଆନ ଗତ ଜୁନ୍ ମାସ ୨୬ ଓ ୨୭ ତାରିଖରେ ବରଗଡ ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ ଯୋଜନାର ସମୀକ୍ଷା କରିବା ସହିତ ସାଧାରଣ ଲୋକଙ୍କୁ ଭେଟି ସେମାନଙ୍କ ଅଭିଯୋଗ ଶୁଣିଥିଲେ। ବିଭିନ୍ନ ସ୍ଥାନରେ ଲୋକଙ୍କ ଅନୁରୋଧକୁ ଶ୍ରୀ ପାଣ୍ଡିଆନ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ। ଏହାପରେ ମୁଖ୍ୟମନ୍ତ୍ରୀ ବରଗଡ ଜିଲ୍ଲାରେ ୩ଟି ନୂତନ ବୃହତ ସେତୁର ନିର୍ମାଣ ପାଇଁ ୩୯ କୋଟି ଟଙ୍କା ମଞ୍ଜୁର କରିଛନ୍ତି।

    ମଞ୍ଜୁର ହୋଇଥିବା ୩ଟି ସେତୁ ମଧ୍ୟରେ ବରପାଲିରେ ଗୋଟିଏ ବୃହତ ସେତୁ ରହିଛି। ବରପାଲିର ଜିଲୋଟ ନାଳ ଉପରେ ଏକ ସେତୁ ନିର୍ମାଣ କରାଯିବ। ୧୨୦ ମିଟର ଦୀର୍ଘ ଏହି ସେତୁ ପାଇଁ ୧୫ କୋଟି ଟଙ୍କା ଖର୍ଚ୍ଚ ହେବ। ଏହା ବରଗଡ ଓ ବରପାଲି ବ୍ଲକ ମୁଖ୍ୟାଳୟକୁ ସଂଯୋଗ କରିବା ସହିତ ଜିଲ୍ଲା ମୁଖ୍ୟାଳୟକୁ ମଧ୍ୟ ଯୋଗାଯୋଗର ସୁବିଧା ସୃଷ୍ଟି ହେବ। ଏହାଦ୍ୱାରା ପ୍ରାୟ ୨ ଲକ୍ଷ ୨୫ ହଜାର ଲୋକ ଉପକୃତ ହେବେ।

    ସେହିପରି ବରଗଡ ପୌରାଞ୍ଚଳ ଆଗାଁ ନଳା ଉପରେ ୬୦ ମିଟର ଦୀର୍ଘ ସେତୁ ନିର୍ମାଣ ପାଇଁ ୧୨ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ବରଗଡ ଜିଲ୍ଲା ମୁଖ୍ୟାଳୟ ସହିତ ପରପାଲି ଓ ଭେଡେନ ବ୍ଲକ ମୁଖ୍ୟାଳୟକୁ ଯୋଡିବ । ଏହାଦ୍ୱାର ୨ ଲକ୍ଷ ୫୦ ହଜାର ଲୋକ ଉପକୃତ ହେବେ।

    ତୃତୀୟ ସେତୁଟି ସରଳା ନାଳ ଉପରେ ନିର୍ମାଣ କରାଯିବ। ୧୫୦ ମିଟର ଦୈର୍ଘ୍ୟ ବିଶିଷ୍ଟ ଏହି ସେତୁ ପାଇଁ ୧୨ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ଭଟଲି ବ୍ଲକ ମୁଖ୍ୟାଳୟକୁ ବରଗଡ ଓ ଅତାବିରା ବ୍ଲକ ମୁଖ୍ୟାଳୟକୁ ଯୋଡିବ। ଏହାଦ୍ୱାରା ୨ ଲକ୍ଷ ୫୦ ହଜାର ଲୋକ ଉପକୃତ ହେବେ।

  • ୧୯, ୪୦୦ ଫୁଟ୍‌ ଉଚ୍ଚରେ ବିଶ୍ବର ସର୍ବୋଚ୍ଚ ସଡ଼କ ନିର୍ମାଣ କରିବ ଭାରତ

    ୧୯, ୪୦୦ ଫୁଟ୍‌ ଉଚ୍ଚରେ ବିଶ୍ବର ସର୍ବୋଚ୍ଚ ସଡ଼କ ନିର୍ମାଣ କରିବ ଭାରତ

    ସ୍ବାଧୀନତାର ୭୭ତମ ବାର୍ଷିକୀ ପାଳନ ଦିନ ପୂର୍ବ ଲଦାଖର ହାନ୍‌ଲେ ନିକଟରେ ‘ବିଆର୍‌ଓ’ ‘ଲିକାରୁ-ମିଗ୍‌ଲା-ଫୁକ୍‌ଚେ’ ସଡ଼କ ନିର୍ମାଣ ଆରମ୍ଭ କରିଛି। ପୂର୍ବ ଲଦାଖର ବାସ୍ତବ ନିୟନ୍ତ୍ରଣ ରେଖା ଅଞ୍ଚଳଠାରୁ ୩ କିଲୋମିଟର୍‌ ଦୂରରେ ନିର୍ମାଣ ଚାଲିଥିବା ୬୪ କିଲୋମିଟର୍‌ ଦୀର୍ଘ ବିଶ୍ବର ଏହି ସର୍ବୋଚ୍ଚ ସଡ଼କ ଲିକାରୁକୁ ଫୁକ୍‌ଚେ ସହିତ ସଂଯୋଗ କରିବ। ଏହି ପ୍ରକଳ୍ପ ନିମନ୍ତେ ଆନୁମାନିକ ୫୨୦ କୋଟି ଟଙ୍କାର ବଜେଟ୍‌ କରାଯାଇଛି। ବାସ୍ତବ ନିୟନ୍ତ୍ରଣ ରେଖା ଅଞ୍ଚଳ ନିକଟରେ ସମୁଦ୍ର ପତ୍ତନଠାରୁ ୧୯,୪୦୦ ଫୁଟ୍‌ ଉଚ୍ଚରେ ମଟର ଗାଡ଼ି ଚଳାଚଳ ନିମନ୍ତେ ରାସ୍ତା ନିର୍ମାଣ କରି ଭାରତ ବିଶ୍ବ ରେକର୍ଡ କରିବ ବୋଲି ‘ବର୍ଡର୍‌ ରୋଡ୍‌ସ୍‌ ଅର୍ଗାନାଇଜେସନ୍‌’ (ବିଆର୍‌ଓ) ସୂଚନା ଦେଇଛି। ସୈନ୍ୟମାନଙ୍କ ଗମନାଗମନ ନିମନ୍ତେ ଉଦ୍ଦିଷ୍ଟ ଏହି ସଡ଼କ ନିର୍ମାଣ ନିମ‌େନ୍ତେ ‘ବିଆର୍‌ଓ’ ସବୁଠୁ ଭଲ ଯନ୍ତ୍ରପାତି ଓ ବୈଜ୍ଞାନିକ ପଦ୍ଧତି ଉପଯୋଗ କରୁଛି। ଏଥିରେ ବ୍ୟବହୃତ ସାମଗ୍ରୀ ଭୀଷଣ ତୁଷାରପାତରେ ବି ଏହି ରାସ୍ତାର ବିଶେଷ କ୍ଷତି କରାଇଦେବ ନାହିଁ। ‘ବିଆର୍‌ଓ’ର ମହାନିର୍ଦେଶକ ଲେଫ୍‌ଟ୍‌ନାଣ୍ଟ୍‌ ଜେନେରାଲ୍‌ ରାଜୀବ ଚୌଧୁରୀ ଗଣମାଧ୍ୟମକୁ କହିଛନ୍ତି ଯେ, ଏହି ସଡ଼କ ଯୋଗୁଁ ସୀମାନ୍ତ ଅଞ୍ଚଳରେ ବସବାସ କରୁଥିବା ଜନସାଧାରଣଙ୍କ ଜୀବନଯାପନ ମାନ ବୃଦ୍ଧି ପାଇବ। ସେମାନଙ୍କର ସାମାଜିକ ଓ ଅର୍ଥନୈତିକ ଅବସ୍ଥାର ଉନ୍ନତି ଘଟିବ। ଏହା ପୂର୍ବରୁ ୨୦୨୧ରେ ‘ବିଆର୍‌ଓ’ ୧୯,୦୨୪ ଫୁଟ୍‌ ଉଚ୍ଚରେ ନିର୍ମାଣ କରିଥିବା ‘ଉମ୍‌ଲିଙ୍ଗ୍‌ ଲା’ ଘାଟି ଯାନବାହାନ ଚଳାଚଳ ଉପଯୋଗୀ ବିଶ୍ବର ସର୍ବୋଚ୍ଚ ସଡ଼କ ଭାବେ ରେକର୍ଡ କରିଥିଲା।

  • କେନ୍ଦ୍ର ଗୃହମନ୍ତ୍ରୀଙ୍କ ପରେ ଓଡିଶା ଆସୁଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ସୀତାରମଣ

    କେନ୍ଦ୍ର ଗୃହମନ୍ତ୍ରୀଙ୍କ ପରେ ଓଡିଶା ଆସୁଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ସୀତାରମଣ

    **EDS: TV GRAB** New Delhi: Union Minister Nirmala Sitharaman speaks in the Lok Sabha during the Winter Session of Parliament, in New Delhi, Monday, Dec. 2, 2019. (LSTV/PTI Photo) (PTI12_2_2019_000076B)

    ଆଜିଠୁ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଓଡ଼ିଶା ଗସ୍ତରେ ଆସି ପୁରୀ ଓ ଭୁବନେଶ୍ୱରରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ ବୋଲି ଜଣାପଡ଼ିଛି ।ଏହି ଦୁଇ ଦିନିଆ ଗସ୍ତ ସମୟରେ ପୁରୀ ଯାଇ ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି । ଶ୍ରୀମତୀ ସୀତାରମଣ ପୁରୀ ଜିଲ୍ଲା ବୀରହରେକୃଷ୍ଣପୁରସ୍ଥିତ ମହାନ ସ୍ୱାଧୀନତା ସଂଗ୍ରାମୀ ସହିଦ ଜୟୀ ରାଜଗୁରୁଙ୍କ ଜନ୍ମସ୍ଥାନ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି ।

    ଆଜି ସନ୍ଧ୍ୟାରେ ଭୁବନେଶ୍ୱରରେ ପହଞ୍ଚିବା ପରେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଏକ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବେ । ସେଠାରୁ ସେ ପୁରୀ ଅଭିମୁଖେ ଗସ୍ତ କରିବେ ।ପୁରୀରେ ରାତିରେ ରହିବେ।

    ଗୁରୁବାର ସକାଳୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିରକୁ ଯାଇ ଦର୍ଶନ ଓ ପୂଜାର୍ଚ୍ଚନା କରିବେ । ଏହାପରେ ପୁରୀର ପେଣ୍ଠକଟା ସ୍ଥିତ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟର ଶ୍ରୀ ସଦାଶିବ କ୍ୟାମ୍ପସ ପରିସରରେ ‘ମେରୀ ମାଟି ମେରା ଦେଶ’ କାର୍ଯ୍ୟକ୍ରମରେ ସାମିଲ ହେବା ସହ ବୃକ୍ଷରୋପରଣ କରିବେ ।

    ପୂର୍ବାହ୍ନ ପ୍ରାୟ ସାଢ଼େ ୧୦ଟାରେ ସେ ବୀରହରେକୃଷ୍ଣପୁରସ୍ଥିତ ସହିଦ ଜୟୀ ରାଜଗୁରୁଙ୍କ ଜନ୍ମସ୍ଥାନ ପରିଦର୍ଶନ କରି ଭୁବନେଶ୍ୱର ଫେରି ଆସିବେ । ଗୁରୁବାର ଅପରାହ୍ନରେ କେନ୍ଦ୍ର ଅର୍ଥମନ୍ତ୍ରୀ ଭୁବନେଶ୍ୱରଠାରେ କୁଇ ଓ ଦେଶୀୟ ଭାଷା ଉପରେ ଆଧାରିତ ଏକ ପୁସ୍ତକ ଉନ୍ମୋଚନ କରିବେ ଓ ପ୍ରାୟ ୫ଟାରେ ସୋଆ ବିଶ୍ୱବିଦ୍ୟାଳୟ ସଭାଗୃହଠାରେ ଜାତୀୟ ଚାଟାର୍ଡ ଆକାଉଣ୍ଟାଣ୍ଟ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାକୁ ଉଦଘାଟନ କରିବେ । ଗୁରୁବାର ରାତିରେ ଶ୍ରୀମତୀ ସୀତାରମଣ ନୂଆଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି ।

    ଅର୍ଥମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ରାଜ୍ୟ ଉପସଭାପତି ଗୋଲକ ମହାପାତ୍ର, ବିରଞ୍ଚି ନାରାୟଣ ତ୍ରିପାଠୀ, ସାଧାରଣ ସଂପାଦକ ଶାରଦା ଶତପଥୀ, ଯତୀନ ମହାନ୍ତି ଉପସ୍ଥିତ ଥିଲେ।

  • ଦିନକ ପରେ ସାରା ଦେଶରେ ପାଳିତ ହେବ ୭୭ତମ ସ୍ୱାଧୀନତା ଦିବସ

    ଦିନକ ପରେ ସାରା ଦେଶରେ ପାଳିତ ହେବ ୭୭ତମ ସ୍ୱାଧୀନତା ଦିବସ

    ଆଉ ଗୋଟିଏ ଦିନ ପରେ ସାରା ଦେଶରେ ପାଳିତ ହେବ ୭୭ତମ ସ୍ୱାଧୀନତା ଦିବସ। ଭୁବନେଶ୍ୱରର ପ୍ରଦର୍ଶନୀ ପଡ଼ିଆରେ ମଧ୍ୟ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳିତ ହେବ।

    ଏଥିପାଇଁ ପ୍ରସ୍ତୁତି ଜୋରଦାର କରାଯାଇଛି। ହାତରେ ଆଉ ଗୋଟିଏ ଦିନ ସମୟ ଥିବାରୁ ଆଜି ଫୁଲ୍‌ଡ୍ରେସ୍ ରିହର୍ସାଲ କରାଯାଇଛି। ସେହିପରି ଏହି ସମୟରେ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଛି।

    ରାଜ୍ୟସ୍ତରୀୟ ଏହି ଉତ୍ସବ ପାଳନକୁ ତ୍ରିସ୍ତରୀୟ ସୁରକ୍ଷା ବଳୟରେ କରାଯିବାକୁ କମିସନରେଟ୍‌ ପୁଲିସ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି। ତେବେ ଆଜି ପରେଡ୍ ରିହର୍ସାଲରେ ସାମିଲ ହୋଇ ପୁଲିସ ଡିଜି ସୁନୀଲ ବଂଶଲ ସ୍ଥିତି ସମୀକ୍ଷା କରିଥିଲେ।

    ନିର୍ଦ୍ଧାରିତ ପ୍ରୋଟକଲ୍ ମୁତାବକ, ମୁଖ୍ୟମନ୍ତ୍ରୀଙ୍କ କାର୍‌କେଡ୍ ସକାଳ ୮ଟା ୫୮ ମିନିଟ୍‌ରେ ପଡ଼ିଆରେ ପ୍ରବେଶ କରିବ। ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା, ପୁଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଲ ଓ ଏନ୍‌ସିସି ଡେପୁଟି ଡାଇରେକ୍ଟର ଜେନେରାଲ ପଡ଼ିଆରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରିବେ। ମୁଖ୍ୟମନ୍ତ୍ରୀ ମଞ୍ଚ ଉପରକୁ ଯାଇ ୯ଟା ସୁଦ୍ଧା ଜାତୀୟ ପତାକା ଉତ୍ତୋଳନ କରିବେ।

    ପୁଲିସ ବ୍ୟାଣ୍ଡ-୧ ଓ ୨ ଦ୍ବାରା ଜାତୀୟ ସଙ୍ଗୀତ ପରିବେଷଣ କରାଯିବ। ଆଇପିଏସ୍ ଅଙ୍କିତ୍ କୁମାର ବର୍ମା ପରେଡ୍‌ର କମାଣ୍ଡରର ଦୟିତ୍ୱ ତୁଲାଇବେ। ଓଡ଼ିଶା ସ୍ପେସାଲ ଆର୍ମଡ୍ ପୁଲିସ (ଓଏସ୍‌ଏପି), ଓଡ୍ରାଫ୍‌, ଛତିଶଗଡ଼ ପୁଲିସ, ସ୍ପେସାଲ ସିକ୍ୟୁରିଟି ବାଟାଲିଅନ୍‌ର ୪ଟି ଟ୍ରୁପ ଦ୍ବାରା ପ୍ରଦର୍ଶିତ ପରେଡର ଅଭିବାଦନ ଗ୍ରହଣ କରିବେ ମୁଖ୍ୟମନ୍ତ୍ରୀ।

    ସେଠାରୁ ମୁଖ୍ୟମନ୍ତ୍ରୀ ପଡ଼ିଆରେ ଆୟୋଜିତ ଫଟୋ ପ୍ରଦର୍ଶନୀ ଓ ‘ଅହିଂସା ରଥ’ ଉନ୍ମୋଚନ କରି ଫେରିଯିବେ। ସ୍ୱତନ୍ତ୍ର ଭାବେ ଅନୁମତି ତଥା ପାସ୍ ଥିବା ଅତିଥିମାନେ ଉତ୍ସବସ୍ଥଳକୁ ଯାଇପାରିବେ।

    ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ ପାଳନ ସମୟରେ ଯେଭଳି କୌଣସି ପ୍ରକାର ଅପ୍ରୀତିକର ସ୍ଥିତି ସୃଷ୍ଟି ନହୁଏ ସେଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ ଗୁରୁତର ସହ ନେଇଛି କମିସନରେଟ୍‌ ପୁଲିସ।

    ଏଥିପାଇଁ ଆସନ୍ତା ୧୫ ତାରିଖ ସକାଳ ସାଢ଼େ ୬ଟାରୁ ସାଢ଼େ ୯ଟା ଯାଏଁ ପ୍ରଦର୍ଶନୀ ପଡ଼ିଆ ଚାରିପାଖ ସିଲ୍ କରାଯିବ। ଆଖପାଖ ରାସ୍ତାରେ ଯାତାୟତ ବନ୍ଦ ରହିବ। ଡିସିପିଙ୍କ ନେତୃତ୍ବରେ ୫ ଜଣ ଅତିରିକ୍ତ ଡିସିପି, ୮ଜଣ ଏସିପି, ୨୦ ଜଣ ଇନ୍ସପେକ୍ଟଙ୍କ ସମେତ ଶହେରୁ ଊର୍ଧ୍ବ ଅଧିକାରୀ ସୁରକ୍ଷା ଦାୟିତ୍ବରେ ରହିବେ। ସେହିପରି ୧୫ ପ୍ଲାଟୁନ୍‌ ଫୋର୍ସ, ସ୍ପେସାଲ ବ୍ରାଞ୍ଚ, ଗୁଇନ୍ଦା ସହ ୧ ୟୁନିଟ୍ ସ୍ପେସାଲ ଅପରେସନ ଗ୍ରୁପ (ଏସ୍‌ଓଜି), ଓଡ଼ିଶା ତ୍ୱରିତ କାର୍ଯ୍ୟବଳ (ଓସାଫ୍‌), କୁଇକ୍ ରିଆକ୍ସନ ଟିମ୍‌(କ୍ୟୁଆର୍‌ଟି), ସନ୍ଧାନୀ କୁକୁର, ବମ୍ ସ୍କ୍ୱାଡ୍‌, ସାଦା ପୋଷାକଧାରୀ ପୁଲିସ ମଧ୍ୟ ଉତ୍ସବ ସୁରକ୍ଷାରେ ରହିବେ।

    ରାଜଭବନ, ଏଜି ଛକ ଓ ଅନ୍ୟ ସମ୍ବେଦନଶୀଳ ଜାଗାରେ ମଧ୍ୟ ପୁଲିସ ମୁତୟନ କରାଯିବ। ଏହାଛଡ଼ା ପ୍ରତିଟି ଦିଗ ଉପରେ ନଜର ରଖିବା ପାଇଁ ପଡ଼ିଆ ଭିତରେ ଓ ଚାରିପାଖେ ସିସି କ୍ୟାମେରା ଖଞ୍ଜାଯାଇଛି। ଗୋଟିଏ କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି।

    କଣ୍ଟ୍ରୋଲ୍‌ ରୁମ୍‌ରୁ ଅଧିକାରୀ ପଡ଼ିଆ ଓ ଆଖପାଖ ଅଞ୍ଚଳ ଉପରେ ନଜର ରଖିବେ। ଆଜି ସନ୍ଧାନୀ କୁକୁର ଓ ବମ୍ ସ୍କ୍ୱାଡ୍ ପଡି଼ଆକୁ ତନ୍ନତନ୍ନ କରି ଯାଞ୍ଚ କରିଛନ୍ତି। ସହରରେ ବିଭିନ୍ନ ହୋଟେଲ ଓ ଅନ୍ୟ ସମ୍ବେଦନଶୀଳ ପ୍ରତିଷ୍ଠାନ ଉପରେ ନଜର ରଖାଯାଇଛି।

  • ଦୁର୍ଘଟଣାଗ୍ରସ୍ତରେ ଓଡ଼ିଆ ଯବାନ ସହିଦ

    ଦୁର୍ଘଟଣାଗ୍ରସ୍ତରେ ଓଡ଼ିଆ ଯବାନ ସହିଦ

    ଆଉ ଏକ ଓଡ଼ିଆ ଯବାନ ହେଲେ ସହିଦ । ସେ ୪୮- ଆସାମ୍‌ ରାଇଫଲ୍‌ରେ ମଣିପୁରରେ କାର୍ଯ୍ୟରତ ଥିଲେ। ସେ ବରଗଡ଼ ଜିଲ୍ଲା ଭେଡ଼େନ ବ୍ଲକ ବାଘପାଲି (ସୁନାଲରମ୍ଭା) ଗ୍ରାମର ଯବାନ ନୀଳାଞ୍ଚଳ ପଟେଲ।

    ସୂଚନା ଅନୁଯାୟୀ ଶୁକ୍ରବାର ବିଳମ୍ବିତ ରାତିରେ ଅନ୍ୟ ଯବାନଙ୍କ ସହ ପାଟ୍ରୋଲିଂ କରୁଥିବା ସମୟରେ ଗାଡ଼ିଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା ଯାହାଫଳରେ ତାଙ୍କ ବିୟୋଗ ଘଟିଥିବା ଜଣାପଡ଼ିଛି। ସୁନାଲରମ୍ଭା ଗ୍ରାମର ଆଦି ପଟେଲ ଓ ଗୁରୁବାରୀ ପଟେଲଙ୍କ ଦୁଇ ପୁଅଙ୍କ ମଧ୍ୟରୁ ନୀଳାଞ୍ଚଳ ସାନ। ସେ ୨୦୦୪ ମସିହାରେ ଆସାମ ରାଇଫଲ୍‌ରେ ଯୋଗଦାନ କରିଥିଲେ। ଚାରି ବର୍ଷ ହେଲା ସେ ସ୍ତ୍ରୀ ରାଜେଶ୍ବରୀ ଏବଂ ଦୁଇ ଝିଅ ରାନି, ରାନୁଙ୍କ ସହ ମଣିପୁରରେ ରହୁଥିଲେ। ତାଙ୍କ ବାପାଙ୍କ କିଛି ବର୍ଷ ଆଗରୁ ଦେହାନ୍ତ ହୋଇଥିଲା। ବିଧବା ମା’ ଗୁରୁବାରୀ, ବଡ଼ଭାଇ ନୀଳାମ୍ବର ଏବଂ ଭାଉଜ ମଞ୍ଜୁଲତା ଗାଁରେ ରହୁଛନ୍ତି।

    ଏହି ଘଟଣା ସାରା ଗାଁକୁ ସ୍ତବ୍ଧ କରି ଦେଇଛି। ଆଜି ତାଙ୍କ ମରଶରୀର ଗାଁରେ ପହଞ୍ଚିବା ପରେ ଅନ୍ତ୍ୟେଷ୍ଟିକ୍ରିୟା ସଂପନ୍ନ ହେବ। ସହିଦ ନୀଳାଞ୍ଚଳଙ୍କ ବିୟୋଗରେ ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ, ପୂର୍ବତନ ବିଧାୟକ ନିହାର ରଂଜନ ମହାନନ୍ଦଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଶୋକବ୍ୟକ୍ତ କରିଛନ୍ତି।