Category: ଗଞ୍ଜାମ

  • ରାସ୍ତା ଅଛି କିନ୍ତୁ ତାହା ପାଲଟିଛି ମରଣଯନ୍ତା

    ରାସ୍ତା ଅଛି କିନ୍ତୁ ତାହା ପାଲଟିଛି ମରଣଯନ୍ତା

    ଶୋଚନୀୟ ଅବସ୍ଥାରେ ପଡ଼ିରହିଛି ରାସ୍ତା ।ରାସ୍ତାରେ ଜମିଛି ଆଣ୍ଠୁଏ ଲେଖାଏଁ ପାଣି । ସ୍ଥାନେ ସ୍ଥାନେ ଖାଲ । ଫଳରେ ଦୁର୍ଦ୍ଦଶା ଭୋଗୁଛନ୍ତି ଲୋକେ । ଏଭଳି ଦୃଶ୍ୟ ସାମ୍ନାକୁ ଆସିଛି ଗଂଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ୍ ଗେରେଡ଼ା ଠାରୁ ଲେମ୍ଭାଇ ତିନିଛକିଆ ରେ । ପ୍ରତିଦିନଏହି ରାସ୍ତା ଦେଇ ୩ଟି ପଞ୍ଚାୟତ ଲେମ୍ଭାଇ, ଗେରେଡ଼ା ଏବଂ କ୍ଷେତମୁଣ୍ଡାଳି ର ୪୦ ରୁ ୪୫ ଗାଁର ଲୋକମାନେ ଯାତାୟାତ କରୁଥିବା ବେଳେ ବିଭିନ୍ନ ବ୍ୟବସାୟୀ ଏବଂ ସ୍କୁଲ ଛାତ୍ରଛାତ୍ରୀ ଏହି ଖାଲ ଖମା ଭର୍ତି ରାସ୍ତା ଦେଇ ଯିବା ଆସିବା କରଥାନ୍ତି । ବାରମ୍ବାର ସ୍ଥାନୀୟ ସରପଞ୍ଚଙ୍କୁ ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳିନଥିବା ଅଭିଯୋଗ ଆସିଛି । ତେବେ ଏ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ସ୍ଥାନୀୟ ଗ୍ରାମବାସୀ ।

    ସୂଚନା ଅନୁଯାୟୀ ଆର୍ଥିକ ବର୍ଷ ୨୦୧୭-୨୦୧୮ ମସିହାରେ ପ୍ରଧାନ ମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ରାସ୍ତା ନିର୍ମାଣ ଶେଷ ହୋଇଥିଲା । ଗୋଟିଏ ପଟେ କାର୍ଯ୍ୟ ଶେଷ ଆଉ ଅନ୍ୟପଟେ ପିଚୁ ଉଠିବା ଆରମ୍ଭ । ତେବେ ବର୍ଷ ୨୦୨୩ ପର୍ଯ୍ୟନ୍ତ ଏହାର ରକ୍ଷଣ ବେକ୍ଷଣା ପାଇଁ ନିର୍ଦ୍ଧାରିତ ସମୟ ଥିଲେ ମଧ୍ୟ ଥରୁଟିଏ ବି ମରାମତି ହୋଇନାହିଁ । ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ ଠିକାଦାର ଏବଂ ବିଭାଗୀୟ ଅଧିକାରୀଙ୍କ ମଧୁ ଚନ୍ଦ୍ରିକା ପାଇଁ ଜମ ଯନ୍ତ୍ରଣା ଭୋଗୁଛନ୍ତି ଅଂଚଳବାସୀ । ଏଥିପାଇଁ ଦାୟୀ କିଏ ? ଠିକାଦାରଙ୍କ ମନମାନି ? ନା ପ୍ରଶାସନର ଅବହେଳା ?

    ଜଗନ୍ନାଥ ପ୍ରସାଦ ବ୍ଲକ୍ ରୁ ଭଂଜନଗର ବ୍ଲକ୍ କୁ ସଂଯୋଗ କରୁଥିବାରୁ ବିଭିନ୍ନ ସମୟରେ ସରକାରୀ ବାବୁ ମାନେ ଏ ରାସ୍ତା ଦେଇ ଯାଉଥିବା ବେଳେ କେମିତି କାହାର ନଜର ପଡୁନି ? ତାହା ସ୍ଥାନୀୟରେ ପ୍ରଶ୍ନବାଚି ସୃଷ୍ଟି କରୁଛି । ମାତ୍ର ୯ କିଲୋମିଟର ରାସ୍ତା ଅତିକ୍ରମ କରିବାକୁ ହେଲେ ୧୫ ମିନିଟ୍ ବଦଳରେ ଯିବାକୁ ପଡ଼ୁଛି ୧ ଘଣ୍ଟା । ତେବେ ଦେଖିବାକୁ ବାକି ରହିଲା କେତେଦୂର ରାସ୍ତାର ଶୋଚନୀୟ ଅବସ୍ଥା ଅନୁଧ୍ୟାନ କରି କାର୍ଯ୍ୟାନୁଷ୍ଠାନ ନଉଛି ପ୍ରଶାସନ।

  • ଭିଜିଲାନ୍ସ ସ୍କାନରରେ ଦିଗପହଣ୍ଡି ଫରେଷ୍ଟ ରେଞ୍ଜର

    ଭିଜିଲାନ୍ସ ସ୍କାନରରେ ଦିଗପହଣ୍ଡି ଫରେଷ୍ଟ ରେଞ୍ଜର

    ଆକ୍ସନ ମୋଡରେ ଭିଜିଲାନ୍ସ ।   ପୁଣି ଭିଜିଲାନ୍ସ ଜାଲରେ  ସରକାରୀ ବାବୁ । ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଫରେଷ୍ଟ ରେଞ୍ଜର କାହ୍ନୁ ଚରଣ ପଟ୍ଟନାୟକ ଘରେ ରେଡ୍ । ଦିଗପହଣ୍ଡି ରେଞ୍ଜରଙ୍କ ଗାଡ଼ିରୁ ମିଳିଲା 1 ଲକ୍ଷ ୫୮ ହଜାର ଟଙ୍କା । ଏତେ ଟଙ୍କା କେଉଁଠୁ ଆସିଲା, ଦେଇପାରିଲେନି ଉତ୍ତର । ଫଳରେ ଘରେ ଛାପା ମାରିଛି ଭିଜିଲାନ୍ସ । ରେଞ୍ଜନ କାହ୍ନୁଚରଣ ପଟ୍ଟନାୟକଙ୍କ ଘର ସମେତ ଦିଗପହଣ୍ଡି ସରକାରୀ କାର୍ଯ୍ୟାଳୟ, ସରକାରୀ ବାସଭବନରେ ଜାରି ରହିଛି  ଚଢ଼ାଉ । ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ଦିଗପହଣ୍ଡିସ୍ଥିତ କାର୍ଯ୍ୟାଳୟରୁ ଘରକୁ ଫେରୁଥିବା ବେଳେ ଗଣିଆନାଳ ଛକରେ ତାଙ୍କ ଗାଡିରୁ ନଗଦ 1 ଲକ୍ଷ ୫୮ହଜାର ଟଙ୍କା ଜବତ କରିଥିଲା   ବ୍ରହ୍ମପୁର ଭିଜିଲାନ୍ସ ଟିମ୍‌ । ତେବେ ଏହି ଟଙ୍କା ଅନୈତିକ ଉପାୟରେ ଅଣାଯାଇଥିବା ସନ୍ଦେହ କରି ଛଡ଼ାଉ କରିଛି  ଭିଜିଲାନ୍ସ। କେବଳ ଗାଡିରୁ ନୁବେଁ  ସରକାରୀ ବାସଭବନ ସମେତ ଘରୁ ମିଳିଛି ଟଙ୍କା । ରାତି ତମାମ ଭିଜିଲାନ୍ସ ଟିମ ତଦନ୍ତ କରୁଥିବା ବେଳେ ଦିଗପହଣ୍ଡି କାର୍ଯ୍ୟାଳୟ ଏବଂ ସରକାରୀ ବାସଭବନରେ ରାତି ୨ଟା ବେଳେ ୬ ଜଣିଆ ଟିମ୍ ଆସି ଫେରିଛନ୍ତି । ବ୍ରହ୍ମପୁର ତୁଳସୀନଗର ୭ନମ୍ବର ଲାଇନରେ ଚଢ଼ାଉ ଜାରି ରହିଛି ।

  • ଦିଗପହଣ୍ଡି: ବସ୍ ଦୁର୍ଘଟଣାରେ ୧୨ ମୃତ, ପରିବାରକୁ ମିଳିବ ୩ ଲକ୍ଷ

    ଦିଗପହଣ୍ଡି: ବସ୍ ଦୁର୍ଘଟଣାରେ ୧୨ ମୃତ, ପରିବାରକୁ ମିଳିବ ୩ ଲକ୍ଷ

    ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ୍ ଖେମୁଣ୍ଡି କଲେଜ ନିକଟରେ ମର୍ମନ୍ତୁଦ ବସ୍ ଦୁର୍ଘଟଣା ଘଟିଛି । ଏଥିରେ ୧୨ ଜଣଙ୍କ ମୃତ୍ୟୁ ହୋଇଛି । ଗୁରୁତର ବ୍ରହ୍ମପୁର ଏମକେସିଜିରେ ଭର୍ତ୍ତି ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣଙ୍କୁ କଟକ ଏସସିବି ସ୍ଥାନାନ୍ତର କରାଯାଇଛି ।

    ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ଏହି ମର୍ମନ୍ତୁକ ଦୁର୍ଘଟଣା ଘଟିଥିଲା । OSRTC ବସ୍ ଓ ଘରୋଇ ବସ୍ ମୁହାଁମୁହିଁ ଧକ୍କା ହୋଇଥିଲା । ବ୍ରହ୍ମପୁରରୁ ବିବାହ ଭୋଜି ସାରି ଏକ ବସ୍‌ରେ ଖଣ୍ଡଦେଉଳି ଫେରୁଥିଲେ ବନ୍ଧୁବାନ୍ଧବ । ଠିକ୍ ଏତିକିବେଳେ ଏକ OSRTC ବସ୍‌ ଗୁଡ଼ାରୀରୁ ଭୁବନେଶ୍ୱର ଅଭିମୁଖେ ଫେରୁଥିଲା । ହେଲେ ଦୁର୍ଭାଗ୍ୟବଶତଃ ଖେମୁଣ୍ଡି କଲେଜ ନିକଟରେ ଦୁଇ ବସ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ୧୨ ଜଣଙ୍କ ଜୀବନ ଚାଲିଗଲା । ମୃତକଙ୍କ ମଧ୍ୟରେ ୬ ଜଣ ପୁରୁଷ ଥିବାବେଳେ ୪ ଜଣ ମହିଳା ଓ ୨ ଜଣ ଶିଶୁ ଅଛନ୍ତି ।

    ଦୁର୍ଘଟଣାରେ ୮ ଜଣ ଯାତ୍ରୀ ଗୁରୁତର ହୋଇଥିଲେ । ଆମ୍ବୁଲାନ୍ସ ଓ ଦମକଳ ବାହିନୀ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିଥିଲେ । ସଙ୍ଗେସଙ୍ଗେ ସେମାନଙ୍କୁ ବ୍ରହ୍ମପୁର ଏମକେସିଜିରେ ଭର୍ତ୍ତି କରାଯାଇଥିଲା । ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ଏସସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି । ଘରୋଇ ବସ୍‌ରେ ୨୫ ଜଣ ଯାତ୍ରୀ ଥିବା ବେଳେ ଦୁର୍ଘଟଣାରେ ଦୁଇଟି ବସ୍ ସମ୍ପୂର୍ଣ୍ଣ ଭାଙ୍ଗିରୁଜି ଯାଇଛି । ଦୁର୍ଘଟଣାସ୍ଥଳକୁ ବ୍ରହ୍ମପୁର ଏସପି ଓ ତହସିଲଦାର ଯାଇ ଲୋକଙ୍କୁ ଉଦ୍ଧାର କାର୍ଯ୍ୟରେ ସହାୟତା କରିଥିଲେ । ଆହତମାନଙ୍କ ଚିକିତ୍ସା ଜିଲ୍ଲା ପ୍ରଶାସନ ତତ୍ତ୍ବାବଧାନରେ ଚାଲିଥିବା ଏଆରସିଙ୍କ ପକ୍ଷରୁ କହାଯାଇଛି । ଏମକେସିଜି ମେଡିକାଲରେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା,ବ୍ରହ୍ମପୁର ଏସପି, ବ୍ରହ୍ମପୁର ଉପଜିଲ୍ଲାପାଳ ପହଞ୍ଚି ଘଟଣାର ତଦାରଖ କରିଛନ୍ତି ।

    ସେପଟେ, ଦୁର୍ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ମୃତକଙ୍କ ପରିବାର ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୩ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି ଏବଂ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି । ଦୁର୍ଘଟଣାରେ ଆହତମାନଙ୍କୁ ମାଗଣାରେ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

  • ବ୍ରହ୍ମପୁର: କେମିତି ମଲେ MKCG ଛାତ୍ରୀ ? ପୋଷ୍ଟମର୍ଟମ ରିପୋର୍ଟକୁ ଅପେକ୍ଷା

    ବ୍ରହ୍ମପୁର: କେମିତି ମଲେ MKCG ଛାତ୍ରୀ ? ପୋଷ୍ଟମର୍ଟମ ରିପୋର୍ଟକୁ ଅପେକ୍ଷା

    ବ୍ରହ୍ମପୁର MKCG ମେଡିକାଲ କଲେଜରେ ଜଣେ ଡାକ୍ତରୀ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି । ତାଙ୍କ ନାଁ ସୁଭାନୀ ପଟ୍ଟନାୟକ । ସେ ପିଜି ପ୍ରଥମ ବର୍ଷ ଚର୍ମ ବିଭାଗର ଛାତ୍ରୀ ଥିଲେ । ତାଙ୍କ ଘର ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁରରେ । ସେ ହଷ୍ଟେଲରେ ରହୁଥିବା ବେଳେ ତାଙ୍କର ମୃତ୍ୟୁ ଘଟିଛି । ତେଣୁ ଛାତ୍ରୀଙ୍କ ମୃତ୍ୟୁକୁ ନେଇ ସନ୍ଦେହ ଦେଖାଦେଇଛି ।

    ଆଜି ସକାଳେ ସାଙ୍ଗମାନେ ହସ୍ପିଟାଲ ଯିବା ପାଇଁ ବାହାରିବା ବେଳେ ତାଙ୍କ ରୁମ୍ ବନ୍ଦ ଥିବା ଦେଖିଥିଲେ । ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା । ଡାକ୍ତରଖାନାରେ ପହଞ୍ଚିବା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଥିଲା । ମେଡିକାଲରେ ଡାକ୍ତର ମୃତ ଘୋଷଣା କରିଥିଲେ । ମୃତ ଛାତ୍ରୀ ସୁଭାନୀଙ୍କ ବାପାଙ୍କ ବୟାନ ରେକର୍ଡ କରିଛି ପୋଲିସ । ବାପାଙ୍କ ସୂଚନା ଆଧାରରେ ସୁଭାନୀଙ୍କର ମାଇଗ୍ରେନ ସମସ୍ୟା ଥିବା କଥା କହିଛି ପୋଲିସ । ସେଥିପାଇଁ ଛାତ୍ରୀଜଣକ ଔଷଧ ଖାଉଥିଲେ । ଔଷଧର ଓଭରଡୋଜ ଯୋଗୁଁ ସମସ୍ୟା ହୋଇଥାଇପାରେ ବୋଲି ବାପା ଆଶଙ୍କା କରୁଛନ୍ତି । ତେବେ, ସୁଭାନୀ ଜଣେ ଡାକ୍ତରୀ ଛାତ୍ରୀ ହୋଇଥିବାରୁ ଓଭରଡୋଜ କେମିତି ନେଲେ, ସେ ନେଇ ପ୍ରଶ୍ନ ଉଠିଛି ।

    ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ପୋଲିସ । ଏଥିସହ ସୁଭାନୀଙ୍କ ହଷ୍ଟେଲ ରୁମ୍‌ ମଧ୍ୟ ଯାଞ୍ଚ କରାଯାଇଛି । ବ୍ୟବଚ୍ଛେଦ ରିପୋର୍ଟ ଆସିବା ସତ୍ୟାସତ୍ୟା ଜଣାପଡ଼ିବ ବୋଲି ପୋଲିସ କହିଛି ।

  • ଚୋର ସନ୍ଦେହରେ ଯୁବକଙ୍କୁ ପିଟିପିଟି ମାରିଦେଲେ ଗ୍ରାମବାସୀ

    ଚୋର ସନ୍ଦେହରେ ଯୁବକଙ୍କୁ ପିଟିପିଟି ମାରିଦେଲେ ଗ୍ରାମବାସୀ

    ରାଜ୍ୟରେ ଚାଲିଛି ଅରାଜକତା। କଙ୍ଗାରୁ କୋର୍ଟରେ ହେଉଛି ଦଣ୍ଡବିଧାନ ଓ ଯାଉଛି ନିରୀହ ଜୀବନ। କିନ୍ତୁ ରାଜ୍ୟ ପୋଲିସ ପ୍ରଶାସନ ଚୁପ ବସିଛି। ଏମିତି ଏକ କଙ୍ଗାରୁ କୋର୍ଟର ନଗ୍ନ ଚିତ୍ର ସାମ୍ନାକୁ ଆସିଛି ଗଞ୍ଜାମ ଜିଲ୍ଲାରୁ। ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଚିଙ୍ଗୁଡ଼ିଘାଇରେ ଏପରି ନୃଶଂସ ଓ ହୃଦୟ ବିଦାରକ ଘଟଣା ଘଟିଯାଇଛି। ଚୋର ସନ୍ଦେହରେ ଜଣେ ଯୁବକଙ୍କୁ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ଗ୍ରାମବାସୀ ଏମିତି ପିଟିଲେ କି ବିଚରା ଚୋର ସବୁଦିନ ପାଇଁ ଆଖି ବୁଜିଦେଲା। ଏହି ଘଟଣାର ଭିଡିଓ ଭାଇରାଲ ହେବା ପରେ ପୋଲିସ ୭ ଜଣଙ୍କୁ ଗିରଫ କରିଛି।

    ଭିଡିଓରେ ଦେଖିବାକୁ ମିଳିଛି କି, ସମସ୍ତଙ୍କ ଆଗରେ ଖୁଣ୍ଟରେ ବାନ୍ଧି ଯୁବକଙ୍କୁ ଠେଙ୍ଗା, ବାଡିରେ ନିସ୍ତୁକ ମାଡ଼ ମରାଯାଉଛି। ମାଡ ସାଙ୍ଗକୁ ପଥର ମଧ୍ୟ ପକାଇବାକୁ ପଛାଉନାହାନ୍ତି ଲୋକେ। ପ୍ରାଣ ବିକଳରେ ଯୁବକ ଜଣଙ୍କ ବିକଳ ଚିତ୍କାର କରିବା ସହ ଛାଡିଦେବାକୁ ଗୁହାରି କରି କରି ଥକି ପଡିଥିଲେ ବି କାହାରି କାନକୁ କିଛି ଶୁଭିଲାନି। ବୁଢାଠୁ ଛୁଆ ସମସ୍ତେ ଠିଆ ହୋଇ ଦେଖିଥିଲେ, ହେଲେ କେହି ଏପରି ଅମାନୁଷିକ କାର୍ଯ୍ୟର ବିରୋଧ କରି ନ ଥିଲେ। ଶେଷରେ ଚାଲିଗଲା ଯୁବକର ଜୀବନ।

    ସୂଚନା ମୁତାବକ, ପୁରୀ ଜିଲ୍ଲା ଗଡ଼ିଶାଗଦା ଥାନା ବାଦୁରାଗଡ଼ ଗାଁର ବାହୁଡ଼ା ସାହୁ ଗତ ବୁଧବାର ଜଣେ ସାଙ୍ଗ ଘରକୁ ଯାଇଥିଲେ। ଗୁରୁବାର ସକାଳେ ଚିଙ୍ଗୁଡ଼ିଘାଇ ଗାଁର କିଛି ଲୋକ ତାଙ୍କୁ ଚୋର ସନ୍ଦେହରେ ଅଟକ ରଖିଥିଲେ। ପରେ ତାଙ୍କୁ ବିଦ୍ୟୁତ୍ ଖୁଣ୍ଟରେ ବାନ୍ଧି ଆଖିବୁଜା ମାଡମାରିଥିଲେ। ଠେଙ୍ଗ ଓ ପଥର ମାଡରେ ସେ ନିଶ୍ଚେତ ହୋଇ ଯିବା ପରେ ତାଙ୍କୁ ସେହି ଅଭିଯୁକ୍ତମାନେ ନିକଟସ୍ଥ ସ୍କୁଲ ପାଖ ପଡିଆରେ ଫିଙ୍ଗି ଚାଲିଯାଇଥିଲେ ଓ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା।

    ଖବର ପାଇ ପୁଲିସ ପହଞ୍ଚି ମୃତଦେହ ଜବତ କରିବା ସହିତ ବାହୁଡ଼ା ସାହୁଙ୍କୁ ଚିହ୍ନଟ କରି ତାଙ୍କ ପରିବାର ଲୋକଙ୍କୁ ଯୋଗାଯୋଗ କରିଥିଲା। ବାହୁଡ଼ାଙ୍କ ଭାଇଙ୍କ ଏତଲା ଆଧାରରେ ପୁଲିସ ଘଟଣାର ତଦନ୍ତ କରି ୭ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଆଉ କିଛି ଅଭିଯୁକ୍ତଙ୍କୁ ଖୋଜୁଛି।

    କିଛି ଦିନ ପୂର୍ବରୁ ସମାନ ଘଟଣା ଘଟିଥିଲା, ଢେଙ୍କାନାଳ ସଦର ଥାନା ଡେଙ୍ଗବୋରେଇ ଗାଁରେ। ଗାଁର ହେମନ୍ତ ରାଉତଙ୍କ ଫାର୍ମରୁ କିଛି ଯନ୍ତ୍ରାଂଶ ଓ ସିସିଟିଭି ଚୋରି ହୋଇଥିଲା। ଚୋରି ଘଟଣାରେ ଅକ୍ଷୟ ପଣ୍ଡା ଓ ଲିପୁ ନାମକ ଦୁଇ ଯୁବକଙ୍କୁ ସନ୍ଦେହ କରି ଗ୍ରାମ ସଭା ଡକାଇଥିଲେ ହେମନ୍ତ। ସଭା ଚାଲିଥିଲା, ହଠାତ୍ ହେମନ୍ତ ରାଉତ ଓ ତାଙ୍କର କିଛି ସହଯୋଗୀ ଅକ୍ଷୟ ଓ ଲିପୁଙ୍କୁ ସେଠାରୁ ନେଇଯାଇ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ଆକ୍ରମଣରେ ଅକ୍ଷୟଙ୍କର ମୃତ୍ୟୁ ହୋଇଥିବା ବେଳେ ଲିପୁ ଗୁରୁତର ଆହତ ହୋଇଥିଲେ। ହତ୍ୟା ପରେ ହେମନ୍ତ ରାଉତ ଥାନାରେ ଆତ୍ମସମର୍ପଣ କରିଥିଲା।

  • ମହୁମାଛି ନେଲା ସରପଞ୍ଚଙ୍କ ଜୀବନ, ଚିକିତ୍ସାଧୀନ ଅବସ୍ଥାରେ ସନତ’ଙ୍କ ମୃତ୍ୟୁ

    ମହୁମାଛି ନେଲା ସରପଞ୍ଚଙ୍କ ଜୀବନ, ଚିକିତ୍ସାଧୀନ ଅବସ୍ଥାରେ ସନତ’ଙ୍କ ମୃତ୍ୟୁ

    ମୃତ୍ୟୁ କେତେବେଳେ କେମିତି ଆସିବ କେହି ଜାଣିନାହାଁନ୍ତି । ବେଳେବେଳେ ମୃତ୍ୟୁ ଏମିତି ଆସେ ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥାଏ । ଆଉ ବେଳେ ବେଳେ ମଣିଷ ମୃତ୍ୟୁମୁଖରୁ ବି ବଞ୍ଚିଯାଏ । ବିମାନ ଦୁର୍ଘଟଣାରେ ଶିଶୁ ବଞ୍ଚିଯାଉଥିବା ବେଳେ ଯୁବକଯୁବତୀ, ବରିଷ୍ଠ ଲୋକ କିନ୍ତୁ ମରିଯାଆନ୍ତି ଯାହା ସମସ୍ତଙ୍କୁ ନିହାତି ଆଶ୍ଚର୍ଯ୍ୟ କରିଥାଏ । ମର୍ମନ୍ତୁଦ ଦୁର୍ଘଟଣାରେ ମଣିଷ ବଞ୍ଚିଯାଏ ହେଲେ ବିଛା କାମୁଡ଼ିଲେ ଲୋକେ ମରିଯାଆନ୍ତି । ତେଣୁ ବିଧିର ବିଧାନ ଅନୁସାରେ ଆମକୁ ଦୁନିଆରୁ ବିଦାୟ ନେବାକୁ ହୋଇଥାଏ । ଏବେ ଏମିତି ଏକ ଘଟଣା ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକରୁ ଆସିଛି ।

    ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ୍ କୁଡୁତାଇ ପଞ୍ଚାୟତ ସରପଞ୍ଚ ସନତ କୁମାର ପ୍ରଧାନ । ତାଙ୍କ ମୃତ୍ୟୁକୁ ନେଇ ସମସ୍ତେ ଆଶ୍ଚର୍ଯ୍ୟ ହୋଇଛନ୍ତି । ଆଜ୍ଞା ତାଙ୍କର ମୃତ୍ୟୁ କିପରି ହେଲା ଜାଣିଛନ୍ତି । ସୂଚନା ଅନୁସାରେ ସରପଞ୍ଚ ସନତ କୁମାର ପ୍ରଧାନ ବିଲରେ କାମ କରୁଥିଲେ । ବିଲରେ କାମ କରୁଥିବା ବେଳେ ମହୁମାଛି ଆକ୍ରମଣର ଶିକାର ହୋଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇଥିଲା । ସଙ୍ଗେ ସଙ୍ଗେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଭୁବନେଶ୍ୱରର ଏକ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ସରପଞ୍ଚଙ୍କ ମୃତ୍ୟୁ ଘଟିଛି । ସରପଞ୍ଚଙ୍କ ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

    ଘଟଣା ନିହାତି ଆଶର୍ଯ୍ୟଜନକ । ଏଭଳି ଏକ ଘଟଣା ଘଟିଯିବ, ମହୁମାଛି ଆକ୍ରମଣରେ ସରପଞ୍ଚଙ୍କ ଜୀବନ ଚାଲିଯିବ କେହି କେବେ ସ୍ୱପ୍ନରେ ବି ଭାବିନଥିଲେ । କିନ୍ତୁ ଯାହା ଭାଗ୍ୟରେ ଥିଲା ତାହା ନିଶ୍ଚିତ ଘଟିବ । ସରପଞ୍ଚଙ୍କ ଏଭଳି ମୃତ୍ୟୁକୁ ନେଇ ପରିବାରରେ ଶୋକାକୁଳ ପରିବେଶ ବି ଦେଖିବାକୁ ମିଳିଛି । ସବୁଦିନ ପାଇଁ ସେ ଆରପାରିକୁ ଚାଲିଯାଇଛନ୍ତି । ସ୍ଥାନୀୟ ଅଞ୍ଚଳରେ ବେଶ୍ ଲୋକପ୍ରିୟ ଥିଲେ ସରପଞ୍ଚ ସନତ କୁମାର ।

  • ୪ ମାସରେ ଗଲାଣି ୧୩ ଦାଦନଙ୍କ ଜୀବନ

    ୪ ମାସରେ ଗଲାଣି ୧୩ ଦାଦନଙ୍କ ଜୀବନ

    ପିଛା ଛାଡ଼ୁନି ଦାଦନ ଯନ୍ତ୍ରଣା। ୪ ମାସ ଭିତରେ ଜିଲ୍ଲାର ୧୩ ଦାଦନ ଦଲାଲ ଓ ମାଲିକଙ୍କ କଷଣ ସହି ନ ପାରି ତ ପୁଣି କେତେବେଳେ ଦୁର୍ଘଟଣାରେ ଅବା ଅନ୍ୟାନ୍ୟ କାରଣରୁ ମୃତ୍ୟୁବରଣ କଲେଣି। ଏହା ରାୟଗଡା ବା ନବରଙ୍ଗପୁରର ନୁହେଁ, ଗଞ୍ଜାମ ଜିଲ୍ଲାର ଚିତ୍ର। ସରକାର ଯେତେ ଡିଣ୍ଡିମ ପିଟିଲେ କଣ ହେବ, ରାଜ୍ୟରେ ମିଳୁନି କାମ। ପରିବାର ପ୍ରତିପୋଷଣ ପାଇଁ ଗରିବ ବାପୁଡା ବାଧ୍ୟ ହେଉଛି ବାହାର ରାଜ୍ୟକୁ କାମ କରିବାକୁ ଯିବାକୁ। କିନ୍ତୁ ସେଠି ଅକାଳରେ ଲିଭି ଯାଉଛି ତା ଜୀବନ ଦୀପ।

     ବିଗତ ୪ମାସରେ ଗଞ୍ଜାମ ଜିଲ୍ଲାରେ ୧୩ରୁ ଅଧିକ ଶ୍ରମିକଙ୍କ ବାହାର ରାଜ୍ୟରେ ମୃତ୍ୟୁ ହେଲାଣି। ସବୁଠାରୁ ବଡ କଥା ମୃତ୍ୟୁବରଣ କରିଥିବା ସମସ୍ତ ଦାଦନ ଯୁବକ। ଏହି ଧାରାରେ ପୁଣି ଯୋଡ଼ି ହୋଇଛି ଆଉ ଏକ ଦାଦନ ମୃତ୍ୟୁର ଖବର। ଜିଲ୍ଲାର ଆଉ ଜଣେ ଦାଦନ ଶ୍ରମିକ ପ୍ରାଣ ହରାଇଛନ୍ତି। ସୋରଡ଼ା ବ୍ଲକ୍ ବଡ଼ଗଡ଼ ଥାନା ଅଧୀନ କଳାଖାଡ଼ି ଗ୍ରାମର ଉଦୟ ସ୍ବାଇଁଙ୍କ ପୁଅ ସୁଶାନ୍ତ ସ୍ବାଇଁଙ୍କ ପୁଅର ଅକାଳ ବିୟୋଗ ଘଟିଛି ରାଜ୍ୟ ବାହାରେ ଦାଦନ ଖଟିବାକୁ ଯାଇଥିବା ବେଳେ।

    ସୂଚନା ମୁତାବକ, ସୁଶାନ୍ତ ସୁରତରେ ଏକ ସୂତାକଳରେ କାମ କରିବାକୁ ଯାଇଥିଲେ। ବହୁ ଦିନ ପରେ ଗତ ୫ ତାରିଖରେ ଟ୍ରେନ୍ ଯୋଗେ ଘରକୁ ଫେରୁଥିଲେ। କିନ୍ତୁ ରବିବାର ଦିନ ବିଳାସପୁର ନିକଟ ସିଗ୍‌ମା ଷ୍ଟେସନ୍‌ରେ କୌଣସି କାରଣରୁ ସେ ଟ୍ରେନ୍‌ରୁ ଖସି ପଡ଼ିଥିଲେ ଓ ତାଙ୍କ ଉପରେ ଟ୍ରେନ ଚକା ମାଡିଯାଇ  ତାଙ୍କର ମୃତ୍ୟୁ ହୋଇଥିଲା। ସ୍ଥାନୀୟ ରେଳବାଇ ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା।

    ଅନ୍ୟପଟେ ସୁଶାନ୍ତଙ୍କ ମୃତ୍ୟୁ ପ‌ରେ ତାଙ୍କ ପରିବାରବର୍ଗ ଦୁଃଖରେ ଭାଙ୍ଗିପଡ଼ିଛନ୍ତି। ପୁଅକୁ ଜୀବନ୍ତ ଦେଖିବା ତ ବୁଢା ବାପା ମା’ ଓ ପରିବାର ଲୋକଙ୍କ ଭାଗ୍ୟରେ ନଥିଲା, ଏବେ ପୁଅର ମୃତଦେହକୁ ଦେଖିବାକୁ ପ୍ରଶାସନ ନିକଟରେ ଗୁହାର ଲଗାଇଛନ୍ତି ଗରିବ ଖଟିଖିଆ ପରିବାର।  କିନ୍ତୁ ଏଠାରେ ପ୍ରଶ୍ନ ଉଠୁଛି, ସୁକାନ୍ତଙ୍କ ମୃତ୍ୟୁ ପାଇଁ ରାଜ୍ୟ ସରକାର କଣ ଦାୟୀ ନୁହନ୍ତି? ଯଦି ରାଜ୍ୟରେ ଯୁବକମାନଙ୍କୁ କାମ ଯୋଗାଯାଉଥାନ୍ତା ତେବେ କାହିଁକି ସେ ବାହାର ରାଜ୍ୟକୁ ଯାଉଥାନ୍ତା ନା କାହିଁ ଟ୍ରେନରୁ ଖସି ମୃତ୍ୟୁ ହୋଇଥାନ୍ତା ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।

  • ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟରେ ଓଡିଆ ଫିଲ୍ମ ‘ଅଦ୍ୱିତୀୟ’କୁ  ଦୁଇ ପୁରସ୍କାର

    ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟରେ ଓଡିଆ ଫିଲ୍ମ ‘ଅଦ୍ୱିତୀୟ’କୁ  ଦୁଇ ପୁରସ୍କାର

    ଅନ୍ତର୍ଜାତୀୟ ଫିଲ୍ମ ମହୋତ୍ସବରେ ଓଡିଶାର ଫିଲ୍ମର ବାଜିମାତ୍। ଦକ୍ଷିଣ ଆଫ୍ରିକାର ମରିସସରେ ଆୟୋଜିଚ ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲରେ ଦୁଇଟି ଶ୍ରେଣୀରେ ଚଳଚ୍ଚିତ୍ର ‘ଅଦ୍ୱିତୀୟ’ ପୁରସ୍କାର ହାତେଇଛି।  ଗଞ୍ଜାମ ଜିଲ୍ଲାର ହିଞ୍ଜିଲିକାଟୁର ନିତ୍ୟମ କାଳା ଗବେଷଣା କେନ୍ଦ୍ର ଦ୍ୱାରା ଏହି ଚଳଚ୍ଚିତ୍ର ଟି ନିର୍ମିତ ହୋଇଛି।

    କୃଷ୍ଣ ଡି.କେଙ୍କ ନିର୍ଦ୍ଦେଶିତ ଏହି କ୍ଷୁଦ୍ର ଡକ୍ୟୁମେଣ୍ଟାରୀ ଚଳଚ୍ଚିତ୍ରଟି କେତେକ ବାସ୍ତବ ଘଟଣା ଉପରେ ଆଧାରିତ, ଯେଉଁଥିରେ ଦର୍ଶାଯାଇଛି, କିପରି ପୋଲିସ ଚାହିଁଲେ ଏକ ଅପରାଧ ସମ୍ପନ୍ନ ସହରକୁ ଅପରାଧ ମୁକ୍ତ କରିପାରିବ। ଅପରାଧୀଙ୍କୁ ଅପରାଧର କଳା ସାମ୍ରାଜ୍ୟରୁ ବାହାର କରି ସମ୍ମାନଜନକ ଜୀବନ ଅତିବାହିତ କରିବାରେ ସହାୟକ ହୋଇପାରିବ।

    ଚଳଚିତ୍ରର ବିଷୟବସ୍ତୁ  ଆସ୍କା ଓ ଏହାର ଆଖପାଖ ଅଞ୍ଚଳକୁ ନେଇ ଗଢିଉଠିଛି।  ଆସ୍କା ପୋଲିସ୍ ଷ୍ଟେସନର ଆଇଆଇସି  ଲୋକଙ୍କ ବିଶ୍ୱାସ ଭାଜନ ହେବାରେ ସକ୍ଷମ ହୋଇଛନ୍ତି ଓ ଅପରାଧୀଙ୍କୁ ସମାଜର ମୁଖ୍ୟ ସ୍ରୋତକୁ ଫେରାଇ ଆଣିଛନ୍ତି।  ଏକ ଅପରାଧର ସହରକୁ ଅପରାଧ ନିୟନ୍ତ୍ରିତ ସହରରେ ପରିଣତ କରିଛନ୍ତି।  ଚଳଚ୍ଚିତ୍ରରେ ବରିଷ୍ଠ ଆଇପିଏସ୍ ଅଧିକାରୀ ଆଇଜି, ଦକ୍ଷିଣାଞ୍ଚଳ ସତ୍ୟବ୍ରତ ଭୋଇ, ଏସପି ଗଞ୍ଜାମ ଜଗମୋହନ ମୀନାଙ୍କ ସହ ଆସ୍କା ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ ଏବଂ କର୍ମଚାରୀମାନେ ପ୍ରମୁଖ ଭୂମିକା ତୁଲାଇଛନ୍ତି।

    ଡକୁମେଣ୍ଟାରୀ ଫିଲ୍ମର କାହାଣୀ ରଚନା ସିମାଞ୍ଚଳ ମହାରଣା କରିଥିବା ବେଳେ ନିର୍ଦ୍ଦେଶନା ଦେଇଛନ୍ତି କୃଷ୍ଣ ଡି କେ।  ଫିଲ୍ମର ସହକାରୀ ନିର୍ଦ୍ଦେଶକ ଭାର ତୁଲାଇଛନ୍ତି ରାମକୃଷ୍ଣ ସାହୁ। ସିନେମାଟୋଗ୍ରାଫୀରେ  ମୋହିତ ତ୍ରିପାଠୀଙ୍କ ଦକ୍ଷତା ଦେଖିବାକୁ ମିଳିଛି। ଏହାର ସମ୍ପାଦକ ଅଛନ୍ତି ଦେବାଶିଷ ମହାରାଣା । 
    ଏପ୍ରିଲ୍ ୨୯ ରେ ଉତ୍ତର ଆଫ୍ରିକାର ମରିସସ୍ ଠାରେ ଅନୁଷ୍ଠିତ ହୋଇଥିବା ଭାରତ ମହାସାଗର ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବର ପୁରସ୍କାର ବିତରଣୀ ଉତ୍ସବକୁ ଅଦ୍ୱିତୀୟର ନିର୍ଦ୍ଦେଶକ ତଥା ଲେଖକଙ୍କୁ ନିମନ୍ତ୍ରଣ କରାଯାଇଥିଲା। ଫିଲ୍ମଟି ଦୁଇଟି କ୍ଷେତ୍ରରେ ପୁରଷ୍କାର ହାତେଇବା ପରେ ଫିଲ୍ମର ଟିମ ଭିତରେ ଦେଖିବାକୁ ମିଳିଛି ଖୁସି। ଆଗକୁ ମଧ୍ୟ ଏମିତି ସତ୍ୟ ଓ ପ୍ରେରଣାଦାୟୀ ଘଟଣାକୁ ନେଇ ଫିଲ୍ମ କରି ସମାଜରେ ପରିବର୍ତ୍ତନ ଆଣିବାକୁ ଆଗ୍ରହୀ ହୋଇଉଠିଛନ୍ତି ଟିମ।
  • ଆୟ ବହିର୍ଭୂତ ସଂପତ୍ତି ଠୁଳ: ଗୋପାଳପୁର ବିଧାୟକଙ୍କ ବିରୋଧରେ ଚାର୍ଜସିଟ ଦାଖଲ

    ଆୟ ବହିର୍ଭୂତ ସଂପତ୍ତି ଠୁଳ: ଗୋପାଳପୁର ବିଧାୟକଙ୍କ ବିରୋଧରେ ଚାର୍ଜସିଟ ଦାଖଲ

    ଗୋପାଳପୁର ବିଧାୟକ ଡ. ପ୍ରଦୀପ ପାଣିଗ୍ରାହୀ ଓ ତାଙ୍କ ପତ୍ନୀଙ୍କ ବିରୋଧରେ ଆୟ ବହିର୍ଭୂତ ସଂପତ୍ତି ଠୁଳ ମାମଲାରେ ଚାର୍ଜସିଟ୍ ଦାଖଲ କରିଛି ଭିଜିଲାନ୍ସ। ପ୍ରଦୀପ ପାଣିଗ୍ରାହୀ ପ୍ରାୟ ୯ କୋଟି ୧୮ ଲକ୍ଷ ଟଙ୍କାର ଆୟ ବହିର୍ଭୂତ ସଂପତ୍ତି ଠୁଳ କରିଛନ୍ତି। ଲୋକାୟୁକ୍ତଙ୍କ ନିର୍ଦ୍ଦେଶ ପରେ ଭୁବନେଶ୍ୱର ଭିଜିଲାନ୍ସର ସ୍ୱତନ୍ତ୍ର କୋର୍ଟରେ ୩ ହଜାର ପୃଷ୍ଠାର ଚାର୍ଜସିଟ୍ ଦାଖଲ ହୋଇଛି ଭିଜିଲାନ୍ସ।

    ଭିଜିଲାନ୍ସ ୨୦୨୧ ଅକ୍ଟୋବର ୪ ତାରିଖରେ ମାମଲା କରି ତଦନ୍ତ ଚଳାଇଥିଲା। ତଦନ୍ତ ବେଳେ ପ୍ରଦୀପଙ୍କ ରୋଜଗାର ଓ ଖର୍ଚ୍ଚର ସମସ୍ତ ବିବରଣୀ ବାହାର କରାଯାଇଥିଲା। ଏଥିରୁ ଉଭୟ ସ୍ୱାମୀ ସ୍ତ୍ରୀ ପ୍ରାୟ ୯ କୋଟି ୧୮ ଲକ୍ଷ ଟଙ୍କାର ଆୟ ବହିର୍ଭୂତ ସଂପତ୍ତିର ସନ୍ତୋଷଜନକ ଉତ୍ତର ପାଇନଥିଲା ଭିଜିଲାନ୍ସ।

    ଭିଜିଲାନ୍ସର ତଦନ୍ତ ରିପୋର୍ଟକୁ ଲୋକାୟୁକ୍ତ ଅନୁଧ୍ୟାନ କରି ଚଳିତ ମାସ ୨୦ ତାରିଖରେ ପ୍ରଦୀପ ଓ ତାଙ୍କ ପତ୍ନୀଙ୍କ ବିରୋଧରେ ଚାର୍ଜସିଟ୍‌କୁ ଭୁବନେଶ୍ୱର ଭିଜିଲାନ୍ସ ସ୍ୱତନ୍ତ୍ର କୋର୍ଟରେ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

  • ଗଞ୍ଜାମ ପାଇଁ ଗର୍ବ, ଜିଲ୍ଲାକୁ ୬ଟି ଆୱାର୍ଡ

    ଗଞ୍ଜାମ ପାଇଁ ଗର୍ବ, ଜିଲ୍ଲାକୁ ୬ଟି ଆୱାର୍ଡ

    ଗଞ୍ଜାମ ପାଇଁ ଗର୍ବ । ଜିଲ୍ଲା ପ୍ରଶାସନ ବି ଖୁସ୍ । କାହିଁକି ନା ଜିଲ୍ଲା ପ୍ରଶାସନ ରାଷ୍ଟ୍ରପତିଙ୍କ ଠାରୁ ଆୱାର୍ଡ ଗ୍ରହଣ କରିଛନ୍ତି । ନୂଆଦିଲ୍ଲୀରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ଜାତୀୟ ପଞ୍ଚାୟତ ପୁରସ୍କାର ପ୍ରଦାନ ଉତ୍ସବରେ ଯୋଗଦେଇ ପୁରସ୍କାର ଗ୍ରହଣ କରିଛନ୍ତି ।

    ନୂଆଦିଲ୍ଲୀ ନ୍ୟାସନାଲ୍ କନଫରେନ୍ସରେ ଯୋଗ ଦେଇଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ମାହୋଲ ଥିଲା ଜାତୀୟ ପଞ୍ଚାୟତ ପୁରସ୍କାର ପ୍ରଦାନ ଉତ୍ସବ । ଏହି ଅବସରରେ ଗଞ୍ଜାମ ଜିଲ୍ଲାକୁ ୬ଟି ବିଭାଗରେ ପୁରସ୍କୃତ କରାଯାଇଥିଲା । ରାଷ୍ଟ୍ରପତି, ଗଞ୍ଜାମ ଜିଲ୍ଲା ପ୍ରଶାସନକୁ ଏହି ପୁରସ୍କାର ପ୍ରଦାନ କରିଥିଲେ । ଆୱାର୍ଡ ଗ୍ରହଣ କରି ବେଶ୍ ଖୁସି ଅନୁଭବ କରିଛନ୍ତି ପ୍ରଶାସନିକ ଅଧିକାରୀ ।

    ଦେଶରେ ସବୁଠୁ ଭଲ ପଞ୍ଚାୟତ ଭାବେ ଗଞ୍ଜାମ ଜିଲ୍ଲା ପରିଷଦକୁ ପୁରସ୍କୃତ କରାଯାଇଛି । ବେଷ୍ଟ ବ୍ଲକ୍ ଭାବେ ‘ହିଞ୍ଜିଳିକାଟୁ’କୁ ଆୱାର୍ଡ ମିଳିଛି । ସେହିପରି ହିଞ୍ଜିଳିକାଟୁର କାଞ୍ଚୁରୁ’କୁ ଦେଶର ଭଲ ସ୍ୱାସ୍ଥ୍ୟ ପଞ୍ଚାୟତ ଭାବେ ଦ୍ୱିତୀୟ ପୁରସ୍କାର ମିଳିଛି । ଏଥିସହ ସେହି ବ୍ଲକର ଶାସନ ଆମ୍ବଗାଁ ପଞ୍ଚାୟତକୁ କ୍ଲିନ୍ ଏବଂ ଗ୍ରୀନ୍ ପଞ୍ଚାୟତ ଭାବେ ଦ୍ୱିତୀୟ ପୁରସ୍କାର ପ୍ରଦାନ କରାଯାଇଛି । ସାମାଜିକ ସୁରକ୍ଷିତ ପଞ୍ଚାୟତ ଭାବେ ଭଞ୍ଜନଗର ବ୍ଲକରେ ଥିବା କୁଲଦା ପଞ୍ଚାୟତକୁ ମିଳିଛି ଦ୍ୱିତୀୟ ପୁରସ୍କାର । ଗ୍ରାମ ଉର୍ଜା ସ୍ୱରାଜ ବିଶେଷ ପଞ୍ଚାୟତ କ୍ୟାଟେଗୋରୀରେ ଦ୍ୱିତୀୟ ପୁରସ୍କାର ପାଇଛି ପାତ୍ରପୁର ବ୍ଲକର ଆଙ୍କୁଲି ପଞ୍ଚାୟତ ।

    ପୁରସ୍କାର ପ୍ରଦାନ ଉତ୍ସବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସମେତ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ତଥା ପଞ୍ଚାୟତିରାଜ ମନ୍ତ୍ରୀ ଗିରିରାଜ ସିଂ ଉପସ୍ଥିତ ଥିଲେ । ଗଞ୍ଜାମ ଜିଲ୍ଲାପାଳଙ୍କ ସମେତ ପୁରସ୍କାର ପାଇଥିବା ପଞ୍ଚାୟତର ଅଧିକାରୀମାନେ ଉପସ୍ଥିତ ଥିଲେ ।