୪ ମାସରେ ଗଲାଣି ୧୩ ଦାଦନଙ୍କ ଜୀବନ

ପିଛା ଛାଡ଼ୁନି ଦାଦନ ଯନ୍ତ୍ରଣା। ୪ ମାସ ଭିତରେ ଜିଲ୍ଲାର ୧୩ ଦାଦନ ଦଲାଲ ଓ ମାଲିକଙ୍କ କଷଣ ସହି ନ ପାରି ତ ପୁଣି କେତେବେଳେ ଦୁର୍ଘଟଣାରେ ଅବା ଅନ୍ୟାନ୍ୟ କାରଣରୁ ମୃତ୍ୟୁବରଣ କଲେଣି। ଏହା ରାୟଗଡା ବା ନବରଙ୍ଗପୁରର ନୁହେଁ, ଗଞ୍ଜାମ ଜିଲ୍ଲାର ଚିତ୍ର। ସରକାର ଯେତେ ଡିଣ୍ଡିମ ପିଟିଲେ କଣ ହେବ, ରାଜ୍ୟରେ ମିଳୁନି କାମ। ପରିବାର ପ୍ରତିପୋଷଣ ପାଇଁ ଗରିବ ବାପୁଡା ବାଧ୍ୟ ହେଉଛି ବାହାର ରାଜ୍ୟକୁ କାମ କରିବାକୁ ଯିବାକୁ। କିନ୍ତୁ ସେଠି ଅକାଳରେ ଲିଭି ଯାଉଛି ତା ଜୀବନ ଦୀପ।

 ବିଗତ ୪ମାସରେ ଗଞ୍ଜାମ ଜିଲ୍ଲାରେ ୧୩ରୁ ଅଧିକ ଶ୍ରମିକଙ୍କ ବାହାର ରାଜ୍ୟରେ ମୃତ୍ୟୁ ହେଲାଣି। ସବୁଠାରୁ ବଡ କଥା ମୃତ୍ୟୁବରଣ କରିଥିବା ସମସ୍ତ ଦାଦନ ଯୁବକ। ଏହି ଧାରାରେ ପୁଣି ଯୋଡ଼ି ହୋଇଛି ଆଉ ଏକ ଦାଦନ ମୃତ୍ୟୁର ଖବର। ଜିଲ୍ଲାର ଆଉ ଜଣେ ଦାଦନ ଶ୍ରମିକ ପ୍ରାଣ ହରାଇଛନ୍ତି। ସୋରଡ଼ା ବ୍ଲକ୍ ବଡ଼ଗଡ଼ ଥାନା ଅଧୀନ କଳାଖାଡ଼ି ଗ୍ରାମର ଉଦୟ ସ୍ବାଇଁଙ୍କ ପୁଅ ସୁଶାନ୍ତ ସ୍ବାଇଁଙ୍କ ପୁଅର ଅକାଳ ବିୟୋଗ ଘଟିଛି ରାଜ୍ୟ ବାହାରେ ଦାଦନ ଖଟିବାକୁ ଯାଇଥିବା ବେଳେ।

ସୂଚନା ମୁତାବକ, ସୁଶାନ୍ତ ସୁରତରେ ଏକ ସୂତାକଳରେ କାମ କରିବାକୁ ଯାଇଥିଲେ। ବହୁ ଦିନ ପରେ ଗତ ୫ ତାରିଖରେ ଟ୍ରେନ୍ ଯୋଗେ ଘରକୁ ଫେରୁଥିଲେ। କିନ୍ତୁ ରବିବାର ଦିନ ବିଳାସପୁର ନିକଟ ସିଗ୍‌ମା ଷ୍ଟେସନ୍‌ରେ କୌଣସି କାରଣରୁ ସେ ଟ୍ରେନ୍‌ରୁ ଖସି ପଡ଼ିଥିଲେ ଓ ତାଙ୍କ ଉପରେ ଟ୍ରେନ ଚକା ମାଡିଯାଇ  ତାଙ୍କର ମୃତ୍ୟୁ ହୋଇଥିଲା। ସ୍ଥାନୀୟ ରେଳବାଇ ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା।

ଅନ୍ୟପଟେ ସୁଶାନ୍ତଙ୍କ ମୃତ୍ୟୁ ପ‌ରେ ତାଙ୍କ ପରିବାରବର୍ଗ ଦୁଃଖରେ ଭାଙ୍ଗିପଡ଼ିଛନ୍ତି। ପୁଅକୁ ଜୀବନ୍ତ ଦେଖିବା ତ ବୁଢା ବାପା ମା’ ଓ ପରିବାର ଲୋକଙ୍କ ଭାଗ୍ୟରେ ନଥିଲା, ଏବେ ପୁଅର ମୃତଦେହକୁ ଦେଖିବାକୁ ପ୍ରଶାସନ ନିକଟରେ ଗୁହାର ଲଗାଇଛନ୍ତି ଗରିବ ଖଟିଖିଆ ପରିବାର।  କିନ୍ତୁ ଏଠାରେ ପ୍ରଶ୍ନ ଉଠୁଛି, ସୁକାନ୍ତଙ୍କ ମୃତ୍ୟୁ ପାଇଁ ରାଜ୍ୟ ସରକାର କଣ ଦାୟୀ ନୁହନ୍ତି? ଯଦି ରାଜ୍ୟରେ ଯୁବକମାନଙ୍କୁ କାମ ଯୋଗାଯାଉଥାନ୍ତା ତେବେ କାହିଁକି ସେ ବାହାର ରାଜ୍ୟକୁ ଯାଉଥାନ୍ତା ନା କାହିଁ ଟ୍ରେନରୁ ଖସି ମୃତ୍ୟୁ ହୋଇଥାନ୍ତା ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।

Leave a Reply

Your email address will not be published. Required fields are marked *