Category: ଅନୁଗୋଳ

  • ଅସହ୍ୟ ହୋଇପଡ଼ିଲାଣି ହାତୀଙ୍କ ପ୍ରାଦୁର୍ଭାବ, ଗାଁଗାଁରେ ଭୟର ବାତାବରଣ

    ଅସହ୍ୟ ହୋଇପଡ଼ିଲାଣି ହାତୀଙ୍କ ପ୍ରାଦୁର୍ଭାବ, ଗାଁଗାଁରେ ଭୟର ବାତାବରଣ

    ଓଡିଶାର ଜଙ୍ଗଲ ବସତି ଅଞ୍ଚଳ ଗୁଡିକରେ ହାତୀ ଉପଦ୍ରବ ଏକ ସାଧାରଣ କଥା । ହାତୀ ଆକ୍ରମଣରେ ଅସଂଖ୍ୟ ଲୋକଙ୍କ ଜୀବନ ଯାଉଥିବା ବେଳେ ଅନେକ କ୍ଷୟକ୍ଷତି ହେଉଛି । ହେଲେ ପ୍ରଶାସନର କାର୍ଯ୍ୟପନ୍ଥାକୁ ଦେଖିଲେ ଲାଗେ ସତେ ଯେମିତି ହାତୀ ଆଗରେ ଅସହାୟ ସେମାନେ । ହାତୀ ଆକ୍ରମଣରେ ଖାଲି ମଣିଷ ମାନଙ୍କ ଜୀବନ ଚାଲିଯାଇନଥାଏ ଏଥିରେ ଅନେକ ଗୃହପାଳିତ ପଶୁ ମଧ୍ୟ ବଳି ପଡିଯାଏ । ଏମିତି ଆଉ ଏକ ଘଟଣା ଦେଖିବାକୁ ମିଳିଛି ଅନୁଗୋଳ ଜିଲ୍ଲା ବନ୍ତଳା ଅଞ୍ଚଳସ୍ଥିତ ମଧୁପୁର ଗ୍ରାମରେ । ବନମାଳୀ ପ୍ରଧାନଙ୍କ ମଇଁଷି ଗୋଠରେ ହାତୀ ପଶି ଆକ୍ରମଣ କରିବାରୁ ଗୋଟିଏ ମଇଁଷିର ଜୀବନ ଚାଲିଯାଇଛି ।

    ଗୋଟିଏ ମଇଁଷିର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ମଇଁଷିଟି ଆହତ ହୋଇଥିବା ଦେଖିବାକୁ ମିଳିଛି । ଏମିତି ହାତୀ ମାନଙ୍କ ପ୍ରାଦୁର୍ଭାବ ବଢ଼ୁଥିବାରୁ ଗାଁ ଗାଁରେ ଭୟର ବାତାବରଣ । ଫଳରେ ଉତ୍ତ୍ୟକ୍ତ ଲୋକମାନେ ମଧୁପୁର ଗ୍ରାମ୍ୟ ରାସ୍ତା ଅବରୋଧ କରିଛନ୍ତି ।

  • ହାତୀ ଆକ୍ରମଣ ରେ ଜଣେ ମୃତ, ଜଣେ ଗୁରୁତର

    ହାତୀ ଆକ୍ରମଣ ରେ ଜଣେ ମୃତ, ଜଣେ ଗୁରୁତର

    ବନ୍ତଳା ବନାଞ୍ଚଳ ତଳଗଡ଼ ଗ୍ରାମରେ ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ସୂଚନା। ତଳଗଡ଼ ଗ୍ରାମର ଛବିନ୍ଦ୍ର ବିଶ୍ୱାଳ ଓ ସ୍ତ୍ରୀ ସୁଲୋଚନା ବିଶ୍ୱାଳ ନିଜ ବାଡ଼ିରେ କାର୍ଯ୍ୟ କରୁଥିବା ସମୟରେ ହାତୀ ଆକ୍ରମଣର ଶିକାର ହୋଇଥିଲେ। ଫଳରେ ସ୍ତ୍ରୀ ସୁଲୋଚନାଙ୍କ ମୃତ୍ୟୁ ହୋଇଥିବା ବେଳେ ଛବିନ୍ଦ୍ର ଗୁରୁତର ଆହତ ହୋଇଛନ୍ତି।

  • ଭେଷଜ ବିଶେଷଜ୍ଞ ନିଯୁକ୍ତି ଦାବୀ

    ଭେଷଜ ବିଶେଷଜ୍ଞ ନିଯୁକ୍ତି ଦାବୀ

    ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭେଷଜ ବିଶେଷଜ୍ଞ ନିଯୁକ୍ତି ପାଇଁ ଜିଲ୍ଲା ସ୍ବେଚ୍ଛାସେବୀ ସମୂହ ତରଫରୁ ଜିଲ୍ଲାପାଳଙ୍କ ନିକଟରେ ଦାବୀ ଉପସ୍ଥାପନା କରିଯାଇଛି ।ବିଗତ ଦିନରେ ତିନିଜଣ ଭେଷଜ ବିଶେଷଜ୍ଞ ନିଯୁକ୍ତି ରହିଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ବରିଷ୍ଠ ଡାକ୍ତରଙ୍କ ମୃତ୍ୟୁ ଘଟିଛି ଓ ଅନ୍ୟ ଜଣେ ଡାକ୍ତରଙ୍କ ବାହାର ଜିଲ୍ଲାକୁ ବଦଳି ହୋଇଛି ।

    ଏଣୁ ବର୍ତ୍ତମାନ ସମୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ମାତ୍ର ଭେଷଜ ବିଶେଷଜ୍ଞ ସମସ୍ତ ମେଡିସିନ ବିଭାଗ ସମ୍ଭାଳୁଛନ୍ତି ।ଯାହା ଶତାଧିକ ବର୍ହିବିଭାଗ ଓ ଅର୍ନ୍ତବିଭାଗ ରୋଗୀଙ୍କ ଚିକିତ୍ସା କରିବା ତାଙ୍କ ପକ୍ଷେ ସମ୍ଭବପର ନୁହେଁ ।ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଅନୁଗୁଳ ଜିଲ୍ଲା ପାଇଁ ୧୪ ଜଣେ ଭେଷଜ ବିଶେଷଜ୍ଞ ନିଯୁକ୍ତି ପାଇଁ ଅନୁମୋଦନ ରହିଥିବା ବେଳେ ଅଛନ୍ତି ମାତ୍ର ଜଣେ ।ଫଳରେ ରୋଗୀ ସେବା ସମ୍ପୂର୍ଣ୍ଣ ବ୍ୟାହତ ହୋଇଛି ।ତୁରନ୍ତ ଭେଷଜ ବିଶେଷଜ୍ଞ ନିଯୁକ୍ତି ନହେଲେ ରୋଗୀ ଚିକିତ୍ସା ପାଇବାରୁ ବଞ୍ଚିତ ହେବେ ।

    ଏ ପ୍ରସଙ୍ଗରେ ଗୁରୁତର ସହିତ ବିଚାର କରି କିଭଳି ଡାକ୍ତର ନିଯୁକ୍ତି ହୋଇପାରିବେ ଜିଲ୍ଲାପାଳ ଏଥିପ୍ରତି ବିହିତ ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ସ୍ବେଚ୍ଛାସେବୀ ପର୍ଶୁରାମ ଦାଶ,ପ୍ରତାପ ମହାପାତ୍ର,ଅନୁପ କୁମାର ପଟ୍ଟନାୟକ ଓ ଦିବ୍ୟଜ୍ୟୋତି ନାୟକ ପ୍ରମୁଖ ପୂର୍ବାହ୍ନରେ ଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି ।

  • ଏଡସ ବିରୁଦ୍ଧରେ ସଚେତନତା ଯୁବ ଉତ୍ସବ “ଅଭିବ୍ୟକ୍ତି” ଉଦ୍ଘାଟିତ

    ଏଡସ ବିରୁଦ୍ଧରେ ସଚେତନତା ଯୁବ ଉତ୍ସବ “ଅଭିବ୍ୟକ୍ତି” ଉଦ୍ଘାଟିତ

    ଅନୁଗୋଳ ସଭାଘର ଠାରେ ଜିଲ୍ଲା ସ୍ଵାସ୍ଥ୍ୟ ପ୍ରଶାସନ, ନାକୋ, ଓସାକ ଏବଂ ଜେ.ଏସ.ପି ଫାଉଣ୍ଡେସନର ସହାୟତାରେ ଯୁବ ଉତ୍ସବ ଉଦ୍ଘାଟିତ ହୋଇଯାଇଛି। ଏହି ସମାରୋହକୁ ମୁଖ୍ୟ ଅତିଥି ରୂପେ ଉଦ୍ଘାଟନ କରିଥିଲେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ା ତ୍ରିଲୋଚନ ପ୍ରଧାନ। ଯୁବ ପିଢ଼ି ଏଡ୍ସ ନେଇ ସଚେତନ ହେଲେ ଏବଂ ଅନ୍ୟକୁ ସଚେତନତା କରାଇଲେ ସମାଜ ସୁସ୍ଥ ସୁରକ୍ଷିତ ରହିପାରିବ।

    ସମାରୋହରେ ଅନ୍ୟମାନଙ୍କ ମଧ୍ୟରେ ଏଡ଼ସ ନୋଡାଲ ଅଫିସର ଡ଼ା ବିଶ୍ଵପ୍ରକାଶ ମହାନ୍ତି, ଏଆର୍ଟି ଅଧିକାରୀ ଡ଼ା ଶାଶ୍ଵତ ସାଗର ମିଶ୍ର, ଡିପିଏମ ଡାପ୍ସୁ ଡ଼ା ପ୍ରମିଳାହୋତା, ଜିନ୍ଦଲ ସି ଏସ ଆର୍ ବିଭାଗ ମହାପ୍ରବନ୍ଧକ ଆଶୁତୋଷ ମିଶ୍ର, ଜିଲ୍ଲା ସୂଚନା ଅଧିକାରୀ କୈଳାସ ଚନ୍ଦ୍ର ବେହେରା ଓ ଅନ୍ୟ ବହୁ ଅଧିକାରୀ ଯୋଗ ଦେଇଥିଲେ। ସମାରୋହରେ ଅନୁଗୁଳ ଜିଲ୍ଲାର ବିଭିନ୍ନ କୋଣ ରୁ ଆସିଥିବା କଲେଜ ଓ ଟେକ୍ନିକାଲ ସଂସ୍ଥା ପକ୍ଷରୁ କ୍ଷୁଦ୍ର ନାଟକ ମଞ୍ଚସ୍ଥ ହୋଇଥିଲା। ଏଚ୍ ଆଇ ଭି ଓ ଏଡ୍ସ ନିରାକରଣ ନେଇ ପିଲାମାନେ ବେଶ୍ ସୁନ୍ଦର୍ ନାଟକ ମଞ୍ଚସ୍ଥ କରିଥିଲେ।ଶେଷରେ ବିଜୟୀ ଦଳଙ୍କୁ ଟ୍ରଫି ପ୍ରଦାନ କରାଯାଇଥିଲା ।

  • କଣିହା ସ୍ଥିତ ବ୍ରାହ୍ମଣୀ ନଦୀ  ସେତୁର ନୂଆ ନାମ ହେଲା ପବିତ୍ର ମୋହନ ସେତୁ

    କଣିହା ସ୍ଥିତ ବ୍ରାହ୍ମଣୀ ନଦୀ ସେତୁର ନୂଆ ନାମ ହେଲା ପବିତ୍ର ମୋହନ ସେତୁ

    ଅନୁଗୋଳ ଜିଲ୍ଲା କଣିହା ଠାରେ ବ୍ରାହ୍ମଣୀ ନଦୀ ଉପରେ ନିର୍ମିତ ସେତୁକୁ ରାଜ୍ୟ ସରକାର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ପ୍ରଜାମଣ୍ଡଳ ନେତା ତଥା ଓଡିଶାର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସ୍ୱର୍ଗତ ପବିତ୍ର ମୋହନ ପ୍ରଧାନଙ୍କ ସ୍ମୃତିରେ ପବିତ୍ର ମୋହନ ସେତୁ ନାମରେ ନାମିତ କରିଛନ୍ତି।

    ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏହି ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ସୂଚନାଯୋଗ୍ୟ ଯେ, ଗତ ଜୁଲାଇ ୧୧ ତାରିଖରେ 5T ସଚିବ ଶ୍ରା ଭି.କେ. ପାଣ୍ଡିଆନ ତାଳଚେର ଗସ୍ତରେ ଯାଇଥିବା ବେଳେ ପବିତ୍ର ମୋହନ ପ୍ରଧାନଙ୍କ ସ୍ମୃତି ରକ୍ଷା ପାଇଁ ବ୍ରାହ୍ମଣୀ ନଦୀ ଉପରେ ନିର୍ମିତ ସେତୁ କୁ ସ୍ୱର୍ଗତ ପବିତ୍ର ମୋହନ ପ୍ରଧାନଙ୍କ ନାମରେ ନାମିତ କରିବା ପାଇଁ ଜନସାଧାରଣ ଅନୁରୋଧ କରିଥିଲେ । ତଦନୁଯାୟୀ, ରାଜ୍ୟ ସରକାର ଏହି ସେତୁର ନାମକୁ ପ୍ରଜାମଣ୍ଡଳ ଆନ୍ଦୋଳନର ଅଗ୍ରଗଣ୍ୟ ସାରଥି ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସ୍ୱର୍ଗତ ପବିତ୍ର ମୋହନ ପ୍ରଧାନଙ୍କ ନାମରେ ନାମିତ କରିଛନ୍ତି। ସୂଚନାଯୋଗ୍ୟ ଯେ, ୫୧୧ ମିଟର ଦୈର୍ଘ୍ୟ ବିଶିଷ୍ଟ, ସିଲିଙ୍ଗ ଠାରୁ ତାଳପଦା ରାସ୍ତାକୁ ଯୋଡୁ ଥିବା ଏହି ସେତୁ, ୪୫ କୋଟି ୭୯ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହୋଇଛି।

  • ୪ ଜିଲ୍ଲାକୁ ରେଡ୍ ଓ୍ବାର୍ଣ୍ଣିଂ ଜାରି

    ୪ ଜିଲ୍ଲାକୁ ରେଡ୍ ଓ୍ବାର୍ଣ୍ଣିଂ ଜାରି

    ଅତିପ୍ରବଳ ବର୍ଷା ସମ୍ଭାବନା ନେଇ ୪ ଜିଲ୍ଲାକୁ ରେଡ୍ ଓ୍ବାର୍ଣ୍ଣିଂ ଜାରି କଲା ଆଞ୍ଚଳିକ ପାଣିପାଗ ବିଭାଗ। ବଙ୍ଗୋପସାଗରରେ ସୃଷ୍ଟ ଅବପାତ ଗଭୀର ଅବପାତରେ ପରିଣତ ହୋଇଛି। ଗଭୀର ଅବପାତଟି ଖେପୁପଡ଼ାରୁ ୧୬୦, ଦୀଘାରୁ ୪୨୦ କିମି ଦୂରରେ ରହିଛି। କ୍ରମେ ଏହା ଉତ୍ତର ପଶ୍ଚିମ ଦିଗକୁ ଗତି କରି ଉପକୂଳ ମୁହାଁ ହେବ । ଆଜି ସନ୍ଧ୍ୟା ସୁଦ୍ଧା ବାଂଲାଦେଶ ଖେପୁପଡ଼ା ପାଖାପାଖି ଉପକୂଳ ଛୁଇଁବ । ପରେ ଏହା ପଶ୍ଚିମ-ଉତ୍ତରପଶ୍ଚିମ ମୁହାଁ ହୋଇ ଗାଙ୍ଗେୟ ଉପତ୍ୟକା ଆଡ଼କୁ ଯିବ । ଏହା ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିଛି ପ୍ରବଳ ବର୍ଷା ।

    ଏହାବାଦ ଅନ୍ୟ ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଂଜ ଜିଲ୍ଲାକୁ ୱାର୍ଣ୍ଣିଂ ଜାରି କରାଯାଇଛି । ସଂପୃକ୍ତ ଜିଲ୍ଲାର କିଛି ସ୍ଥାନରେ ୭ରୁ ୨୦ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି । ଗତକାଲିଠୁ ଲାଗି ରହିଥିବା ଲଗାଣ ବର୍ଷା ହେତୁ ଗତକାଲି ଟୁଇନ ସିଟି ଅବସ୍ଥା ବେହାଲ ହୋଇ ପଡ଼ିଛି । ଲୋକଙ୍କ ଆସବାବ ପତ୍ରଠୁ ଆରମ୍ଭ କରି ଦୋକାନରେ ଥିବା ସାମଗ୍ରୀ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ବର୍ଷା ପାଣିର ବିପର୍ଯ୍ୟୟ ଭିତରୁ ଏବେ ଲୋକେ ନିଜ ନିଜର ସାମଗ୍ରୀ ଖୋଜୁଛନ୍ତି । କେମିତି ପୁଣି ସ୍ୱାଭାବିକ ହେବ ସ୍ଥିତି ସେନେଇ ସ୍ଥାନୀୟ ଅଞ୍ଚଳର ଲୋକେ ଚିନ୍ତାରେ ।

    ଏହାବାଦ ଯାଜପୁର, ଭଦ୍ରକ, ଦେବଗଡ଼, ସମ୍ବଲପୁର, ସୋନପୁର, ବୌଦ୍ଧ, ସୁନ୍ଦରଗଡ଼, ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକ, ଖୋର୍ଦ୍ଧା, ପୁରୀ, ବାଲେଶ୍ୱର ଜିଲ୍ଲାକୁ  ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ତେଣୁ ଏସବୁ ଅଞ୍ଚଳବାସୀଙ୍କୁ ଆଗୁଆ ସତର୍କ କରାଇଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର।

  • ଅନୁଗୁଳ: ୧୨ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ଜଣଙ୍କୁ ଧରିଲା ଅବକାରୀ ଟିମ୍

    ଅନୁଗୁଳ: ୧୨ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ଜଣଙ୍କୁ ଧରିଲା ଅବକାରୀ ଟିମ୍

    ଅନୁଗୁଳରେ ଅବକାରୀ ବିଭାଗକୁ ସଫଳତା ମିଳିଛି । ଜଣେ ବ୍ରାଉନସୁଗାର ବେପାରୀକୁ ଧରିବାରେ ସଫଳ ହୋଇଛି ଟିମ୍ । ତା ନିକଟରୁ ୧୨୫ ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଛି ।

    ଅନୁଗୁଳ ଜିଲ୍ଲା କନ୍ୟାବେଡା ଗାଁର ଅନିଲ ସାହୁ ଏବେ ଧରାପଡ଼ିଛି । ଦୀର୍ଘଦିନ ହେଲା ସେ ବ୍ରାଉନସୁଗାର ବେପାର କରି ଆସୁଥିବା ବେଳେ ଧରା ପଡୁନଥିଲା । ଏଥିପାଇଁ ଅବକାରୀ ବିଭାଗ ପକ୍ଷରୁ ତା ଉପରେ ସ୍ୱତନ୍ତ୍ର ନଜର ରଖାଯାଇଥିଲା । ବ୍ରାଉନସୁଗାର ଧରି ବିକ୍ରି କରିବାକୁ ଯାଉଥିଲା ଅନିଲ ସାହୁ । ଖବର ପାଇ ଅବକାରୀ ଟିମ୍ ଜାଲ ବିଛାଇଥିଲା । ଅନିଲ ଏକ ଅଟୋରେ ଯାଉଥିବା ବେଳେ କୁକୁଡ଼ାଙ୍ଗ ନିକଟରେ ତାକୁ ଧରିଥିଲା ଟିମ୍ । ତା ନିକଟରୁ ୧୨୫ ଗ୍ରାମ୍ ବ୍ରାଉନସୁଗାର ଜବତ କରାଯାଇଛି । ଜବତ ବ୍ରାଉନସୁଗାର ଆନୁମାନିକ ମୂଲ୍ୟ ୧୨ ଲକ୍ଷ ୫୦ ହଜାର ଟଙ୍କା ହେବ ।

    ରାଜ୍ୟରେ ଏବେ ଧଳା ଜହର କାରବାର ବୃଦ୍ଧି ପାଇବାରେ ଲାଗିଛି । ବିଭିନ୍ନ ସ୍ଥାନରେ ବ୍ରାଉନସୁଗାର ବେପାର ଜୋରସୋରରେ ଚାଲିଛି । ଏହାକୁ ରୋକିବା ପାଇଁ ଅବକାରୀ ଟିମ୍ ଏବଂ ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ରେଡ୍ କରାଯାଉଛି । ଏ ଦିଗରେ ସଫଳତା ମିଳୁଥିଲେ ସୁଦ୍ଧା ବେପାରୀମାନେ ବିଭିନ୍ନ ଉପାୟରେ ବ୍ରାଉନସୁଗାର ବିକ୍ରି କରି ବେଶ୍ ଲାଭବାନ ହେଉଛନ୍ତି । ତେଣୁ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ଅଭିଯାନକୁ ଜୋରଦାର କରିଛି ଅବକାରୀ ଟିମ୍ ।

  • ପଣସ ହେଲା କାଳ, ଦୁଇ ଗଛ ମଝିରେ ଫସିଗଲା ହାତୀ

    ପଣସ ହେଲା କାଳ, ଦୁଇ ଗଛ ମଝିରେ ଫସିଗଲା ହାତୀ

    ଅନୁଗୁଳ ଜିଲ୍ଲା ବୃତ୍ତି ଗାଁ ନିକଟରେ ଏକ ହାତୀ ଫସି ରହିଛି । ପଣସ ଖାଇବାକୁ ଆସି ହାତୀଟି ଫସିଯାଇଥିବା ଅନୁମାନ କରାଯାଉଛି । ଦୁଇ ଗଛ ମଝିରେ ଫସି ରହିଛି ଗଜରାଜ । ପଣସ ଖାଇବା ଲୋଭ ଶେଷରେ ହାତୀକୁ ଅଡୁଆରେ ପକାଇଛି । ଅନୁଗୁଳ ଜିଲ୍ଲା ପୁରୁଣାଗଡ଼ ବନାଞ୍ଚଳ ବୃତ୍ତି ଗାଁ ନିକଟରେ ଏଭଳି ଦୃଶ୍ୟ ଏବେ ଦେଖିବାକୁ ମିଳିଛି ।

    ଏଭଳି ଦୃଶ୍ୟ ଦେଖିବା ପାଇଁ ଲୋକଙ୍କ ଭିଡ଼ ବି ଜମିଥିଲା । ଘଟଣା ସମ୍ପର୍କରେ ସ୍ଥାନୀୟ ଲୋକେ ବନ ବିଭାଗକୁ ଖବର ଦେଇଥିଲେ । ଫସି ଯାଇଥିବା ହାତୀ ଉଦ୍ଧାର ପାଇଁ ଘଟଣାସ୍ଥଳରେ ବନ ବିଭାଗ ଟିମ୍ ପହଞ୍ଚିଛି । ହାତୀ ଯଦି ଆହତ ଥିବ ତାହେଲେ ତାର ଚିକିତ୍ସା କରାଯିବ ବୋଲି ଜିଲ୍ଲା DFO ସୂଚନା ଦେଇଛନ୍ତି । ଖରାଦିନରେ ଆମ୍ବ, ପଣସ ପାଚୁଥିବାରୁ ଏହା ଖାଇବା ପାଇଁ ଜଙ୍ଗଲ, ବଣ, ପାହାଡ଼ରେ ବୁଲିଥାନ୍ତି ହାତୀପଲ । ଏବେ ପଣସ ଖାଇବାକୁ ଆସି ହାତୀ ଫସିଯାଇଥିବା ବେଳେ ତାର ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

  • ହାତୀ ଆକ୍ରମଣରେ ଜଣେ ମୃତ୍ୟୁ, ଜଣେ ଗୁରୁତର ଆହତ

    ହାତୀ ଆକ୍ରମଣରେ ଜଣେ ମୃତ୍ୟୁ, ଜଣେ ଗୁରୁତର ଆହତ

    ଅନୁଗୁଳ ବ୍ଳକ୍ ବନ୍ତଳା ଅଞ୍ଚଳରେ ହାତୀଙ୍କ ଉପଦ୍ରବ ବଢ଼ିବାରେ ଲାଗିଛି । କେତେବେଳେ ଫସଲହାନୀ ତ ଆଉ କେତେବେଳେ ଲୋକଙ୍କ ଜୀବନ ନେଉଛନ୍ତି । ଆଜି ବଡ଼କନ୍ତକୁଳ ଗାଁର ଜଣଙ୍କୁ ଦଳିଦେଇଛି ହାତୀ ।

    ସୂଚନା ଅନୁସାରେ ବନ୍ତଳା ବନାଞ୍ଚଳ ବଡ଼କନ୍ତକୁଳ ଗାଁର ମୁଳି ପ୍ରଧାନ ଓ ଗୌରୀ ରାଉଳ ଆଜି ସକାଳୁ ଆମ୍ବ ଗୋଟାଇବା ପାଇଁଗୌ ଗାଁ ନିକଟ ଆମ୍ବ ବଗିଚାକୁ ଯାଇଥିଲେ । ଆମ୍ବ ଗୋଟାଉଥିବା ବେଳେ ଏକ ଦନ୍ତା ଆସି ମୁଳି ପ୍ରଧାନଙ୍କୁ ଶୁଣ୍ଢରେ ଆକ୍ରମଣ କରିବା ସହ ଦଳି ଦେଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ସେହିପରି ଗୌରୀ ମଧ୍ୟ ହାତୀ ଆକ୍ରମଣରେ ଗୁରୁତର ଆହତ ହୋଇଥିଲେ । ଚିକିତ୍ସା ପାଇଁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଗତ ୪ ମାସରେ ଅନୁଗୁଳ ବ୍ଳକ୍ ଅଞ୍ଚଳରେ ହାତୀ ଆକ୍ରମଣରେ ୧୦ ଜଣଙ୍କ ଜୀବନ ଗଲାଣି ।