୧୫ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବରେ ଲାଗିଲା କ୍ୟାବିନେଟ୍ ମୋହର

ରାଜ୍ୟ କ୍ୟାବିନେଟରେ ୧୫ଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । କେନ୍ଦ୍ର ସରକାରଙ୍କ ଦ୍ୱାରା ଓଡ଼ିଶା ପାଇଁ ତାଲିକାଭୁକ୍ତ ୨୨ଟି ପଛୁଆ ବର୍ଗ ଜାତି ରାଜ୍ୟର ସାମାଜିକ ଓ ଶିକ୍ଷାଗତ ପଛୁଆବର୍ଗ ତାଲିକାରେ ସାମିଲ ହୋଇଛି । ଏ ସଂକ୍ରାନ୍ତରେ ଜାରି ଅଧ୍ୟାଦେଶରେ ମୋହର ଲଗାଇଛି କ୍ୟାବିନେଟ୍ । ଓଡ଼ିଶା ରାଜ୍ୟ ପଛୁଆବର୍ଗ ଆୟୋଗ ଅଧିନିୟମ, ୧୯୯୩ର ଧାରା-୯ ଅଧିନରେ ଉପଧାରା-୩କୁ ଅନ୍ତର୍ଭୁକ୍ତ କରିବା ସମ୍ବନ୍ଧୀୟ ଅଧ୍ୟାଦେଶ ଘୋଷଣା ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି ।

ସେହିପରି ବିଜୁ ସେତୁ ଯୋଜନା ଆହୁରି ୨ ବର୍ଷ ବୃଦ୍ଧି ହୋଇଛି । ଏହି ପ୍ରସ୍ତାବରେ ମୋହର ଲାଗାଇଛି କ୍ୟାବିନେଟ୍ । ତେଣୁ ୨୦୨୫-୨୬ ବର୍ଷ ପର୍ଯ୍ୟନ୍ତ ବିଜୁ ସେତୁ ନିର୍ମାଣ ହେବ । ଅତିରିକ୍ତ ୩୫୯୭.୨୨ କୋଟି ଖର୍ଚ୍ଚରେ ୮୬୬ଟି ନୂତନ ସେତୁ ନିର୍ମାଣ ହେବ । ଅଧୁରା ଥିବା ଅନ୍ୟାନ୍ୟ ସେତୁର ନିର୍ମାଣ କାର୍ଯ୍ୟ ମଧ୍ୟ ସମ୍ପୂର୍ଣ୍ଣ ହେବ ।

ଏଥିସହ RDSS ଯୋଜନାରେ ଉପଭୋକ୍ତାଙ୍କୁ ଗୁଣାତ୍ମକ ତଥା ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ ସହ ବୈଷୟିକ ଓ ବାଣିଜ୍ୟିକ କ୍ଷତି ହ୍ରାସ ପାଇଁ ୩ ବର୍ଷରେ ୬୨୮୪ କୋଟି ଖର୍ଚ୍ଚ ହେବ । ଏଥିରେ ରାଜ୍ୟ ସରକାରଙ୍କ ୨୩୪୨ କୋଟି ରହିବ ଯାହାକୁ ଗ୍ରୀନ୍ ସିଗନାଲ୍ ମିଳିଛି ।

ସେପଟେ, କଟକ ରିଂ ରୋଡର ଖାନନଗର ଠାରୁ ଲିଙ୍କ୍ ରୋଡ୍ ଯାଏ ୬ ଥାକିଆ ରାସ୍ତାର ଉନ୍ନତିକରଣ କାମ ହେବ । ଏଥିପାଇଁ ଆରକେଜି କନଷ୍ଟ୍ରକ୍ସନର ୧୨୧.୬୫ କୋଟି ଟେଣ୍ଡରକୁ ମଧ୍ୟ କ୍ୟାବିନେଟ୍ ମଞ୍ଜୁରୀ ଦିଆଯାଇଛି । ଓଡ଼ିଶା ଲଘୁ ଖଣିଜ ରିହାତି ନିୟମ, ୨୦୧୬ରେ ସଂଶୋଧନ ପ୍ରସ୍ତାବକୁ ମଧ୍ୟ ମଞ୍ଜୁରୀ ପ୍ରଦାନ କରାଯାଇଛି । ଓଡ଼ିଶା ସ୍ପେସିଫାଇଡ୍ ଲଘୁ ଖଣିଜ ନିଲାମ ନିୟମ,୨୦୧୯ର ସଂଶୋଧନକୁ ମଞ୍ଜୁରୀ ଦେଇଛି ରାଜ୍ୟ କ୍ୟାବିନେଟ୍ ।

Leave a Reply

Your email address will not be published. Required fields are marked *