Bus Accident : ମୟୂରଭଞ୍ଜରେ ବଡ଼ ବସ୍ ଦୁର୍ଘଟଣା ! ୪୨ ଯାତ୍ରୀଙ୍କୁ ନେଇ ଦିଲ୍ଲୀ ଯାଉଥିବା ଶ୍ୟାମଳୀ ବସ୍ ଓଲଟିଲା, ୨ ଗୁରୁତର

ମୟୂରଭଞ୍ଜରେ ଭୟଙ୍କର ସଡ଼କ ଦୁର୍ଘଟଣା। ଭୋର୍ ୩ଟାରେ ଓଲଟି ପଡ଼ିଲା ଯାତ୍ରୀବାହୀ ବସ୍। ଭୁବନେଶ୍ୱରରୁ ଦିଲ୍ଲୀ ଅଭିମୁଖେ ଯାଉଥିବା ଶ୍ୟାମଳୀ ବସ୍ ଦୁର୍ଘଟଣାଗ୍ରସ୍ତ। ବସ୍‌ରେ ଥିଲେ ପ୍ରାୟ ୪୨ ଜଣ ଯାତ୍ରୀ। ଦୁର୍ଘଟଣାରେ ୨ ଜଣ ଗୁରୁତର ହୋଇଥିବା ବେଳେ ଅନ୍ୟ ଅନେକ ଯାତ୍ରୀ ଆହତ ହୋଇଛନ୍ତି। ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ଅନ୍ତର୍ଗତ ୧୮ ନମ୍ବର ଜାତୀୟ ରାଜପଥରେ ଘଟିଛି ଏହି ଦୁର୍ଘଟଣା।

ସୂଚନା ଅନୁସାରେ, ବୁଧବାର ଭୋର୍ ପ୍ରାୟ ୩ଟା ସମୟରେ ଯାତ୍ରୀମାନଙ୍କୁ ନେଇ ଦିଲ୍ଲୀ ଅଭିମୁଖେ ଯାଉଥିଲା ଶ୍ୟାମଳୀ ନାମକ ଘରୋଇ ବସ୍। ଝାରପୋଖରିଆ ବଜାର ନିକଟରେ ହଠାତ୍ ବସ୍‌ଟି ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟି ପଡ଼ିଥିଲା। ପ୍ରାଥମିକ ରିପୋର୍ଟ ଅନୁସାରେ, ବସ୍‌ଟି ଏକ ଡିଭାଇଡରରେ ଧକ୍କା ହେବା ପରେ ଓଲଟି ପଡ଼ିଥିବା କୁହାଯାଉଛି।

ଦୁର୍ଘଟଣା ସମୟରେ ଅଧିକାଂଶ ଯାତ୍ରୀ ଶୋଇଥିଲେ। ହଠାତ୍ ଏଭଳି ଅଘଟଣ ଘଟିବାରୁ ଯାତ୍ରୀମାନଙ୍କ ମଧ୍ୟରେ ଭୟ ଓ ଆତଙ୍କ ଖେଳିଯାଇଥିଲା। ବସ୍ ଭିତରେ କିଛି ଯାତ୍ରୀ ଫସି ରହିଥିଲେ। ଦୁର୍ଘଟଣା ଖବର ପାଇ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ସହଯୋଗ କରିଥିଲେ।

ଏହାପରେ ଝାରପୋଖରିଆ ପୋଲିସ ସହ ସାରସକଣା ଓ ବାଙ୍ଗିରିପୋଷି ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ଓଲଟି ପଡ଼ିଥିବା ବସ୍ ଭିତରୁ ଯାତ୍ରୀମାନଙ୍କୁ ଉଦ୍ଧାର କରାଯାଇଥିଲା। ଗୁରୁତର ଆହତ ଦୁଇ ଜଣଙ୍କୁ ଶୀର୍ଷା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଯାଇଥିଲା।

ରିପୋର୍ଟ ଅନୁଯାୟୀ, ଜଣେ ଯାତ୍ରୀଙ୍କ ମୁଣ୍ଡରେ ଆଘାତ ଲାଗିଥିବା ବେଳେ ଅନ୍ୟ ଜଣଙ୍କ ହାଡ଼ ଭାଙ୍ଗିଥିବା ସୂଚନା ମିଳିଛି। ଅନ୍ୟ ଆହତମାନଙ୍କୁ ମଧ୍ୟ ଚିକିତ୍ସା ଯୋଗାଇ ଦିଆଯାଇଛି। କେତେକ ଯାତ୍ରୀ ବିକଳ୍ପ ବ୍ୟବସ୍ଥାରେ ନିଜ ଗନ୍ତବ୍ୟସ୍ଥଳକୁ ଯାଇଥିବା ଜଣାପଡ଼ିଛି।

ତେବେ ଦୁର୍ଘଟଣାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଡ୍ରାଇଭରଙ୍କ ଅସାବଧାନତା, ନିଦ ଲାଗିବା ନା ଯାନ୍ତ୍ରିକ ତ୍ରୁଟି ପାଇଁ ଦୁର୍ଘଟଣା ଘଟିଲା, ତାହାର ତଦନ୍ତ ଆରମ୍ଭ କରିଛି ପୋଲିସ।