କିଛି ଦିନ ତଳେ ହତ୍ୟା କରାଯାଇଥିବା ଗ୍ୟାଙ୍ଗଷ୍ଟରରୁ ରାଜନେତା ପାଲଟିଥିବା ଆତିକ ଅହମଦର ପ୍ରୟାଗରାଜ ଚକିଆସ୍ଥିତ ଭଙ୍ଗା ଅଫିସରେ ରକ୍ତର ଛିଟା ଦେଖିବାକୁ ମିଳିଛି। ଆତିକର ଆଫିସ ଭିତରେ ରକ୍ତ ଛିଟା ପଡିଥିବା ସୂଚନା ମିଳିବା ପରେ ପୋଲିସ ସେଠାରେ ଛାନଭିନ ଆରମ୍ଭ କରି ଦେଇଛି। ସେଠାରୁ ରକ୍ତର ଦାଗ ଥିବା ଏକ କପଡା ଓ ଛିରୀକୁ ଉଦ୍ଧାର କରାଯାଇଥିବା ସୂଚନା ଦେଇଛନ୍ତି ପୋଲିସ ଡେପୁଟି କମିଶନର ଦୀପକ ଭୁକାର।
ସୂଚନା ଆଧାରରେ ଘଟଣାସ୍ଥଳକୁ ଯାଇ ଯାଞ୍ଚ କରିଥିବା ଏସିପି ସତେନ୍ଦ୍ର ତିୱାରୀ କହିଛନ୍ତି କି, ଆତିକର ଅଫିସ ନିକଟରେ ଥିବା ପାହଚରେ ରକ୍ତ ଛିଟା ପଡିଥିଲା। ଏଥିସହ, ଏକ ଛୁରୀରେ ରକ୍ତ ଦାଗ ଥିବା ମଧ୍ୟ ଉଦ୍ଧାର କରାଯାଇଛି। ସେହିପରି ଏକ କପଡାରେ ମଧ୍ୟ ରକ୍ତ ମିଳିଛି। ପୋଲିସ, ରକ୍ତ ନମୁନା ସହ ପୋଲିସ ଛୁରୀ ଓ ଉକ୍ତ କପଡା ସଂଗ୍ରହ କରି ଫରେନ୍ସିକ ଲାବୋରେଟୋରୀକୁ ପଠାଇଦେଇଛି। ପ୍ରଶାସନ ଦ୍ୱାରା ଏହି ଅଫିସକୁ ବହୁ ପୂର୍ବରୁ ଭଙ୍ଗା ଯାଇଥିବା ବେଳେ, ଏହା ପରିତ୍ୟକ୍ତ ଅବସ୍ଥାରେ ପଡି ରହିଛି। ଏପରି ସ୍ଥିତିରେ ରକ୍ତ ଆସିଲା କେଉଁଠୁ, କାହାର ରକ୍ତ, କିଏ ହତ୍ୟାକାରୀ ତାକୁ ନେଇ ଅଧିକ ତଦନ୍ତ ପାଇଁ ସେଠାର ସିସିଟିଭି ଯାଞ୍ଚ କରାଯିବ ବୋଲି ତିୱାରୀ କହିଛନ୍ତି।
ସୂଚନାଯୋଗ୍ୟ, ଗତ 15 ତାରିଖ ରାତି 10.35ରେ ଆତିକ ଓ ତାର ଭାଇ ଅସରଫକୁ ମେଡିକାଲ ଯାଞ୍ଚ ପାଇଁ ନେଉଥିଲା। ମେଡିକାଲ ନିକଟରେ ମିଡିଆ ଦୁଇ ଭାଇଙ୍କ ବୟାନ ରେକର୍ଡ କରୁଥିବା ବେଳେ 3 ଜଣ ଯୁବକ ଆତିକ ଓ ଅସରଫ ଉପରକୁ ଆଖିବୁଜା ଗୁଳି ଚଳାଇଥିଲେ, ଯେଉଁଥିରେ ଉଭୟଙ୍କର ମୃତ୍ୟୁ ହୋଇଥିଲା। ରବିବାର ଦିନ ଆତିକ ହତ୍ୟାର ତଦନ୍ତ ପାଇଁ ୟୁପି ସରକାର 2ଜଣିଆ ଏକ ନ୍ୟାୟିକ କମିଶନ ଗଠନ କରିଛି।