ସର୍ବିୟାରେ ଦୁର୍ବୃତ୍ତର ଆଖିବୁଜା ଗୁଳିଚାଳନା, ମୃତ୍ୟୁ ସଂଖ୍ୟା ବଢ଼ିବା ଆଶଙ୍କା

ସର୍ବିୟା ରାଜଧାନୀ ମ୍ଲାଡେନୋଭାକ ସହରରେ ଗୁଳିକାଣ୍ଡ । ଜଣେ ଦୁର୍ବୃତ୍ତର ଆଖିବୁଜା ଗୁଳିମାଡ଼ରେ ୮ ଜଣଙ୍କ ମୃତ୍ୟୁ ଘଟିଛି । ଦୁର୍ବୃତ୍ତଜଣଙ୍କ ଏମିତି କାହିଁକି ଘଟଣା ଘଟାଇଲା ସେ ନେଇ ପ୍ରଶ୍ନ ଉଠିଛି ।

ମ୍ଲାଡେନୋଭାକ ସହରରେ ଗୁଳିମାଡ଼ ପରେ ଭୟର ବାତାବରଣ ଦେଖାଦେଇଛି । ଦୁର୍ବୃତ୍ତର ଗୁଳିରେ ୮ ଜଣ ପ୍ରାଣ ହରାଇଥିବା ବେଳେ ୧୩ ଜଣ ଗୁରୁତର ହୋଇଛନ୍ତି। ଆଖିବୁଜା ଗୁଳିମାଡ଼ ପରେ ଦୁର୍ବୃତ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ଗତ ୨ ଦିନ ମଧ୍ୟରେ ସର୍ବିୟାରେ ଦ୍ୱିତୀୟ ଥର ପାଇଁ ଏପରି ଗୁଳିକାଣ୍ଡ ଘଟିଛି ଯାହା ଲୋକଙ୍କୁ ଟେନସନରେ ପକାଇଛି । ସର୍ବିୟା ରାଜଧାନୀ ବେଲଗ୍ରେଡ୍ ଠାରୁ ପ୍ରାୟ ୬୦ କିଲୋମିଟର ଦୂରରେ ଥିବା ବ୍ୟସ୍ତବହୁଳ ମ୍ଲାଡେନୋଭାକ ସହରରେ ଗତ ରାତିରେ ଏହି ଅମାନବୀୟ କାଣ୍ଡ ଘଟିଥିଲା । ଜଣେ ଦୁର୍ବୃତ୍ତ ଦ୍ରୁତ ଗତିରେ ଏକ ଗାଡ଼ିରେ ଆସି ରାସ୍ତାରେ ଯାଉଥିବା ଲୋକଙ୍କ ଉପରକୁ ଗୁଳି ଚଳାଇଥିଲା । ଏହାପରେ ସେଠାରୁ ସେ ଚମ୍ପଟ ମାରିଛି । ଘଟଣାସ୍ଥଳରେ ୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଗୁରୁତର ୧୩ ଜଣଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ସେଠାରେ ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି ।

ଖବର ପାଇ ପୋଲିସ ସ୍ଥାନୀୟ ଅଞ୍ଚଳରେ ଯାଞ୍ଚ ଆରମ୍ଭ କରିଥିଲା । ସିସିଟିଭି ଫୁଟେଜ୍ ଆଧାରରେ ଖୋଜାଖୋଜିକୁ ଜୋରଦାର କରିଛି । ଏଥିସହ ଘଟଣାସ୍ଥଳରେ ଆକାଶରେ ହେଲିକପ୍ଟର ପଇଁତରା ମାରି ସ୍ଥିତି ଉପରେ ନଜର ରଖିଛି । ଦୁର୍ବୃତ୍ତଜଣକ କିଏ, କ’ଣ ପାଇଁ ଏପରି ଗୁଳିମାଡ଼ କଲା ତାହା ଏଯାଏ ସ୍ପଷ୍ଟ ହୋଇନି। କିଛି ଦିନ ପୂର୍ବେ ଜଣେ ୧୩ ବର୍ଷୀୟ ନାବାଳକ, ନିଜ ସ୍କୁଲରେ ଆଖିବୁଜା ଗୁଳିମାଡ଼ କରିଥିଲା । ଏଥିରେ ୮ ସହପାଠୀଙ୍କ ସମେତ ଜଣେ ସ୍କୁଲ ଗାର୍ଡଙ୍କ ମୃତ୍ୟୁ ହୋଇଥିଲା । ସର୍ବିୟାରେ ଏପରି ଘଟଣା ବଢ଼ି ଚାଲିଥିବାରୁ ସାଧାରଣରେ ଉଦବେଗ୍ ପ୍ରକାଶ ପାଇଛି ।

Leave a Reply

Your email address will not be published. Required fields are marked *