ବଢିଲା ବିଜେଡିର ଶକ୍ତି, ବିରୋଧୀ ଦଳରୁ ଆସି ମିଶିଲେ କିଛି ତୁଙ୍ଗ ନେତା

ବିରୋଧୀ ବିଜେପି ଏବଂ କଂଗ୍ରେସ ନେତଙ୍କ ଭରଷାରେ ବିଜେଡି । ପୁଣି ବିଜେଡିରେ ମିଶିଲେ ବିଜେପି ଓ କଂଗ୍ରେସ ନେତା । ବିଜେଡିରେ ମିଶିଲେ ବିଜେପି ନେତା ପ୍ରଭାସ ପାଣିଗ୍ରାହୀ । ଗତକାଲି ବଲାଙ୍ଗୀର ଜିଲ୍ଲା ବିଜେପି ସଭାପତି ପଦରୁ ଇସ୍ତଫା ଦେଇଥିଲେ ପ୍ରଭାସ । ପେଶାରେ ଜଣେ ଶିକ୍ଷାବିତ ଭାବେ ପରିଚିତ ପ୍ରଭାସ ବଲାଙ୍ଗୀରରେ ବିଜେପିକୁ ସୁଦୃଢ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ତେଣୁ, ତାଙ୍କ ଭଳି ଜଣେ ଦକ୍ଷ ରାଜନେତା ବିଜେପି ଛାଡି ବିଜେଡିରେ ମିଶିବା ପରେ ଦଳର ଶକ୍ତି ବୃଦ୍ଧି ହୋଇଥିବା ସାଂସଦ ସସ୍ମିତ ପାତ୍ର କହିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ପକ୍ଷରୁ ସମସ୍ତଙ୍କୁ ଦଳକୁ ସ୍ୱାଗତ କରିଛନ୍ତି ସାଂସଦ ସସ୍ମିତ ପାତ୍ର ଓ ବଲାଙ୍ଗୀର ବିଜେଡି ବିଧାୟକ ପ୍ରାର୍ଥୀ କଳିକେଶ ନାରାୟଣ ସିଂଦେଓ ।

କଳିକେଶ କହିଛନ୍ତି ମୁଖ୍ଯମନ୍ତ୍ରୀଙ୍କ କାମରୁ ପ୍ରେରଣା ପାଇ ସେ ବିଜେଡିରେ ମିଶିଛନ୍ତି । ମିଶିକି ବଲାଙ୍ଗୀରର ବିକାଶ କରିବୁ ସେପଟେ ଦଳରେ ଭାଇ ପରି କାମ କରିବେ ବୋଲି କହିଛନ୍ତି ପ୍ରଭାସ ପାଣିଗ୍ରାହୀ । କେନ୍ଦ୍ର ବିଜେପି କଂଗ୍ରେସ ମୁକ୍ତ ଭାରତ ନାରା ଦେଉଥିବା ବେଳେ ବଲାଙ୍ଗୀରରେ କଂଗ୍ରେସ ଯୁକ୍ତ ବିଜେପି ଚାଲିଛି । ଯେଉଁଥିପାଇଁ ସେ ବିଜେପି ଛାଡିଲେ । ବିଜେଡିରେ ରହି ସ୍ବାଭିମାନର ସହ ସହଭାଗିତା ନେଇ କାମ କରିବେ ବୋଲି କହିଛନ୍ତି ପ୍ରଭାସ ।

ସେପଟେ ସୁନ୍ଦରଗଡ଼ରେ ଦିନକୁ ଦିନ ବିଜେଡି ସଂଗଠନ ଆହୁରି ସୁଦୃଢ ହେଉଛି । କଂଗ୍ରେସ ଛାଡି ବିଜେଡିରେ ମିଶିଲେ ସୁନ୍ଦରଗଡ଼ ଜିଲ୍ଲା ରଘୁନାଥପାଲୀର ପ୍ରଫୁଲ୍ଲ ସୁନିଆନି । 2009ରେ ସେ କଂଗ୍ରେସ ଟିକେଟରୁ ରଘୁନାଥପାଲୀ ବିଧାନସଭା ନିର୍ବାଚନ ଲଢ଼ି ପରାସ୍ତ ହୋଇଥିଲେ । ଏହି ମିଶ୍ରଣ ଅବସରରେ ସୁନ୍ଦରଗଡ଼ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ପ୍ରୀତି ରଞ୍ଜନ ଘଡ଼ାଇ କହିଲେ, ଏସବୁ ଐତିହାସିକ ମୁହୂର୍ତ୍ତ । ମୁଖ୍ୟମନ୍ତ୍ରୀଙ୍କ ସମୃଦ୍ଧ, ସଶକ୍ତ ନବୀନ ଓଡିଶା କାର୍ଯ୍ୟକ୍ରମରେ ଅନୁପ୍ରାଣିତ ହୋଇ ନେତାମାନେ କଂଗ୍ରେସ ଓ ବିଜେପି ଛାଡି ବିଜେଡିରେ ମିଶୁଛନ୍ତି । ବିଜେଡିରେ ମିଶିବା ପରେ ପ୍ରଫୁଲ୍ଲ ସୁନିଆନି କହିଛନ୍ତି, କଲେଜରେ ପଢ଼ିବା ସମୟରେ ଜନସେବା ପାଇଁ ଇଛା ଥିଲା । ହେଲେ ସୁଯୋଗ ମିଳୁନଥିଲା… ଏବେ ମିଳିଲା । ମୁଖ୍ୟମନ୍ତ୍ରୀଙ୍କ ବିକାଶ ଧାରାରେ ଅନୁପ୍ରାଣିତ ହୋଇ ବିଜେଡିରେ ମିଶିଲି । ଯାହା ଦାୟିତ୍ୱ ମିଳିବ, ସୁଚାରୁ ରୂପେ ତୁଲାଇବି ।

ନିର୍ବାଚନ ଯେତିକି ନିକଟତର ହେଉଛି ରାଜ୍ୟରେ ନେତାଙ୍କ ଦଳ ଢିଆଁ ସେତିକି ବଢ଼ୁଛି । ଫଳରେ କେଉଁ ସଂଗଠନ ସାମାନ୍ୟ ମଜବୁତ ହେଉଛି ତ ଆଉ କିଏ ଟିକିଏ ଦୁର୍ବଳ ହେଉଛି । ହେଲେ ସବୁଠୁ ବଡ଼ କଥା ହେଲା ଦଳ ଡେଉଁଥିବା ନେତାଙ୍କୁ ଜନତା କେତେ ଭରସା କରୁଛନ୍ତି ତାହା ନିର୍ବାଚନ ଫଳାଫଳ ପରେ ହିଁ ଜଣାପଡ଼ିବ ।

Leave a Reply

Your email address will not be published. Required fields are marked *