ମେଡିକାଲକୁ ଆସୁଥିଲେ ରୋଗୀ। ସାଙ୍ଗରେ ରହୁଥିଲେ ପରିବାର ଲୋକ। କିଏ ନିଜ ସମ୍ପର୍କୀୟଙ୍କ ଚିକିତ୍ସା ପାଇଁ ତ ଆଉ କିଏ ଜରୁରୀ ସ୍ୱାସ୍ଥ୍ୟସେବା ପାଇଁ ପହଞ୍ଚୁଥିଲେ ଡାକ୍ତରଖାନାରେ। ହେଲେ ଏହି ସୁଯୋଗକୁ ଅପେକ୍ଷା କରି ରହୁଥିଲେ ବାଇକ୍ ଚୋର। ମେଡିକାଲ ସମ୍ମୁଖରେ ବାଇକ୍ ରଖି ଲୋକେ ଭିତରକୁ ଯିବା ପରେ ଗାଡ଼ି ଚୋରି ହେଉଥିବା ଅଭିଯୋଗ ଆସୁଥିଲା। ଯେଉଁଥିପାଇଁ ଗତ କିଛି ମାସ ହେବ କେନ୍ଦୁଝର ସହରରେ ବାଇକ୍ ଚୋରିକୁ ନେଇ ବଢ଼ିଥିଲା ଚିନ୍ତା।

ବିଶେଷ କରି କେନ୍ଦୁଝର ଧରଣୀଧର ମେଡିକାଲ କଲେଜ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତ ବିଭିନ୍ନ ଚିକିତ୍ସାଳୟ ଅଞ୍ଚଳରୁ ଲଗାତାର ବାଇକ୍ ଚୋରି ହେଉଥିଲା। ଗୋଟିଏ ପରେ ଗୋଟିଏ ଅଭିଯୋଗ ପୋଲିସ ପାଖରେ ପହଞ୍ଚିବା ପରେ ଘଟଣାକୁ ଗୁରୁତ୍ୱର ସହ ନେଇଥିଲା କେନ୍ଦୁଝର ଟାଉନ ଥାନା ପୋଲିସ। ଆରମ୍ଭ ହୋଇଥିଲା ତଦନ୍ତ। ବିଭିନ୍ନ ଚୋରି ଘଟଣାର ଖୋଳତାଡ଼ କରିବା ପରେ ଶେଷରେ ବାଇକ୍ ଚୋରି ରାକେଟର ସୁରାକ୍ ପାଇଥିଲା ପୋଲିସ।
ତଦନ୍ତ ଆଧାରରେ ଏହି ରାକେଟରେ ସମ୍ପୃକ୍ତି ଅଭିଯୋଗରେ ୨ ଜଣଙ୍କୁ ଗିରଫ କରାଯାଇଛି। ଏଥିସହ ସେମାନଙ୍କ ନିକଟରୁ ୧୧ଟି ଚୋରା ବାଇକ୍ ଜବତ କରିବାରେ ସଫଳ ହୋଇଛି ପୋଲିସ। ଦୀର୍ଘଦିନ ଧରି ଚାଲିଥିବା ବାଇକ୍ ଚୋରି ଘଟଣାର ପର୍ଦ୍ଦାଫାସ ପରେ ଏବେ ଏହି ରାକେଟର ଅନ୍ୟ ଦିଗକୁ ନେଇ ତଦନ୍ତ ଜାରି ରହିଛି।
ତେବେ ଏଠି ପ୍ରଶ୍ନ ଉଠୁଛି, ମେଡିକାଲ ଭଳି ଜନଗହଳିପୂର୍ଣ୍ଣ ସ୍ଥାନରୁ ବାରମ୍ବାର ବାଇକ୍ ଚୋରି ହେଉଥିଲା କେମିତି? ଏହି ରାକେଟରେ ଆଉ କେତେଜଣ ସମ୍ପୃକ୍ତ ଅଛନ୍ତି? ଚୋରି ବାଇକ୍ କେଉଁଠି ବିକ୍ରି ହେଉଥିଲା? ଏସବୁ ପ୍ରଶ୍ନର ଉତ୍ତର ଏବେ ପୋଲିସ ତଦନ୍ତରୁ ସ୍ପଷ୍ଟ ହେବ। ଅନ୍ୟପଟେ ମେଡିକାଲ ପରିସର ଓ ଏହାର ଆଖପାଖ ଅଞ୍ଚଳରେ ଗାଡ଼ିର ସୁରକ୍ଷାକୁ ନେଇ ମଧ୍ୟ ଉଠିଛି ପ୍ରଶ୍ନ।