ଚାନ୍ଦବାଲି କରଞ୍ଜମାଳରେ ନିର୍ବାଚନୀ ହିଂସା ନେଇ ଆକ୍ସନମୋଡରେ ଜିଲ୍ଲା ପ୍ରଶାସନ, ଭଦ୍ରକରେ ୧୪୪ ଧାରା ଜାରି

ଭଦ୍ରକ: ଚାନ୍ଦବାଲି ବ୍ଲକ କରଞ୍ଜମାଳରେ ରାଜନୌତିକ ହିଂସାକୁ ନେଇ ଆକ୍ସନମୋଡରେ ଜିଲ୍ଲା ପ୍ରଶାସନ । BJP ଯୁବ ମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡାଙ୍କ ସହ ଅନ୍ୟ ୨୦ ଜଣଙ୍କ ଉପରେ ଚାନ୍ଦବାଲି ନିର୍ବାଚନମଣ୍ଡଳୀ ଅନ୍ତର୍ଗତ କରଞ୍ଜମାଳ ପଂଚାୟତର ଖପୁରିଆ ଛକ ନିକଟରେ ମରଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗରେ ୫ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି । ଆକ୍ରମଣ ପରେ ଗୁରୁତର ଅବସ୍ଥାରେ ଥିବା ୪ ଜଣ ବ୍ୟକ୍ତିଙ୍କର ବାସୁଦେବପୁର ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା କାରାଯିବା ପରେ ସେମାନଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ନିର୍ଦ୍ଧିଷ୍ଟ ରାଜନୈତିକ ଦଳର କର୍ମୀମାନେ ବିପକ୍ଷ ଦଳର କର୍ମୀମାନଙ୍କ ଉପରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଏହାସହ ଗାଡି ଭଙ୍ଗାରୁଜା ହୋଇଥିବାର ଖବର ମଧ୍ୟ ମିଳିଛି । ପୁଲିସ ଘଟଣାସ୍ଥଳରେ ପଂହଚି ସ୍ଥିତିକୁ ନିୟନ୍ତ୍ରଣ ପାଇଁ ଉଦ୍ୟମ ଜାରି ରଖିଛି ।

ସେପଟେ ନିର୍ବାଚନକୁ ଦୃଷ୍ଟିରେ ରଖି, ସୁରକ୍ଷା ନିମନ୍ତେ ଭଦ୍ରକ ଜିଲ୍ଲାର ସବୁ ନିର୍ବାଚନ ମଣ୍ଡଳୀରେ ୧୪୪ ଧାରା କରିଛନ୍ତି ଜିଲ୍ଲାପାଳ । ଆଜି ସନ୍ଧ୍ୟା ୬ଟାରୁ ଜୁନ ୨ ତାରିଖ ପର୍ଯ୍ୟନ୍ତ ଭଦ୍ରକ ଜିଲାରେ ୧୪୪ ଧାରା ଜାରି କରାଯାଇଛି। ଜିଲ୍ଲାରେ ୧୪୪ ଧାରା ଲାଗୁ କରାଯିବା ଦ୍ବାରା ୫ ଜଣରୁ ଅଧିକ ବ୍ୟକ୍ତି ଏକାଠି ହେବା, ବୁଲିବା, ପ୍ରଚାର କରିବା ଆଦି ମନା ହୋଇଛି।

Leave a Reply

Your email address will not be published. Required fields are marked *