ରାଇରଙ୍ଗପୁରରେ ଶହୀଦ ନୁନ୍ଦୁରାମ ସୋରେନଙ୍କ ତୃତୀୟ ଶହୀଦ ବାର୍ଷିକୀ ଦିବସ ପାଳିତ ହୋଇଯାଇଛି। ୧୬ ଜୁନ ୨୦୨୦ ମସିହାରେ ଚୀନ ସହ ଗଲୱାନ ଘାଟିରେ ଯୁଦ୍ଧକରୁଥିବା ସମୟରେ ନୁନ୍ଦୁରାମ ସହିଦ ହୋଇଥିଲେ। ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବ୍ଲକର ବଡ଼ଚମ୍ପାଉଦାରେ ନୁନ୍ଦୁରାମ ସୋରେନଙ୍କ ଜନ୍ମ ହୋଇଥିଲା।
ଦେଶ ମାତୃକା ପାଇଁ ତାଙ୍କ ପ୍ରାଣବଳୀକୁ ମନେ ପକାଇ ଆଜି ତୃତୀୟ ବର୍ଷରେ ଶହୀଦ ଦିବସ ପାଳନ କରୁଛନ୍ତି ସ୍ଥାନୀୟ ଜନସାଧାରଣ। କେବଳ ସେତିକି ନୁହେଁ ନୁନ୍ଦୁରାମଙ୍କ ସ୍ମୃତିରେ ବୀର ଗାଥା ଲୋକାର୍ପଣ କରିବା ସହ ଫୁଟବଲ ଖେଳର ଆୟୋଜନ ମଧ୍ୟ କରାଯାଉଛି। ଯେଉଁଥିରେ ବିଭିନ୍ନ ସ୍ଥାନରୁ ୮ଟି ଟିମ ଯୋଗ ଦେଇଛନ୍ତି। ଏହି ପ୍ରତିଯୋଗୀତାରେ ଯେଉଁ ଟିମ ପ୍ରଥମ ହେବ ତାକୁ ନୁନ୍ଦୁରାମ ସୋରେନ ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ପୁରସ୍କୃତ କରାଯିବ।
ନୁନ୍ଦୁରାମଙ୍କ ସ୍ମୃତି ଉଦ୍ଦେଶ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ BJD ନେତ୍ରୀ ଭାରତୀ ହାଁସଦା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଡଃ ଦେବାଶିଷ ମାରାଣ୍ଡି, ଅଭିଷେକ ପଟ୍ଟନାୟକ, କାଶୀନାଥ ହେମ୍ବ୍ରମଙ୍କ ସମେତ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।