ସକାଳୁ ସକାଳୁ ମାଡ଼ି ବସିଲା ଭିଜିଲାନ୍ସ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଆଜି ନୟାଗଡ଼ ଜିଲ୍ଲା ସରକାରୀ ଅତିରିକ୍ତ ସିଭିଲ୍ ସପ୍ଲାଇ ଅଫିସର ବ୍ରଜେନ୍ଦ୍ର କୁମାର ନାୟକଙ୍କ ଘରେ ଦୁର୍ନୀତି ନିବାରଣ ଟିମ ଚଢ଼ାଉ କରିଛି । ଏକ କାଳୀନ ୫ ଟି ସ୍ଥାନରେ ଚଢ଼ାଉ କରାଯାଇଛି। ପୁରୀ ଓ ଭୁବନେଶ୍ଵରରେ ଥିବା ଏହି ୫ ଟି ସ୍ଥାନରେ ଏବେ ତଲାସି କରୁଛି ତଦନ୍ତକାରୀ ଟିମ।
ଭୁବନେଶ୍ବର ର ଭିମଟାଙ୍ଗି ହାଉସିଂ ବୋର୍ଡ କଲୋନୀର AL55 ପ୍ଲଟ, ରାଜାରାଣୀ କଲୋନୀର ପ୍ଲଟ ନମ୍ବର 384,385 ଥିବା ୨ ଟି ଆବାସିକ ଘର, ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ଅନ୍ତର୍ଗତ ସୁନୁଗରଡି ପୈତୃକ ଗ୍ରାମ ସହ, ସେହି ଗ୍ରାମରେ ଥିବା ଫାର୍ମ ହାଉସ୍ ରେ ଏହି ଚଢ଼ାଉ ହେଉଛି। ତେବେ ଶ୍ରୀ ସାହୁ ଏବେ ସରକାରୀ ନିଳମ୍ବନରେ ଅଛନ୍ତି।
ଚଢାଉରେ ତଦନ୍ତକାରୀ ଦଳକୁ ମିଳିଛି ବିପୁଳ ସମ୍ପତ୍ତି। ଭିମଟାଙ୍ଗି ହାଉସିଂ ବୋର୍ଡ କଲୋନୀର AL55 ପ୍ଲଟ, ରାଜାରାଣୀ କଲୋନୀରେ ତିନି ମହଲାର ଦୁଇଟି ଆବାସିକ ଘର, ନିମାପଡାରେ ଥିବା ଫାର୍ମ ହାଉସ, ନିମାପଡା ମାର୍କେଟ କମ୍ପ୍ଲେକ୍ସରେ ଥିବା ୧୦ ଦୋକାନ ସହ ଏକ ହଲ, ଯାହାକୁ ଓଡିଶା ଗ୍ରାମ୍ୟ ବ୍ୟାଙ୍କକୁ ଭଡାରେ ଦିଆଯାଇଛି। ଭିଜିଲାନ୍ସ ଏହି ଘର ଓ ଦୋକାନ ଘରର ମୂଲ୍ୟାୟନ କରୁଛି। ସେହିପରି ତାଙ୍କ ବ୍ୟାଙ୍କ ଆକାଉଣ୍ଟରେ ୬୦ ଲକ୍ଷ ଟଙ୍କା ଅଛି। ସେ ଗୋଟିଏ ହୋଣ୍ଡା ଆମେଜ କାର ଓ ୨ଟି ଦୁଇ ଚକିଆ ଗାଡିର ମାଲିକ ହୋଇଥିବା ରେଡରୁ ଜଣାପଡିଛି। ରେଡ ଚାଲିଥିବାରୁ ଆଗକୁ ନାୟକଙ୍କ ସମ୍ପତ୍ତିକୁ ନେଇ ଆହୁରି ରୋଚକ ତଥ୍ୟ ଜଣାପଡିବ।