କରମଣ୍ଡ ଟ୍ରେନ ଦୁର୍ଘଟଣାର ଭୟାବହତା ଏବେ ମଧ୍ୟ ତାଜା। ଏବେ ବି ଆତ୍ମୀୟ ସ୍ୱଜନଙ୍କ ପ୍ରତୀକ୍ଷାରେ ପଡିରହିଛି ଶହେରୁ ଅଧିକ ମୃତଦେହ। ତେବେ ଉଭୟ ରାଜ୍ୟ ଓ କେନ୍ଦ୍ର ସହକାରଙ୍କ ପକ୍ଷରୁ ଉଦ୍ଧାର କାର୍ଯ୍ୟରୁ ଆରମ୍ଭ କରି ଚିକିତ୍ସା, ମୃତଦେହ ହସ୍ତାନ୍ତରରୁ ପରିବହନ ସବୁ କିଛି ବେଶ ସୁରୁଖୁରୁରେ କରାଯାଇଛି। ଏହାକୁ ଅଗ୍ରାହ୍ୟ କରାଯାଇ ପାରିବ ନାହିଁ। ହେଲେ ସବୁ ଉତ୍କର୍ସତା ଭିତରେ କିନ୍ତୁ ଗୋଟିଏ ଦିଗ ଦୃଷ୍ଟି ଆଢୁଆଳରେ ଯେମିତି ରହିଯାଇଛି।
ଏହି ଲୌହ ଦାନବର ତାଣ୍ଡବ ଲୀଳାରେ କଣ ଛୋଟଛୋଟ ପିଲା ମୃତାହତ ହୋଇ ନାହାନ୍ତି? କାହିଁ କେଉଁଠି ତ ସେମାନଙ୍କ ସମ୍ପର୍କରେ ସୂଚନା ନାହିଁ। ଏହି ଅଘଟଣ ପୂର୍ବରୁ କ୍ଷତିଗ୍ରସ୍ତ ବଗିଗୁଡିକରେ ମା କୋଳରେ କଣ କୌଣସି କୁନି ପିଲା ନ ଥିଲେ? ସେଦିନ କରମଣ୍ଡଳ ଯାତ୍ରୀ କଣ ସେମାନଙ୍କ ଛିଆ ପିଲାଙ୍କୁ ସାଙ୍ଗରେ ନେଇ ଯାତ୍ରା କରୁ ନ ଥିଲେ? ସେମାନେ ଗଲେ କୁଆଡେ?
ଦୁର୍ଘଟଣା ପରେ ୧୫ ବର୍ଷରୁ ସାନ ପିଲାଙ୍କ ମୃତଦେହ ତ କାହିଁ କୌଣସି ସ୍ଥାନରେ ଦେଖିବାକୁ ମିଳିନଥିଲା। ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ରୋଗୀଙ୍କ ମଧ୍ୟରେ ଥିଲେ ହାତ ଗଣତି କିଛି । ଅନ୍ୟମାନେ କେଉଁଠି ଓ କେମିତି ଅଛନ୍ତି ସେ ନେଇ ତ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟିକରଣ ତ ଆସିନାହିଁ। ଯେଉଁଠି ଭେଣ୍ଡିଆଙ୍କ ଶରୀରକୁ ଖଣ୍ଡବିଖଣ୍ଡିତ ଦେଇଛି ଏହି ଯନ୍ତ୍ର ଦାନବ, ସେଠି ପୂର୍ଣ୍ଣ ଶାରୀରିକ ବିକାଶ ଲାଭକରିନଥିବା ପିଲା ଯେ ସୁରକ୍ଷିତ ଥିବେ ତାହା କିପରି ଚିନ୍ତା କରିହେବ?
ଏହା ବ୍ୟତୀତ ଏହି ମର୍ମନ୍ତୁଦ ଦୁର୍ଘଟଣାରେ ଅନେକ ଶିଶୁ ମଧ୍ୟ ବାପା ବା ମା, ଅଥବା ଉଭୟଙ୍କୁ ହରାଇଥିବେ। ଏମାନଙ୍କ ପାଇଁ ସରକାର କିଛି ପଦକ୍ଷେପ ନେଇଛନ୍ତି ତ? ଏହି ସମ୍ବେଦନଶୀଳ ଦିଗଗୁଡିକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଚାଇଲ୍ଡ ଲାଇନର ନିର୍ଦ୍ଦେଶକ ବେଣୁଧର ସେନାପତି। ତେଣୁ ଟ୍ରେନ ଦୁର୍ଘଟଣାରେ କ୍ଷତିଗ୍ରସ୍ତ ହୋଇଥିବା ପିଲାଙ୍କ ଥଇଥାନ ସରକାରଙ୍କ ଆଶୀର୍ବାଦ ଯୋଜନାରେ କରିବାକୁ ସେନାପତି ଦାବି କରିଛନ୍ତି।