ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରେଳମନ୍ତ୍ରୀଙ୍କୁ ଇସ୍ତଫା ଦେବାକୁ କୁହନ୍ତୁ: ରାହୁଲ ଗାନ୍ଧୀ

ସରକାରୀ ରିପୋର୍ଟ ଅନୁଯାୟୀ, ବାଲେଶ୍ୱର ରେଳ ଦୁର୍ଘଟଣାରେ ୨୭୫ ଜଣ ଲୋକଙ୍କ ମୃତ୍ୟୁ ଘଟିଛି । ହେଲେ ଏଥିପାଇଁ ଦାୟୀ କିଏ ବୋଲି ପ୍ରଶ୍ନ କରିଛି କଂଗ୍ରେସ । ନୈତିକତା ଦୃଷ୍ଟିରୁ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଇସ୍ତଫା ଦେଇଦେବା ଉଚିତ ବୋଲି କଂଗ୍ରେସ କହିଛି । ନଚେତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରେଳମନ୍ତ୍ରୀଙ୍କୁ ଇସ୍ତଫା ଦେବାକୁ କୁହନ୍ତୁ ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧି ଟ୍ୱିଟ୍ କରିଛନ୍ତି ।

ରାହୁଲ ଟ୍ବିଟ କରି ଲେଖିଛନ୍ତି, “୨୭୦ରୁ ଅଧିକ ଲୋକଙ୍କ ମୃତ୍ୟୁ ପରେ ମଧ୍ୟ କୌଣସି ଉତ୍ତରଦାୟୀ ନାହିଁ । ମୋଦି ସରକାର ଏତେ ହୃଦୟ ବିଦାରକ ରେଳ ଦୁର୍ଘଟଣାର ଉତ୍ତରଦାୟିତ୍ୱ ନେବାରୁ ଖସିପାରିବେ ନାହିଁ । ପ୍ରଧାନମନ୍ତ୍ରୀ ତୁରନ୍ତ ରେଳ ମନ୍ତ୍ରୀଙ୍କ ଠାରୁ ଇସ୍ତଫା ନେବା ଆବଶ୍ୟକ।”

ଏହି ଭୟାନକ ଦୁର୍ଘଟଣାକୁ ନେଇ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ମଧ୍ୟ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନବାଣରେ ଛନ୍ଦିଛନ୍ତି । ଖଡଗେ କହିଛନ୍ତି, ସ୍ୱାଧୀନ ଭାରତର ଏହା ସବୁଠାର ଭୟଙ୍କର ରେଳ ଦୁର୍ଘଟଣା । ବିଜ୍ଞାପନରେ ବିଶ୍ବାସ ରଖୁଥିବା ସରକାରଙ୍କ କାର୍ଯ୍ୟ କରିବା ପ୍ରଣାଳୀର ଅସଲ ଚେହେରା ସାମ୍ନାକୁ ଆସିଛି ।

ଖଡଗେ ପ୍ରଶ୍ନ କରି ଆହୁରି କହିଛନ୍ତି, ରେଳବାଇରେ ୩ ଲକ୍ଷ ପଦ ଖାଲି ପଡ଼ିଛି, ତାହା କେବେ ପୂରଣ ହେବ । ସେହିପରି ଆଧିକାରୀକ ସ୍ତରର ଅନେକ ପଦବୀ ମଧ୍ୟ ଖାଲି ପଡିଛି । ଆଉ ଏହି ଖାଲି ପଡିଥିବା ପଦର ନିଯୁକ୍ତି ପିଏମଓ ଦେଇଥାଏ । କେନ୍ଦ୍ରରେ ମୋଦି ସରକାର ୯ ବର୍ଷ ରହିଛି, ହେଲେ ଏହି ୯ ବର୍ଷ ଭିତରେ କାହିଁକି ଖାଲି ପଡିଥିବା ପୂରଣ କରାଗଲା ନାହିଁ ବୋଲି ଖଡଗେ ପ୍ରଶ୍ନ କରିଛନ୍ତି ।

Leave a Reply

Your email address will not be published. Required fields are marked *