ପରକିୟା ପ୍ରୀତି ପାଇଁ ପାଷାଣ୍ଡ ସ୍ୱାମୀ ସାଜିଲା ପିଶାଚ

ଯାହା ମଥାରେ ସିନ୍ଦୁର ଦେଇ ସାତ ଜନ୍ମର ସାଥି କରିଥିଲା, ଆଉ ସାରା ଜୀବନ ଏକାଠି ସୁଖରେ ଘର ସଂସାର କରିବାକୁ ସ୍ୱପ୍ନ ଦେଖାଇଥିଲା, ସେହି ପାଷାଣ୍ଡ ସ୍ୱାମୀ ନିଜ ହାତରେ ଆଜି ନିଜର ସ୍ତ୍ରୀକୁ ମାରିଦେଇଥିବା ଅଭିଯୋଗ ହୋଇଛି। ଏନେଇ ଜମ୍ୱୁ ସାମୁଦ୍ରିକ ଥାନାରେ ସ୍ତ୍ରୀଙ୍କ ପରିବାର ପକ୍ଷରୁ ଏକ ଅଭିଯୋଗ ହୋଇଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚହଳ ଖେଳିଯାଇଛି।

କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଲକ ଜମ୍ବୁ ସାମୁଦ୍ରିକ ଥାନା ଅଧୀନ ଜମ୍ବୁ ଗାଁର  ମାନସ ସୁରଙ୍କୁ  ତନ୍ତୀଆ ପାଳ ସାମୁଦ୍ରିକ ଥାନା ଅଧୀନ କଂସାର ବଡ଼ ଦାଣ୍ଡୁଆ ଗାଁର ଉମାକାନ୍ତ ଗିରିଙ୍କ ଝିଅ କଳ୍ପନା ଗିରିକୁ ୨୦୨୦ ମସିହାରେ  ବୈଦିକ ମତେ ବିବାହ କାରିଥିଲେ।  ବିବାହ ପରେ ଉଭୟଙ୍କ ଦାମ୍ପତ୍ୟ ଜୀବନ  ହସ ଖୁସିରେ ଚାଲୁଥିଲା। କଳ୍ପନାଙ୍କ ଆଖିରେ ଆଖିଏ ସ୍ୱପ୍ନ ଭରିଦେଇଥିଲେ ମାନସ। କିନ୍ତୁ ଏହି ସୁଖ ଥିଲା ସ୍ୱଳ୍ପ। ବିବାହର ଏକ ବର୍ଷ ପରେ ପରିବାର ମଧ୍ୟରେ ଛୋଟ ଛୋଟ କଥାକୁ ନେଇ ଅଶାନ୍ତି ସୃଷ୍ଟି ହୋଇଥିଲା।  ଏଥିନେଇ ମାନସ, ସ୍ତ୍ରୀ କଳ୍ପନାକୁ ମାଡ଼ ପିଟି କରୁଥିଲେ ଓ କଳ୍ପନା ଉପରେ ଚାପ ପକାଉଥିଲେ କି, ତୁ ତୋ ବାପ ଘରକୁ ଯାଆ, ମୁଁ ଆଉ ଗୋଟେ ବିବାହ କରିବି। ଏନେଇ କଳ୍ପନା ନିଜ ବାପା ଓ ମାଙ୍କୁ ଫୋନ ଯୋଗେ ଜଣାଇଥିଲେ। ଏମିତିକି କଳ୍ପନାଙ୍କ ଘର ଲୋକଙ୍କ ପକ୍ଷରୁ ଗାଁ ଲୋକଙ୍କୁ ଜଣାଯାଇଥିଲା ଓ ନ୍ୟାୟ ନିଶାପ ବସିଥିଲା। ଭଲଲୋକିଙ୍କ ହସ୍ତକ୍ଷେପ ପରେ ସବୁ ଠିକ ହେବ, ଆଉ କଳ୍ପନାଙ୍କୁ ମାଡପିଟ ହେବ ନାହିଁ ବୋଲି ମାନସଙ୍କ ପରିବାର ପକ୍ଷରୁ ଆଶ୍ୱସ୍ତ କରାଯାଇଥିଲା। କିନ୍ତୁ ଗତ ରାତିରେ କଳ୍ପନାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହେଉଛି।   

ଏବେ କଳ୍ପନାଙ୍କ ସନ୍ଦେହଜନକ ମୃତ୍ୟୁ ପରେ କଳ୍ପନାଙ୍କ ପରିବାର ପକ୍ଷରୁ ଥାନାରେ ହତ୍ୟା ଅଭିଯୋଗ କରାଯାଇଛି। ମାନସ ଅନ୍ୟ ମହିଳାଙ୍କ ସହିତ ସଂପର୍କ ରଖିଥିଲେ ଓ ସେହି ମହିଳାଙ୍କୁ ବିବାହ କରିବାକୁ କଳ୍ପନାଙ୍କୁ ଗତ କାଲି ରାତିରେ ବାଡେଇ ବାଡେଇ ମାରିଦେଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ପରେ ଜମ୍ବୁ ସାମୁଦ୍ରିକ ଥାନା ପୋଲିସ ଘଟଣାସ୍ଥଳରେ ପହଁଚି ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ମାନସକୁ ଥାନାରେ ଅଟକ ରଖି ତଦନ୍ତ କରୁଛି।

Leave a Reply

Your email address will not be published. Required fields are marked *