୧୫ ଦିନ ଭିତରେ ରିପୋର୍ଟ ଦେବାକୁ ଡିସିପିଙ୍କୁ ନିର୍ଦ୍ଦେଶ

ଭୁବନେଶ୍ବର ନୟାପଲ୍ଲୀ ଦୁଷ୍କର୍ମ ଘଟଣାକୁ ବିତିଲାଣି ୨ ଦିନ । ହେଲେ, ଏପର୍ଯ୍ୟନ୍ତ ମିଳୁନି ଅଭିଯୁକ୍ତର ପତ୍ତା। କେଉଁ ପାତାଳରେ ଲୁଚିଛି ଯେ ତାହାର ଟେର ପାଉନି ପୋଲିସ । ଗତ ବୁଧବାର ସନ୍ଧ୍ୟାର ଅନ୍ଧକାରରେ ଆସିଲା ଆଉ କବାଟ ଠକ ଠକ କଲା । ଯୁବତୀ ଜଣଙ୍କ କବାଟ ଖୋଲିବା ପରେ ମୁଣ୍ଡରେ ବନ୍ଧୁକ ଲଗାଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । କେହି କିଛି ଜାଣିବା ପୂର୍ବରୁ ଅଜ୍ଞାତବାସକୁ ଫେରାର ହୋଇଗଲା ଅଭିଯୁକ୍ତ। ଏହି ଘଟଣା ଯେତିକି ଆଶ୍ଚର୍ଯ୍ୟ କରିଛି ମହିଳାଙ୍କ ସୁରକ୍ଷା ପ୍ରତି ମଧ୍ୟ ସେତିକି ପ୍ରଶ୍ନବାଚୀ ଛିଡା କରିଛି । ନୟାପଲ୍ଲୀ ଭଳି ଜନଗହଳିପୂର୍ଣ୍ଣ ସ୍ଥାନ । ଚାରିଆଡେ ଭିଭିଆଇପିଙ୍କ ଘର । ଚତୁଃପାର୍ଶ୍ଵରେ ସିସିଟିଭି। କିନ୍ତୁ ଏସବୁକୁ ଖାତିର ନକରି ମୁଣ୍ଡରେ ବନ୍ଧୁକ ଲଗାଇ ଦୁଷ୍କର୍ମ କରିବା ଘଟଣା ସଭିଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି ।

ତୁରନ୍ତ ଅଭିଯୁକ୍ତକୁ ଧରିବାକୁ ବିଭିନ୍ନ ମହଲରୁ ଦାବି ହେଉଥିବା ବେଳେ ତଦନ୍ତ କରିଛନ୍ତି ମହିଳା କମିଶନ । କ୍ରାଇମସ୍ପଟ୍ ଓ ଥାନାରେ ପହଞ୍ଚି ପୀଡତାଙ୍କ ସହ ଆଲୋଚନା କରିଛନ୍ତି । ଘଟଣାର ୧୫ ଦିନ ଭିତରେ ରିପୋର୍ଟ ଦାଖଲ କରିବାକୁ ଭୁବନେଶ୍ୱର ଡିସିପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମହିଳା କମିଶନ । ପୋଲିସର ତଦନ୍ତ, ସାଇଣ୍ଟିଫିକ୍ ଟିମ୍‌ର ଖୋଳତାଡ଼, ଆଉ ସିସିଟିଭିରେ ଖୋଜା ଚାଲିଛି ଅଭିଯୁକ୍ତର ଚେହେରା ।ପୀଡ଼ିତାଙ୍କ ଅଭିଯୋଗ ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଏଥିପାଇଁ ସ୍ପେଶାଲ ଟିମ୍ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଚଢ଼ାଉ ଓ ଖୋଜାଖୋଜି କରାଯାଉଛି । ଘଟଣାସ୍ଥଳରୁ ସାଇଣ୍ଟିଫିକ୍ ଟିମ୍ ମଧ୍ୟ ବିଭିନ୍ନ ପ୍ରମାଣ ସଂଗ୍ରହ କରିଛି ।ସିସିଟିଭି ଫୁଟେଜ୍ ଯାଞ୍ଚ ସହ ପଡ଼ୋଶୀ ଓ ଅନ୍ୟମାନଙ୍କୁ ପଚରାଉଚରା କରାଯାଇଛି । ପୋଲିସର ତଦନ୍ତରୁ ଘଟଣାର ପ୍ରାୟ ଦୁଇ ଦିନ ପୂର୍ବରୁ ଅଭିଯୁକ୍ତ ସମ୍ପୃକ୍ତ ଅଞ୍ଚଳରେ ବୁଲୁଥିବା ସୂଚନା ମିଳିଥିବା କୁହାଯାଉଛି ।ଅନ୍ୟପଟେ ପୀଡ଼ିତାଙ୍କ ଡାକ୍ତରୀ ପରୀକ୍ଷା ପରେ ତାଙ୍କର ବୟାନ ମଧ୍ୟ ରେକର୍ଡ କରାଯାଇଛି । ଅଭିଯୋଗ ଅନୁସାରେ, ଅଭିଯୁକ୍ତ ମୁହଁ ଢାଙ୍କିଥିବାରୁ ଏବଂ ମୁଖା ପିନ୍ଧିଥିବାରୁ ପୀଡ଼ିତା ତାଙ୍କୁ ଚିହ୍ନଟ କରିପାରିନଥିବା କହିଛନ୍ତି ।ତେବେ ପ୍ରଶ୍ନ ହେଉଛି, କିଏ ସେହି ମୁଖାପିନ୍ଧା ଅଭିଯୁକ୍ତ?ଘଟଣା ପୂର୍ବରୁ ସେ କାହିଁକି ଅଞ୍ଚଳରେ ବୁଲୁଥିଲା? ଘଟଣା ପରେ କେଉଁ ରାସ୍ତାରେ ଫେରାର ହେଲା? ତାକୁ କେହି ସହଯୋଗ କରିଥିଲେ କି? ନା ଏକାକୀ ହିଁ ଫେରାର ହୋଇଗଲା?ଏସବୁ ପ୍ରଶ୍ନର ଉତ୍ତର ଖୋଜୁଛି ପୋଲିସ | ଅର୍ଥାତ୍ ଗୋଟିଏ ପଟେ ପୋଲିସର ସ୍ପେଶାଲ ଟିମ୍ ଅଭିଯୁକ୍ତକୁ ଖୋଜୁଛି, ଅନ୍ୟପଟେ ମହିଳା କମିଶନ ଘଟଣାର ତଦନ୍ତ ଓ ପୋଲିସର କାର୍ଯ୍ୟାନୁଷ୍ଠାନ ଉପରେ ନଜର ରଖିଛନ୍ତି ।୩ ଦିନ ବିତିଲା… ଅଭିଯୁକ୍ତ କେଉଁଠି?ନୟାପଲ୍ଲୀ ଘଟଣାକୁ ନେଇ ଏବେ ସବୁଠୁ ବଡ଼ ପ୍ରଶ୍ନ । ଅଭିଯୁକ୍ତ ଯେତେ ଶୀଘ୍ର ଧରାପଡ଼ିବ, ସେତେ ଶୀଘ୍ର ଘଟଣାର ପୂରା ସତ୍ୟ ସାମ୍ନାକୁ ଆସିବ । କେଉଁଠି ଲୁଚିଛି, କାହାର ସହାୟତା ନେଉଛି, କିପରି ଫେରାର ହେଲା,ତଦନ୍ତ ଆଗକୁ ବଢ଼ିବା ସହ ଏସବୁ ପ୍ରଶ୍ନର ଉତ୍ତର ମିଳିବାର ଆଶା ରହିଛି ।ତେବେ ଦେଖାଯାଉ ପୋଲିସ କେବେ ସେହି ମୁଖାପିନ୍ଧା ଅଭିଯୁକ୍ତକୁ ଗିରଫ କରୁଛି ।