
ବହିରେ ତ୍ରୁଟି,ତାତିଲା ରାଜନୀତି| ରାଜରାସ୍ତାରୁ ବିଧାନସଭା, ସବୁଠି ଗୋଟିଏ ପ୍ରଶ୍ନ, ବହି ତ୍ରୁଟି ପାଇଁ ଦାୟୀ କିଏ?
ସ୍କୁଲ୍ ବହିରେ ଭୁଲକୁ ନେଇ ଏବେ ଓଡ଼ିଶା ରାଜନୀତିରେ ବଡ ଝଡ଼। ବିରୋଧୀ ବିଜେଡି ରାଜରାସ୍ତାରେ ଆନ୍ଦୋଳନ କରୁଛି, ବିଧାନସଭାରେ ମଧ୍ୟ ଏହି ପ୍ରସଙ୍ଗକୁ ନେଇ ହଙ୍ଗାମା ଚାଲିଛି । ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବିରେ ବିରୋଧୀଙ୍କ ଆନ୍ଦୋଳନ ଜୋର ଧରିଛି। ତେବେ ଏହି ବିବାଦ ଭିତରେ ଏବେ ରାଜନୈତିକ ମହଲରେ ଆଉ ଏକ ପ୍ରଶ୍ନ ଚର୍ଚ୍ଚାକୁ ଆସିଛି | ଯଦି ନିତ୍ୟାନନ୍ଦ ଗଣ୍ଡ ପଦ ଛାଡ଼ନ୍ତି, ତେବେ ପରବର୍ତ୍ତୀ ଗଣଶିକ୍ଷା ମନ୍ତ୍ରୀ ହେବ କିଏ?, ଏହା ଏବେ କେବଳ ରାଜନୈତିକ ଆଲୋଚନା ନୁହେଁ, ଏହା ଏବେ ରାଜ୍ୟ ରାଜନୀତିର ଚର୍ଚ୍ଚାର ବିଷୟ ପାଲଟିଛି।

ଏହି ଚର୍ଚ୍ଚା ଭିତରେ ଗୋଟିଏ ନାଁକୁ ନେଇ ମଧ୍ୟ ଆଲୋଚନା ହେଉଛି, ବ୍ରହ୍ମପୁରର ଟାଣୁଆ ନେତା ସମୀର ଦାସ|ଦିନେ ବିଜେଡିର ରାଜନୀତିରେ ଚର୍ଚ୍ଚିତ ଚେହେରା, ଆଜି ବିଜେପିର ରାଜନୈତିକ ପରିସରରେ ସକ୍ରିୟ ଚେହେରା|ଆଉ ଏବେ ଗଣଶିକ୍ଷା ବିଭାଗକୁ ନେଇ ଚର୍ଚ୍ଚାରେ ତାଙ୍କରି ନାଁ!ସମୀର ଦାସଙ୍କ ରାଜନୈତିକ ଅଭିଜ୍ଞତା ଏହି ଚର୍ଚ୍ଚାକୁ ଆହୁରି ଗରମ କରୁଛି।ବିଶେଷକରି ଶିକ୍ଷା ବିଭାଗକୁ ନେଇ ଆଲୋଚନା ହେଲେ ସମୀର ଦାସଙ୍କ ନାଁ କାହିଁକି ସାମ୍ନାକୁ ଆସୁଛି, ସେନେଇ ରାଜନୈତିକ ମହଲରେ ଚର୍ଚ୍ଚା ଚାଲିଛି।କିନ୍ତୁ ଏଠି ଟ୍ୱିଷ୍ଟ୍ ହେଉଛି, ଚର୍ଚ୍ଚା ଅଛି, ହେଲେ ଘୋଷଣା ନାହିଁ।ସମୀର ଦାସ ଏବେ ବିଜେପିରେ ସକ୍ରିୟ ରହିଛନ୍ତି ଏବଂ ୨୦୨୬ ମସିହାରେ ବିଭିନ୍ନ ରାଜନୈତିକ ପ୍ରସଙ୍ଗରେ ବିଜେପି ପକ୍ଷରୁ ମତ ରଖୁଥିବା ଦେଖାଯାଇଛି।ଯଦି ମନ୍ତ୍ରୀ ପରିବର୍ତ୍ତନର ପରିସ୍ଥିତି ଆସେ, ସମୀର ଦାସଙ୍କ ନାଁ କେବଳ ଆଲୋଚନାରେ ରହିବ ନା ଦଳୀୟ ନିଷ୍ପତ୍ତିରେ ଆଗକୁ ଆସିବ?ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ | ଆଉ ଏପଟେ ବହି ତ୍ରୁଟି ପ୍ରସଙ୍ଗରେ ସରକାର ମଧ୍ୟ ପଦକ୍ଷେପ ନେଇଛନ୍ତି । ସରକାରୀ ତଦନ୍ତ ପରେ କିଛି ଅଧିକାରୀଙ୍କ ବିରୋଧରେ ନିଲମ୍ବନ ଓ ଶୃଙ୍ଖଳାଗତ ପଦକ୍ଷେପ ନିଆଯାଇଛି। ସଂଶୋଧିତ ବହି ପ୍ରସ୍ତୁତି ଓ ବଣ୍ଟନ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି।ସେପଟେ ନିକଟରେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ବିଧାନସଭାରେ କହିଛନ୍ତି, ଶ୍ରେଣୀ ପ୍ରଥମ ରୁ ଅଷ୍ଟମ ପର୍ଯ୍ୟନ୍ତ ବହିରେ ମୋଟ ୧,୭୪୧ଟି ତ୍ରୁଟି ଚିହ୍ନଟ ହୋଇଛି। ଏଥିରେ ତଥ୍ୟ ଓ ଧାରଣାଗତ ଭୁଲ ସହ ବ୍ୟାକରଣ, ଟାଇପ୍ ଓ ବନାନ ଭୁଲ ମଧ୍ୟ ରହିଛି।ଏହି ସଂଖ୍ୟା ସାମ୍ନାକୁ ଆସିବା ପରେ ବିରୋଧୀଙ୍କ ଆକ୍ରମଣ ଆହୁରି ତୀବ୍ର ହୋଇଛି।ବିଜେଡି କହୁଛି, ବହିରେ ଏତେ ବଡ଼ ତ୍ରୁଟି ପାଇଁ ମନ୍ତ୍ରୀଙ୍କୁ ନୈତିକ ଦାୟିତ୍ୱ ନେବାକୁ ପଡ଼ିବ।ଅନ୍ୟପଟେ ସରକାରୀ ପକ୍ଷରୁ କୁହାଯାଉଛି, ତ୍ରୁଟି ପାଇଁ ଦାୟୀ ଅଧିକାରୀଙ୍କ ବିରୋଧରେ ଆକ୍ସନ୍ ନିଆଯାଇଛି ଏବଂ ସଂଶୋଧନ ପ୍ରକ୍ରିୟା ଚାଲିଛି| ତେବେ ରାଜନୀତିର ତାତି ଏତିକିରେ ଥମୁନି। ଗୋଟିଏ ପଟେ ବିଜେଡିର ଇସ୍ତଫା ଦାବି, ଆଉ ଗୋଟିଏ ପଟେ ସରକାରର ସଫେଇ|ମଝିରେ ଲକ୍ଷ ଲକ୍ଷ ପିଲାଙ୍କ ପାଠପଢ଼ା| ଆଉ ଏହି ସବୁ ଭିତରେ ଯଦି କେବେ ମନ୍ତ୍ରୀ ପରିବର୍ତ୍ତନର ପରିସ୍ଥିତି ଆସେ, ତେବେ କିଏ ହାତରେ ଧରିବେ ସ୍କୁଲ୍ ଓ ଗଣଶିକ୍ଷା ବିଭାଗର ଦାୟିତ୍ୱ, ତାହା ଉପରେ ସମସ୍ତଙ୍କର ନଜର ରହିଛି ।ସମୀର ଦାସଙ୍କ ନାଁକୁ ନେଇ ଚର୍ଚ୍ଚା ଜୋର ଧରିଥିଲେ ବି, ଏପର୍ଯ୍ୟନ୍ତ ଏହା ନିଶ୍ଚିତ ହୋଇ ନାହିଁ |ବହି ତ୍ରୁଟିରେ ତାତିଥିବା ରାଜନୀତି ଭିତରେ ହେବ କି ମନ୍ତ୍ରୀ ପରିବର୍ତ୍ତନ?ନିତ୍ୟାନନ୍ଦଙ୍କ ପରେ କିଏ ଧରିବେ ଗଣଶିକ୍ଷାର ଦାୟିତ୍ୱ?ଆଉ ଚର୍ଚ୍ଚାରେ ଥିବା ସମୀର ଦାସଙ୍କ ନାଁ କେବଳ ଚର୍ଚ୍ଚାରେ ରହିବ, ନା ସାମ୍ନାକୁ ଆସିବ ନୂଆ ସମୀକରଣ? ଏହାର ଉତର ଆଗାମୀ ରାଜନୀତିକ ପଦକ୍ଷେପରେ ହିଁ ଜଣାପଡିବା