ସୁବର୍ଣ୍ଣପୁର ଜିଲ୍ଲା ବୀରମହରାଜପୁର ମୁଖ୍ୟ ପ୍ରାଣୀ ଚିକିତ୍ସାଳୟର କିରାଣି ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ। କିରାଣି ଗୋଲକ ବିହାରୀ ପୋଢ୧୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ଏରିଅର ବିଲ୍ କରାଇ ଦେବାକୁ ୧୫ ହଜାର ଟଙ୍କା ଲାଞ୍ଚ ଦାବି କରିବା ସହ ନେଉଥିବା ବେଳେ ଭିଜିଲାନ୍ସ ମାଡିବସିଛି।
ସୂଚନା ମୁତାବକ, ବୀରମହାରାଜପୁର ଏସଡିଭିଓ କାର୍ଯ୍ୟାଳୟର ଜୁନିୟର ଆସିଷ୍ଟାଣ୍ଟ ତଥା ସିଡିଭିଓ କାର୍ଯ୍ୟାଳୟରେ କିରାଣି ଭାବେ କାର୍ଯ୍ୟ କରୁଛନ୍ତି ଗୋଲକ ବିହାରୀ ପୋଢ଼। ଉଲୁଣ୍ଡା ବ୍ଲକ ସିଣ୍ଢଲ ପ୍ରାଣୀଧନ ନିରୀକ୍ଷକ ନାରାୟଣ ମେହେରଙ୍କ ଏରିଅର ଟଙ୍କା ପଡିରହିଥିଲା। ଏହି ଟଙ୍କା ରିଲିଜ କରିବାକୁ ସେ ଗୋଲକ ବିହାରୀଙ୍କ ନିକଟକୁ ବାରମ୍ବାର ଧାଇଁଥିଲେ। ବକେୟା ଟଙ୍କା ରିଲିଜ କରିବାକୁ ଗୋଲକ ବିହାରୀ ପୂର୍ବରୁ ମେହେରଙ୍କଠାରୁ ୨୦ହଜାର ଟଙ୍କା ନେଇଥିଲେ। କିନ୍ତୁ କାମ କରିନଥିଲେ। ପରେ ପୁଣି ସେ ମେହେରଙ୍କୁ ଆଉ ୧୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ।
ଏହାକୁ ନେଇ ମେହେର ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ଏନେଇ ଭିଜିଲାନ୍ସ ଏକ ଏଫଆଇଆର ଦାୟର କରିବା ସହ ତାଙ୍କୁ ଧରିବାକୁ ଜାଲ ବିଛାଇଥିଲା। ଆଜି ସିଡିଭିଓ କାର୍ଯ୍ୟାଳୟ ପରିସରରେ ଥିବା ସରକାରୀ କ୍ୱାର୍ଟରରେ ଅଭିଯୋଗକାରୀ ପହଞ୍ଚି ଗୋଲକ ବିହାରୀଙ୍କୁ ୧୫ ହଜାର ଟଙ୍କା ଲାଞ୍ଚ ଦେଇଥିଲେ। ଏହି ସମୟରେ ସେଠାରେ ଜଗି ରହିଥିବା ଭିଜିଲାନ୍ସ ଟିମ ଗୋଲକଙ୍କ ଘରେ ଅତର୍କିତ ଚଢ଼ାଉ କରି ଲାଞ୍ଚ ଟଙ୍କା ଜବତ କରିବା ସହ ଗୋଲକ ବିହାରୀଙ୍କୁ ଗିରଫ କରିଛି। ଭିଜିଲାନ୍ସ ପକ୍ଷରୁ ଗୋଲକ ବିହାରୀଙ୍କ ଘର ଓ ଅଫିସରେ ପହଞ୍ଚି ଖୋଳତାଡ କରିଛି। ସମ୍ୱଲପୁର ଭିଜିଲାନ୍ସ ଘଟଣାରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି।
ସିଡିଭିଓ କାର୍ଯ୍ୟାଳୟରେ ଗୋଲକ ଡେପୁଟେସନରେ କାର୍ଯ୍ୟ କରୁଛନ୍ତି। ତାଙ୍କଠାରୁ ୧୫ ହଜାର ଟଙ୍କା ଜବତ କରାଯାଇଛି। ଏହାଛଡ଼ା ଦୁଇଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢାଉ ଚାଲିଛି।