ଆଗେଇ ଚାଲିଛି ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ

ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ତିନି ରଥ ନିର୍ମାଣ ବେଶ୍ ଆଗେଇ ଚାଲିଛି । ସମୟ ଅନୁଯାୟୀ ସଠିକ୍ ସମୟରେ ସବୁ କାର୍ଯ୍ୟ କରାଯାଉଛି । ତେବେ ତିନି ରଥର ସମ୍ପୂର୍ଣ ଅଖ ଚକ ସଂଯୋଗ ହୋଇ ସାରିଛି । ଭୋଇ ସେବକ ମାନେ ଏହି କାର୍ଯ୍ୟ ସମ୍ପାଦନ କରିଥଲେ । ତେବେ ରଥ ଖଳାରେ ଚାରି ନାହାକା ଓ ଗର ଗରା କାର୍ଯ୍ୟ ଚାଲୁ ରହିଛି । ତିନି ରଥର ଦୁଇଟି ଲେଖାଁଏ ୨୦ ଫୁଟିଆ ଆଗଆଣି, ପଛଆଣି “ଦଣ୍ଡା ମୁହାଁଟି”ର ଅନୁକୂଳ ପୂଜା ପରେ ବିନ୍ଧ କାମ ଆରମ୍ଭ ହୋଇ ଶେଷ ହୋଇଛି । ଏହି ଦଣ୍ଡାମୁହାଁଟି ତିନି ରଥର ପାଞ୍ଚ ଦଣ୍ଡାରେ ଆଗ ଏବଂ ପଛ ଭାଗରେ ସଂଯୋଗ ହେବ, ପ୍ରତି ଦଣ୍ଡା ମୁହାଁଟିରେ ପାଞ୍ଚୋଟି ଲେଖାଁଏ ବିନ୍ଧ କରାଯାଇଛି । ତିନି ରଥର ୧୨ଟି ଲେଖାଁଏ ଭୂଇଁ ଚଉତାର ବିନ୍ଧ ଅନୁକୂଳ ପୂଜା ମୁଖ୍ୟ ମହାରଣାଙ୍କ ଦ୍ୱାରା ସମ୍ପନ୍ନ ପରେ ତିନି ରଥର ମହାରଣା ମାନେ ପ୍ରତି ଚଉତାର ଦୁଇ ପାର୍ଶ୍ଵରେ ଦୁଇଟି ଲେଖାଁଏ ବିନ୍ଧ କାର୍ଯ୍ୟ ଶେଷ କରିଛନ୍ତି ।

ତିନି ରଥ ଚାଳିକୁ ପ୍ରଥମ ପର୍ଯ୍ୟାୟରେ ଯୋଗାଇ ଦିଆ ଯାଇଥିବା ୨୦ ଫୁଟିଆ ୮ଟି ଲେଖାଁଏ “୧୪ ନାହାକା” କାଠରେ ତିନି ରଥ ମହାରଣା ମାନେ ସେଥିରେ ଆଠ ଅଂଶୀ କୋଣ ବିଶିଷ୍ଟ ନାହାକା ନିର୍ମାଣ ଶେଷ କରିଛନ୍ତି । ତିନି ରଥର ଚାରି ନାହାକା ନିର୍ମାଣ ପାଇଁ ତିନି ରଥ ଚାଳିକୁ ରଥ ଆମୀନ ପ୍ରଥମ ପର୍ଯ୍ୟାୟରେ ଭୋଇ ସେବକଙ୍କ ମାଧ୍ୟମରେ ଦୁଇଟି ଲେଖାଁଏ ୨୦ ଫୁଟିଆ ଧଉରା କାଠ ଯୋଗାଇ ଦେଇଥିଲେ । ଚାରି ନାହାକାର ଚଉପଟ କାଯ୍ୟ ତିନି ରଥର ମହାରଣା ମାନେ ଆରମ୍ଭ କରିଛନ୍ତି । “ଗରଗରା” ନିର୍ମାଣ ପାଇଁ ତିନି ରଥର ଚାଳିକୁ ରଥ ଆମୀନ ଭୋଇ ସେବକଙ୍କ ମାଧ୍ୟମରେ ଦୁଇଟି ଲେଖାଁଏ ୨୦ ଫୁଟିଆ ଧଉରା କାଠ ଯୋଗାଇ ଦେଇଥିଲେ । କରତି ସେବକ ସେଗୁଡିକର ମୁଣ୍ଡ କରତି କଲାପରେ ତିନି ରଥର ମହାରଣା ମାନେ ଗରଗରାର ଚଉପଟ କାଯ୍ୟ ଆରମ୍ଭ କରିଛନ୍ତି।

ଆଜି କରତି ସେବକ ମାନେ ନନ୍ଦିଘୋଷ ରଥର ୪୦ ଫୁଟିଆ ପୋଲ ଗୟଳର ଦୁଇପାର୍ଶ୍ଵ ଚିତା କାର୍ଯ୍ୟ ଶେଷ କରି ଚିରଟ ପାଇଁ ମାପ ଚିହ୍ନ ଦେଇଛନ୍ତି । ତିନି ରଥର ରୂପକାର ସେବକ ମାନେ ରଥର ଗୁଜ ଗୁଡିଜାରେ ରୂପ ଖୋଦେଇ ସହ ରୂପରେ ଅଳଙ୍କାର ତଥା ରୁପାର ପଲିସ କାର୍ଯ୍ୟ ଜାରୀ ରଖିଛନ୍ତି । ଦୋଳବେଦୀ କମାର ଶାଳରେ ଓଝା ସେବକ ମାନେ ତିନି ରଥର ଦଣ୍ଡା ପାଇଁ ଦଣ୍ଡା କଣ୍ଟା ନିର୍ମାଣ ଜାରୀ ରଖିଛନ୍ତି । ତାଳଧ୍ୱଜ ରଥର ଓଝା ସେବକ ମାନେ ତାଳଧ୍ୱଜ ରଥର ଦଣ୍ଡା ପାଇଁ ‘ଅଗପାତେଳି’ରୁ ୪୨ଟି ଏବଂ ‘ଚଉରସ’ କଣ୍ଟାରୁ ୩୫ଟି, ମୋଟ ୭୭ଟି କଣ୍ଟା ନିର୍ମାଣ କରୁଥିବା ବେଳେ ଦର୍ପଦଳନ ରଥର ଓଝା ସେବକ ମାନେ ‘ଅଗ ପାତେଳି’ରୁ ୩୬ ଗୋଟି ଏବଂ ‘ଚଉରସ’ କଣ୍ଟାରୁ ୩୦ଟି ମୋଟ ୬୬ ଗୋଟି ଏବଂ ନନ୍ଦିଘୋଷ ରଥ ଦଣ୍ଡା ପାଇଁ ଓଝା ସେବକ ମାନେ ‘ଅଗପାତେଳି’ରୁ ୪୮ ଟି ଏବଂ ‘ଚଉରସ’ କଣ୍ଟାରୁ ୪୦ଟି ମିଶାଇ ମୋଟ ୮୮ ଗୋଟି କଣ୍ଟା ଆବଶ୍ୟକ ଅନୁଯାୟୀ ନିର୍ମାଣରେ ଲାଗିଛନ୍ତି ।

Leave a Reply

Your email address will not be published. Required fields are marked *