‘ଆମେ ଭଲ ବନ୍ଧୁ, ରାଜନୈତିକ ଚର୍ଚ୍ଚା କରିନୁ’

ବିଜେପି ବିରୋଧୀ ମେଣ୍ଟ ପ୍ରୟାସରେ ଥିବା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଆଜି ନବୀନ ନିବାସ ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି । ଉଭୟଙ୍କ ମଧ୍ୟରେ ପ୍ରାୟ ଦେଢ଼ ଘଣ୍ଟା ଧରି ଆଲୋଚନା ହୋଇଥିଲା । ତେବେ ଏଥିରେ କୌଣସି ରାଜନୈତିକ ଚର୍ଚ୍ଚା କି ମେଣ୍ଟ ନେଇ ଆଲୋଚନା ହୋଇନାହିଁ ବୋଲି ଉଭୟ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି । ଆମେ ପୁରୁଣା ବନ୍ଧୁ ବୋଲି କହି ରାଜନୈତିକ ପ୍ରସଙ୍ଗକୁ ଏଡ଼ାଇ ଦେଇଛନ୍ତି । ବିହାର ତୀର୍ଥଯାତ୍ରୀଙ୍କ ପାଇଁ ପୁରୀରେ ଦେଢ଼ ଏକର ଜମି ମାଗଣାରେ ଯୋଗାଇ ଦେବାକୁ ନବୀନ ଏହି ଅବସରରେ ପ୍ରତିଶ୍ରୁତି ଦେଇଛନ୍ତି ।

ଆଜି ଦିନ ପ୍ରାୟ ୧୨ଟାରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଥିଲେ । ସେଠାରେ ବିଜେଡିର ଦୁଇ ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର ଏବଂ ଅଶୋକ ପଣ୍ଡା ତାଙ୍କୁ ସ୍ୱାଗତ କରିଥିଲେ । ବିମାନବନ୍ଦରରୁ ନୀତୀଶ ସିଧାସଳଖ ନବୀନ ନିବାସ ଆସିଥିଲେ । ନବୀନ ତାଙ୍କୁ ସ୍ୱାଗତ ଜଣାଇ ପାଛୋଟି ନେଇଥିଲେ । ଉଭୟ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ପ୍ରାୟ ଦେଢ଼ ଘଣ୍ଟା ଧରି ଆଲୋଚନା ହୋଇଥିଲା । ଏହା ଭିତରେ ସେମାନେ ମଧ୍ୟାହ୍ନ ଭୋଜନ କରିଥିଲେ ।

ଏହାପରେ ଉଭୟ ମୁଖ୍ୟମନ୍ତ୍ରୀ ବାହାରକୁ ଆସି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଥିଲେ । ନବୀନ କହିଥିଲେ, ଆମେ ପୁରୁଣା ବନ୍ଧୁ । ବାଜପେୟୀ ସରକାରରେ ଉଭୟ ମନ୍ତ୍ରୀ ଥିଲୁ । ପୁରୀରେ ବିହାରର ତୀର୍ଥଯାତ୍ରୀଙ୍କ ପାଇଁ ଓଡ଼ିଶା ସରକାର ଦେଢ଼ ଏକର ଜମି ଯୋଗାଇଦେବେ । ସେଥିରେ ବିହାର ଭବନ ନିର୍ମାଣ ହେବ । ସମ୍ପୂର୍ଣ୍ଣ ମାଗଣାରେ ଏହି ଜମି ଦିଆଯିବ ବୋଲି ନବୀନ କହିଥିଲେ । ଆଜିର ବୈଠକରେ ମେଣ୍ଟ ଆଲୋଚନା ହୋଇନି ବୋଲି ସାମ୍ବାଦିକଙ୍କ ପ୍ରଶ୍ନରେ ନବୀନ କହିଥିଲେ ।

ସେହିଭଳି ନୀତୀଶ ମଧ୍ୟ ସମାନ ପ୍ରତିକ୍ରିୟା ଦେଇଥିଲେ । କହିଥିଲେ, ବିଜୁବାବୁଙ୍କ ସମୟରୁ ଆମର ପୁରୁଣା ସମ୍ପର୍କ । ଆମେ ଉଭୟ ପୁରୁଣା ବନ୍ଧୁ । ମୁଁ ଏଠାକୁ ଆଗରୁ ବାରମ୍ବାର ଆସିଛି । କରୋନା ଯୋଗୁଁ ମଝିରେ ଆସି ପାରି ନ ଥିଲି । ନବୀନ ବାବୁଙ୍କୁ ଭେଟିବାକୁ ବହୁ ଦିନରୁ ଇଚ୍ଛା ଥିଲା । ଆଜି ଦେଖା ହେଲା । ଦୁଇ ପୁରୁଣା ବନ୍ଧୁ କଥା ହେଲୁ । ଆମ ଭିତରେ କୌଣସି ରାଜନୈତିକ ଆଲୋଚନା ହୋଇନି ବୋଲି ନୀତୀଶ କହିଥିଲେ । ପୁରୀରେ ବିହାର ତୀର୍ଥଯାତ୍ରୀଙ୍କୁ ଦେଢ଼ ଏକର ଜମି ମାଗଣାରେ ଯୋଗାଇଦେବାକୁ ନବୀନବାବୁ ଘୋଷଣା କରିଥିବାରୁ ସେ ଧନ୍ୟବାଦ ଜଣାଇଥିଲେ ।

ସୂଚନାଯୋଗ୍ୟ, ୨୦୨୪ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ବିଜେପି ବିରୋଧୀ ମେଣ୍ଟ ପାଇଁ ନୀତୀଶ କୁମାର ନବୀନଙ୍କୁ ମନେଇବାକୁ ଓଡ଼ିଶା ଆସୁଥିବା ଚର୍ଚ୍ଚା ହୋଇଥିଲା । ପୂର୍ବରୁ ନୀତୀଶ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ.ଷ୍ଟାଲିନ୍, ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ ପ୍ରମୁଖଙ୍କୁ ସାକ୍ଷାତ କରିଥିଲେ । କଂଗ୍ରେସ ଅଧ୍ୟକ୍ଷ ମଲିକାର୍ଜୁନ ଖଡ଼ଗେ ଓ ରାହୁଲ ଗାନ୍ଧୀଙ୍କୁ ମଧ୍ୟ ଭେଟିଥିଲେ । ଚଳିତ ମାସ ୧୮ ତାରିଖରେ ନୀତୀଶ ଅଣ ବିଜେପି ଦଳମାନଙ୍କର ଏକ ମେଳି ଆୟୋଜନ କରୁଛନ୍ତି । ଏଥିରେ ସାମିଲ ହେବା ପାଇଁ ନବୀନଙ୍କୁ ନୀତୀଶ ଅନୁରୋଧ କରିବେ ବୋଲି ମଧ୍ୟ ଚର୍ଚ୍ଚା ହେଉଥିଲା ।

ମାତ୍ର ଆଜି ନୀତୀଶ ନବୀନ ନିବାସ ଆସି ନବୀନଙ୍କ ସହ ଦୀର୍ଘ ସମୟ ଆଲୋଚନା କରିବା ଏବଂ ଏହି ଆଲୋଚନାକୁ ଉଭୟ ବନ୍ଧୁତ୍ୱ ସମ୍ପର୍କର ଦ୍ୱାହି ଦେଇ ରାଜନୈତିକ ପ୍ରସଙ୍ଗକୁ ଏଡାଇଦେବା ସମସ୍ତଙ୍କ ମୁଣ୍ଡ ଟିଣ କରିଦେଇଛି । ବନ୍ଧୁ ନବୀନଙ୍କୁ ନୀତୀଶ କ’ଣ ଖାଲି ସ୍ନେହରେ ଭେଟିବାକୁ ଆସିଥିଲେ ନା ନୀତୀଶଙ୍କ ପ୍ରସ୍ତାବରେ ନବୀନ ରାଜି ହେଲେ ନାହିଁ? ଏହାକୁ ନେଇ ରାଜନୈତିକ ମହଲରେ ବିଭିନ୍ନ ଆଲୋଚନା ହେଉଛି ।

ରାଜନୈତିକ ପର୍ଯ୍ୟବେକ୍ଷକଙ୍କ କହିବାନୁଯାୟୀ, ଯଦି ବି ନବୀନଙ୍କୁ ମନାଇବା ନୀତୀଶଙ୍କ ପାଇଁ ଏତେ ସହଜ ନୁହେଁ । କେନ୍ଦ୍ରରେ ବିଭିନ୍ନ ପ୍ରସଙ୍ଗରେ ବିଜେପି ସରକାରଙ୍କୁ ସମର୍ଥନ କରୁଥିଲେ ମଧ୍ୟ କଂଗ୍ରେସ ଓ ବିଜେପିଠାରୁ ସମଦୂରତା ନୀତିକୁ ଧରି ସେ ରାଜନୀତି କରୁଛନ୍ତି । ଜାତୀୟ ରାଜନୀତିରେ ଏହା ତାଙ୍କ ପାଇଁ ଗୁରୁତ୍ୱ ରଖୁଛି । ତେଣୁ କଂଗ୍ରେସକୁ ସାଥୀରେ ରଖିବାକୁ ଚାହୁଁଥିବା ନୀତୀଶଙ୍କ ପାଲରେ ନବୀନ ପଡ଼ିବେ ବୋଲି ବିଶ୍ୱାସ ହେଉନାହିଁ । ସମ୍ଭାବ୍ୟ ରାଜନୈତିକ ଦୃଶ୍ୟପଟରେ ନବୀନଙ୍କ ରଣନୀତି ଓ ଗୋଟିଚାଳନା ଏବେଠାରୁ ବୁଝିବା କଷ୍ଟକର ବୋଲି ସେମାନଙ୍କର ମତ ।

ଏହାପୂର୍ବରୁ ଗତ ମାର୍ଚ୍ଚ ୨୩ ତାରିଖରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନବୀନ ନିବାସ ଆସି ନବୀନଙ୍କୁ ସାକ୍ଷାତ କରିଥିଲେ । ସାକ୍ଷାତକାର ସୌଜନ୍ୟମୂଳକ ଥିଲା ଏବଂ କୌଣସି ଗମ୍ଭୀର ରାଜନୈତିକ ଚର୍ଚ୍ଚା ହୋଇନାହିଁ ବୋଲି ଉଭୟ ମୁଖ୍ୟମନ୍ତ୍ରୀ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଥିଲେ । ସଶକ୍ତ ସଂଘୀୟ ବ୍ୟବସ୍ଥା ଉପରେ ସୁନ୍ଦର ଆଲୋଚନା ହୋଇଥିବା ଜଣାଇଥିଲେ ।

Leave a Reply

Your email address will not be published. Required fields are marked *