ବୋମା ମାଡ଼ରୁ ଅଳ୍ପକେ ବର୍ତ୍ତିଲେ ବାହାରେ ଶୋଇଥିବା ପରିବାର

କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅଧୀନ ପଡିଆପଶି ଗାଁ ପୁଢେଇଝୁଲ ସାହିରେ ବୋମା ମାଡ। ବୋମା ମାଡରେ ଏକ ପରିବାରର ସମସ୍ତ ଆସବାବ ପତ୍ର ନଷ୍ଟ ହୋଇଯାଇଥିବା ବେଳେ ସୌଭାଗ୍ୟବଶତଃ ପରିବାରବର୍ଗ ସୁରକ୍ଷିତ ଅଛନ୍ତି। ଗରମ ପାଇଁ ପରିବାରର ୮ ସଦସ୍ୟ ବର୍ତ୍ତି ଯାଇଛନ୍ତି। ତେବେ କିଏ ବୋମାମାଡ କରିଛି ତାହା ଜଣାପଡି ନାହିଁ।

ଗତକାଲି ରାତିରେ ପଡିଆପଶି ପୁଢେଇଝୁଲ ସାହିର କୀର୍ତ୍ତନ ନାୟକ ତାଙ୍କ ପୁଅ, ସ୍ତ୍ରୀ, ଝିଅ, ଜ୍ୱାଇଁ ଓ ୩ ନାତୁଣୀ ଘର ଭିତରେ ଗରମ ହେବାରୁ ଘର ବାହାରେ ଶୋଇଥିଲେ। ରାତି ପ୍ରାୟ ୧୨ ଟା ସମୟରେ ଘର ଭିତରେ ଏକ ବମ ଫୁଟିବା ପରି ଶବ୍ଦ ଶୁଣା ଯାଇଥିଲା। ପରିବାର ଲୋକେ ଉଠିପଡିଥିଲେ ସେହି ଶବ୍ଦରେ। ଭୟ ଓ ଆତଙ୍କ ଦେଖିନ୍ତି ତ ଘରର ଝରକା ପଟରେ ନିଆଁ ବାହାରୁଛି। ଘର ଭିତରେ ନିଆଁ ହୁତୁହୁତୁ ହେଇ ଜଳୁଛି। ବୋମା ଫାଟିବାର ଶବ୍ଦ ଶୁଣି ଆଖପାଖ ଲୋକେ ମଧ୍ୟ ନିଦରୁ ଉଠି ଦେଖନ୍ତି କେହି ଦୁଇ ଜଣ ଦୌଡି ପଳାଉଥିବା ବେଳେ, କୀର୍ତ୍ତନ ନାୟକଙ୍କ ଘର ଜଳୁଛି। କାଳ ବିଳମ୍ବ ନ କରି ଗାଁ ଲୋକେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

ପୂର୍ବ ଶତ୍ରୁତାରୁ କେହି ଏପରି କରିଥାଇପାରେ ବୋଲି ତେଲକୋଇ ଥାନାରେ ଅଭିଯୋଗ ହୋଇଛି। ଘଟଣାସ୍ଥଳରେ ତେଲକୋଇ ପୋଲିସ ପହଞ୍ଚି ତଦନ୍ତ କରୁଛି।

Leave a Reply

Your email address will not be published. Required fields are marked *