ସବୁ ଜିଲ୍ଲାପାଳଙ୍କୁ ସତର୍କ କଲେ ଏସଆରସି

ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ରକୁ ଦେଖି ରାଜ୍ୟ ସରକାର ସଜାଗ। ଆଜି ସ୍ବତନ୍ତ୍ର ରିଲିଫ କମିସନର (ଏସ୍‌ଆରସି) ସମ୍ଭାବ୍ୟ ବାତ୍ୟାକୁ ନେଇ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି। ଏସଆରସି ତାଙ୍କ ବାର୍ତ୍ତାରେ ମତ୍ସଜୀବୀ ଓ ଚାଷୀମଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି।

 ବାତ୍ୟା ଓ ବର୍ଷାରେ ଫସଲ ନଷ୍ଟ ହେବାର ସମ୍ଭାବନା ରହିଛି। ତେଣୁ ସମ୍ଭାବିତ ବର୍ଷାକୁ ଦୃଷ୍ଟିରେ ରଖି ଚାଷୀମାନେ ପନିପରିବା, ଉଦ୍ୟାନ କୃଷି, ଅମଳ ହୋଇଥିବା ଫସଲ ତଥା ମଣ୍ଡିରେ ପଡ଼ିଥିବା ଧାନକୁ ସୁରକ୍ଷିତ ରଖନ୍ତୁ। ସେହିପରି ବିପର୍ଯ୍ୟୟ ମୁକାବିଲା କରିବା ପାଇଁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ରହିବାକୁ ପରାମର୍ଶ ଦିଆଯାଇଛି। ସେହିପରି ସମୁଦ୍ରରେ ଉଚ୍ଚ ତରଙ୍ଗର ସମ୍ଭାବନା ଥିବାରୁ ମତ୍ସଜୀବୀମାନେ ମେ’ ୯ ତାରିଖରୁ ଛୋଟ ଜାହାଜ, ଡଙ୍ଗା ଓ ଟ୍ରଲର ଯୋଗେ  ନେଇ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରକୁ ନଯିବା ପାଇଁ ବାରଣ କରିଛନ୍ତି ଏସଆରସି।

ପୂର୍ବରୁ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଏହାର ଗତିପଥ ସଂପର୍କରେ ପୂର୍ବାନୁମାନ କରାଯାଇଥିଲା। ବିଭାଗର ମହାନିର୍ଦ୍ଦେଶକ ଡ.ମୃତ୍ୟୁଞ୍ଜୟ ମହାପାତ୍ର ସାମ୍ବାଦିକ ସମ୍ମିଳନୀରେ ସୋମବାର ଏହି ଲଘୁଚାପ ଆହୁରି ଘନୀଭୂତ ହୋଇ ଏକ ଅତି ଭୀଷଣ ବାତ୍ୟାରେ ପରିଣତ ହେବ । କିନ୍ତୁ ଏହା ବାଂଲାଦେଶ ଓ ମିଆଁମାର ଅଭିମୁଖେ ଗତି କରିବାର ସମ୍ଭାବନା ରହିଛି । ଏଣୁ ଓଡ଼ିଶା ପ୍ରତି କୌଣସି ବିପଦର ଆଶଙ୍କା ନାହିଁ ବୋଲି କହିଥିଲେ।

ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଥିଲା କି, ଏହି ଲଘୁଚାପ ଆସନ୍ତାକାଲି ସୁଦ୍ଧା ଡିପ୍ରେସନରେ ପରିଣତ ହେବ ଓ ଉତ୍ତର ଓ ଉତ୍ତରପଶ୍ଚିମ ଦିଗରେ ଗତି କରିବ। ମେ’ ୧୦ରେ ଏହା ଏକ ସାମୁଦ୍ରିକ ବାତ୍ୟା ରୂପ ନେବ।  ମେ’ ୧୨ ତାରିଖ ସୁଦ୍ଧା ଏକ ବଡ ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଥିବା କହିଥିଲେ।

Leave a Reply

Your email address will not be published. Required fields are marked *