ଅହମ୍ମଦାବାଦ: ମାଗଣାରେ ଫିଲ୍ମ ଦେଖିବା ଲୋଭରେ ବଡ଼ ଧରଣର ସାଇବର ଠକେଇର ଶିକାର ହେଲେ ମହିଳା। ଅଜଣା ଲିଙ୍କ୍ରେ କ୍ଲିକ୍ କରିବା ପରେ ହଠାତ୍ ହ୍ୟାଙ୍ଗ୍ ହୋଇଗଲା ମୋବାଇଲ୍ ଫୋନ୍। ଆଉ ତା’ପରେ ବ୍ୟାଙ୍କ ଆକାଉଣ୍ଟରୁ ଗାଏବ ହୋଇଗଲା ୧୦ ଲକ୍ଷ ଟଙ୍କା। ଗୁଜରାଟର ଅହମ୍ମଦାବାଦସ୍ଥିତ ଭଟୱା ଅଞ୍ଚଳରୁ ସାମ୍ନାକୁ ଆସିଛି ଏଭଳି ଏକ ଚାଞ୍ଚଲ୍ୟକର ସାଇବର ଠକେଇ ଘଟଣା।
ଆଜ୍ତକ୍ର ରିପୋର୍ଟ ଅନୁଯାୟୀ, ଭଟୱା ଅଞ୍ଚଳରେ ରହୁଥିବା ଜଣେ ୪୦ ବର୍ଷୀୟ ମହିଳା ଘରୋଇ କାମ କରି ପରିବାର ପ୍ରତିପୋଷଣ କରନ୍ତି। ତାଙ୍କର ଦୁଇ ପୁଅ ଅଛନ୍ତି। ମହିଳାଙ୍କ ୧୭ ବର୍ଷୀୟ ବଡ଼ ପୁଅ ମା’ଙ୍କ ମୋବାଇଲ୍ରେ ଇନ୍ଷ୍ଟାଗ୍ରାମ୍ ରିଲ୍ସ ଦେଖୁଥିଲେ। ଏହି ସମୟରେ ମାଗଣା ଫିଲ୍ମ ଦେଖିବା ପାଇଁ ଏକ ଲିଙ୍କ୍ ତାଙ୍କ ନଜରକୁ ଆସିଥିଲା।
ଲିଙ୍କ୍ରେ କ୍ଲିକ୍ କରିବା ମାତ୍ରେ ମୋବାଇଲ୍ରେ ଏକ ଏପିକେ (APK) ଫାଇଲ୍ ଡାଉନଲୋଡ୍ ହୋଇଯାଇଥିଲା। ଏହାପରେ ମୋବାଇଲ୍ ହ୍ୟାଙ୍ଗ୍ ହେବା ସହ ଆପେ ଆପେ ଅପଡେଟ୍ ହେବାକୁ ଲାଗିଥିଲା। ପୁଅଠାରୁ ଏସମ୍ପର୍କରେ ଜାଣିବା ପରେ ମହିଳା ମୋବାଇଲ୍କୁ ମରାମତି ପାଇଁ ଦେଇଥିଲେ।
ମୋବାଇଲ୍ ମରାମତି ହୋଇ ଫେରିବା ପରେ ମହିଳା ନିଜ ବ୍ୟାଙ୍କ ବାଲାନ୍ସ ଯାଞ୍ଚ କରିଥିଲେ। ହେଲେ ଆକାଉଣ୍ଟରେ ମାତ୍ର ୩ ଲକ୍ଷ ୪୭ ହଜାର ଟଙ୍କା ଥିବା ଦେଖି ତାଙ୍କ ହୋସ୍ ଉଡ଼ିଯାଇଥିଲା। ବ୍ୟାଙ୍କ ଷ୍ଟେଟମେଣ୍ଟ ଯାଞ୍ଚ କରିବା ପରେ ବିଭିନ୍ନ କାରବାର ମାଧ୍ୟମରେ ତାଙ୍କ ଆକାଉଣ୍ଟରୁ ମୋଟ ୯ ଲକ୍ଷ ୯୭ ହଜାର ଟଙ୍କା ଟ୍ରାନ୍ସଫର ହୋଇଥିବା ଜଣାପଡ଼ିଥିଲା। ଏନେଇ ମହିଳା ସାଇବର କ୍ରାଇମ୍ରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଛି।
ସାଇବର ଠକେଇରୁ କେମିତି ବଞ୍ଚିବେ?
- ସୋସିଆଲ ମିଡିଆରେ ଆସୁଥିବା ଅଜଣା ଲିଙ୍କ୍ରେ କ୍ଲିକ୍ କରନ୍ତୁ ନାହିଁ।
- ଅଜଣା ୱେବସାଇଟ୍ରୁ APK ଫାଇଲ୍ ଡାଉନଲୋଡ୍ କରନ୍ତୁ ନାହିଁ।
- ମାଗଣା ଫିଲ୍ମ, ପୁରସ୍କାର ଓ ଆକର୍ଷଣୀୟ ଅଫର୍ ପ୍ରତି ସତର୍କ ରୁହନ୍ତୁ।
- କାହାରିକୁ ବ୍ୟାଙ୍କ ତଥ୍ୟ, ଓଟିପି କିମ୍ବା ପାସୱାର୍ଡ ଦିଅନ୍ତୁ ନାହିଁ।