Cuttack Bali Yatra 2026 : କାଲିଠୁ କଟକର ଐତିହାସିକ ବାଲିଯାତ୍ରା, ଉଦ୍‌ଘାଟନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

କଟକ: ଆଉ ମାତ୍ର ଗୋଟିଏ ଦିନର ଅପେକ୍ଷା। ଆସନ୍ତାକାଲିଠାରୁ ଆରମ୍ଭ ହେବ କଟକର ଐତିହାସିକ ବାଲିଯାତ୍ରା। ଏଥିପାଇଁ ଚଳଚଞ୍ଚଳ ହୋଇଉଠିଛି ହଜାର ବର୍ଷର ସହର କଟକ। ମହାନଦୀ ପଠାରେ ଜମିବ ଲୋକଙ୍କ ଭିଡ଼। ରଙ୍ଗବେରଙ୍ଗର ଆଲୋକମାଳା, ଭଳିକି ଭଳି ଦୋକାନ ଓ ମନୋରଞ୍ଜନର ଆସରରେ ଦୁଲୁକିବ ବାଲିଯାତ୍ରା ପଡ଼ିଆ। ଚଳିତ ବର୍ଷ ନଭେମ୍ବର ୨୪ ତାରିଖରୁ ଡିସେମ୍ବର ୧ ତାରିଖ ପର୍ଯ୍ୟନ୍ତ ଆଠ ଦିନ ଧରି ଚାଲିବ ଏହି ଐତିହାସିକ ମହୋତ୍ସବ।

ଚଳିତ ବର୍ଷ ବାଲିଯାତ୍ରାର ମୁଖ୍ୟ ଆକର୍ଷଣ ସାଜିବେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ନଭେମ୍ବର ୨୪ ତାରିଖରେ ରାଷ୍ଟ୍ରପତି ଏହି ଐତିହାସିକ ମେଳାର ଶୁଭ ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

ବାଲିଯାତ୍ରା ପଡ଼ିଆକୁ ନୋ-ଡ୍ରୋନ୍ ଜୋନ୍ ଘୋଷଣା କରାଯାଇଛି। ସେହିପରି ଭିଡ଼ ନିୟନ୍ତ୍ରଣ, ଟ୍ରାଫିକ୍ ପରିଚାଳନା, ପରିମଳ ବ୍ୟବସ୍ଥା ଓ ପାନୀୟ ଜଳ ଯୋଗାଣ ଉପରେ ପ୍ରଶାସନ ବିଶେଷ ଗୁରୁତ୍ୱ ଦେଇଛି।

ଚଳିତ ବର୍ଷ ବାଲିଯାତ୍ରାରେ ୫୦୦ରୁ ଅଧିକ ଷ୍ଟଲ୍‌ରେ ଓଡ଼ିଶାର ହସ୍ତତନ୍ତ, ହସ୍ତଶିଳ୍ପ ଓ ବିଭିନ୍ନ ସାମଗ୍ରୀ ପ୍ରଦର୍ଶିତ ହେବ। ଏଥିସହ ବାଲିଯାତ୍ରାକୁ ପ୍ଲାଷ୍ଟିକ୍ ମୁକ୍ତ କରିବା ପାଇଁ ପଦକ୍ଷେପ ନିଆଯାଇଛି। ମେଳାରେ ଲକ୍ଷାଧିକ ଲୋକଙ୍କ ସମାଗମକୁ ଦୃଷ୍ଟିରେ ରଖି ପ୍ରାୟ ୭୦ ପ୍ଲାଟୁନ୍ ପୋଲିସ ଫୋର୍ସ ଓ ୪୦୦ ଅଧିକାରୀ ମୁତୟନ କରିବାକୁ ବ୍ୟବସ୍ଥା ହୋଇଛି।

ପ୍ରାଚୀନ ଓଡ଼ିଶାର ସାଧବପୁଅମାନଙ୍କ ନୌବାଣିଜ୍ୟ ପରମ୍ପରାର ସ୍ମୃତି ବହନ କରୁଛି ଏହି ଐତିହାସିକ ବାଲିଯାତ୍ରା। ଏହା କେବଳ ଏକ ମେଳା ନୁହେଁ, ବରଂ ଓଡ଼ିଆ ଜାତିର ଗୌରବମୟ ଇତିହାସ ଓ ସଂସ୍କୃତିର ପରିଚୟ। ଏଥରର ବାଲିଯାତ୍ରାକୁ ନେଇ କଟକବାସୀଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳୁଛି।