Panchuka 2026 : ଲକ୍ଷ୍ମୀନୃସିଂହ ବେଶରେ ଝଟକୁଛନ୍ତି ମହାପ୍ରଭୁ, ଭକ୍ତଙ୍କ ଭିଡ଼ରେ ଉଛୁଳୁଛି ବଡ଼ଦାଣ୍ଡ!

ପୁରୀ: ପବିତ୍ର ପଞ୍ଚୁକ ପାଇଁ ଚଳଚଞ୍ଚଳ ହୋଇଉଠିଛି ଶ୍ରୀକ୍ଷେତ୍ର ପୁରୀ। ଜୟ ଜଗନ୍ନାଥ ଧ୍ୱନିରେ ପ୍ରକମ୍ପିତ ହେଉଛି ବଡ଼ଦାଣ୍ଡ। ପଞ୍ଚୁକର ଚତୁର୍ଥ ଦିନରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଠାକୁର ବଳଭଦ୍ର ଓ ଦେବୀ ସୁଭଦ୍ରା ଦୁର୍ଲଭ ଡାଳିକିଆ ବା ଲକ୍ଷ୍ମୀନୃସିଂହ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି। ଏହି ଅପୂର୍ବ ବେଶ ଦର୍ଶନ କରିବା ପାଇଁ ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଜମିଛି।

କାର୍ତ୍ତିକ ମାସର ଶେଷ ପାଞ୍ଚ ଦିନକୁ ପଞ୍ଚୁକ ଭାବେ ପାଳନ କରାଯାଏ। ଏହି ପାଞ୍ଚ ଦିନ ମହାପ୍ରଭୁଙ୍କ ପାଞ୍ଚଟି ସ୍ୱତନ୍ତ୍ର ବେଶ ଦର୍ଶନ କରିବାର ସୁଯୋଗ ପାଇଥାନ୍ତି ଭକ୍ତ। ପ୍ରତ୍ୟେକ ବେଶର ରହିଛି ସ୍ୱତନ୍ତ୍ର ମହତ୍ତ୍ୱ ଓ ଧାର୍ମିକ ବିଶ୍ୱାସ। ବିଶେଷକରି ପଞ୍ଚୁକର ଚତୁର୍ଥ ଦିନରେ ହେଉଥିବା ଲକ୍ଷ୍ମୀନୃସିଂହ ବେଶ ଭକ୍ତମାନଙ୍କ ପାଇଁ ଅତ୍ୟନ୍ତ ଆକର୍ଷଣୀୟ।

ଏହି ବେଶରେ ଶ୍ରୀଜିଉଙ୍କୁ ସ୍ୱତନ୍ତ୍ର ଅଳଙ୍କାର ଓ ପାରମ୍ପରିକ ସାଜସଜ୍ଜାରେ ସୁସଜ୍ଜିତ କରାଯାଇଥାଏ। ମହାପ୍ରଭୁଙ୍କ ଦିବ୍ୟ ରୂପ ଦର୍ଶନ କରି ଭକ୍ତମାନେ ଭାବବିହ୍ୱଳ ହୋଇପଡ଼ୁଛନ୍ତି। ଶ୍ରୀମନ୍ଦିର ପରିସରରୁ ବଡ଼ଦାଣ୍ଡ ପର୍ଯ୍ୟନ୍ତ ସବୁଠି ଦେଖିବାକୁ ମିଳୁଛି ଭକ୍ତିମୟ ପରିବେଶ।

ଚଳିତ ବର୍ଷ ତିଥି କ୍ଷୟ ଯୋଗୁଁ ପଞ୍ଚୁକ ପାଞ୍ଚ ଦିନ ପରିବର୍ତ୍ତେ ଚାରି ଦିନ ପାଳନ କରାଯାଉଛି। ନଭେମ୍ବର ୨୩ ତାରିଖରେ ଲକ୍ଷ୍ମୀନୃସିଂହ ବେଶ ଅନୁଷ୍ଠିତ ହେଉଥିବା ବେଳେ ୨୪ ତାରିଖ କାର୍ତ୍ତିକ ପୂର୍ଣ୍ଣିମାରେ ଶ୍ରୀଜିଉ ରାଜରାଜେଶ୍ୱର ବା ସୁନାବେଶରେ ଦର୍ଶନ ଦେବେ।

କାର୍ତ୍ତିକ ବ୍ରତ ପାଳନ କରୁଥିବା ହବିଷ୍ୟାଳିଙ୍କ ସହ ଓଡ଼ିଶା ତଥା ରାଜ୍ୟ ବାହାରରୁ ଆସିଥିବା ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ କରୁଛନ୍ତି। ଶ୍ରୀକ୍ଷେତ୍ରରେ ଭକ୍ତି, ଆସ୍ଥା ଓ ଆଧ୍ୟାତ୍ମିକତାର ଏକ ଅପୂର୍ବ ସମାଗମ ଦେଖିବାକୁ ମିଳୁଛି। ସମସ୍ତଙ୍କ ମୁହଁରେ ଗୋଟିଏ ଧ୍ୱନି, ଜୟ ଜଗନ୍ନାଥ!