SI Death Case : ଏସଆଇ ପ୍ରଭାସିନୀଙ୍କ ମୃତ୍ୟୁକୁ ନେଇ ବଢ଼ୁଛି ସସପେନ୍ସ, ହତ୍ୟା ଅଭିଯୋଗ ଆଣିଲେ ପରିବାର

ମହିଳା ଏସଆଇ ପ୍ରଭାସିନୀ ସାହୁଙ୍କ ମୃତ୍ୟୁକୁ ନେଇ ବଢ଼ୁଛି ରହସ୍ୟ। କେଉଁ ପରିସ୍ଥିତିରେ ହେଲା ପ୍ରଭାସିନୀଙ୍କ ମୃତ୍ୟୁ? କାର୍ଯ୍ୟକ୍ଷେତ୍ରରେ ଚାପ, ମାନସିକ ଅବସାଦ ନା ଏହା ପଛରେ ରହିଛି ଅନ୍ୟ କୌଣସି କାରଣ? ଏଯାଏ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହୋଇପାରିନି। ଏହାରି ମଧ୍ୟରେ ପରିବାର ଲୋକେ ଆଣିଛନ୍ତି ସାଙ୍ଘାତିକ ଅଭିଯୋଗ। ତାଙ୍କ ଝିଅ ଆତ୍ମହତ୍ୟା କରିନାହାନ୍ତି, ବରଂ ତାଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଛି ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି।

ଗତକାଲି ଅର୍ଥାତ୍ ନଭେମ୍ବର ୨୧ ତାରିଖ ସକାଳ ପ୍ରାୟ ୯ଟା ୩୦ରେ ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ପରିସରରେ ଥିବା ସରକାରୀ କ୍ୱାର୍ଟର୍ସରୁ ପ୍ରଭାସିନୀଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ଖବର ପାଇ ଗଞ୍ଜାମ ଏସ୍‌ପି ହରିଶ ବି.ସି.ଙ୍କ ସମେତ ବରିଷ୍ଠ ପୋଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ। ସାଇଣ୍ଟିଫିକ୍ ଟିମ୍ ମଧ୍ୟ ଘଟଣାସ୍ଥଳରୁ ପ୍ରମାଣ ସଂଗ୍ରହ ପାଇଁ ତଦନ୍ତରେ ସାମିଲ ହୋଇଛି।

ପ୍ରଭାସିନୀଙ୍କ ଘର ଯାଜପୁର ଜିଲ୍ଲାରେ ହୋଇଥିବା ବେଳେ ସେ ପୁରୀରେ ବିବାହ କରିଥିଲେ। ତାଙ୍କ ସ୍ୱାମୀ ରେଳବାଇରେ ଲୋକୋ ପାଇଲଟ୍ ଭାବେ କାର୍ଯ୍ୟରତ। ପୋଲିସ ବିଭାଗରେ ଯୋଗଦେବା ପୂର୍ବରୁ ପ୍ରଭାସିନୀ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟ କରୁଥିଲେ। ସେ ଦୁଇ ମାସର ଗର୍ଭବତୀ ଥିବା ନେଇ ମଧ୍ୟ ଖବର ପ୍ରକାଶ ପାଇଛି।

ଅନ୍ୟପଟେ ପରିବାର ଲୋକଙ୍କ କହିବା ଅନୁସାରେ, ପ୍ରଭାସିନୀ ଜଣେ ସାହସୀ ଓ ମେଧାବୀ ଝିଅ ଥିଲେ। ମୃତ୍ୟୁ ପୂର୍ବରୁ ମାଆଙ୍କ ସହ ଫୋନ୍‌ରେ ସ୍ୱାଭାବିକ ଭାବେ କଥା ହୋଇଥିଲେ। ତେଣୁ ତାଙ୍କ ମୃତ୍ୟୁକୁ ନେଇ ପରିବାର ଲୋକେ ସନ୍ଦେହ ପ୍ରକାଶ କରିବା ସହ କ୍ରାଇମବ୍ରାଞ୍ଚ ତଦନ୍ତ ଦାବି କରିଛନ୍ତି।

ସେପଟେ ପ୍ରାଥମିକ ତଦନ୍ତରୁ ଏହା ଆତ୍ମହତ୍ୟା ଭଳି ମନେ ହେଉଥିବା ଗଞ୍ଜାମ ଏସ୍‌ପି କହିଛନ୍ତି। ତେବେ ସମସ୍ତ ଦିଗକୁ ନେଇ ତଦନ୍ତ କରାଯାଉଛି। କାର୍ଯ୍ୟକ୍ଷେତ୍ରରେ କୌଣସି ସମସ୍ୟା ନେଇ ପ୍ରଭାସିନୀ ପୂର୍ବରୁ ଅଭିଯୋଗ କରିନଥିବା ମଧ୍ୟ ଏସ୍‌ପି ସୂଚନା ଦେଇଛନ୍ତି।

ବ୍ରହ୍ମପୁର ଏମକେସିଜି ମେଡିକାଲରେ ମୃତଦେହ ବ୍ୟବଚ୍ଛେଦ ପରେ ଛତ୍ରପୁର ପୋଲିସ ପରେଡ୍ ଗ୍ରାଉଣ୍ଡରେ ପ୍ରଭାସିନୀଙ୍କୁ ଗାର୍ଡ ଅଫ୍ ଅନର୍ ପ୍ରଦାନ କରାଯାଇଛି। ପରେ ଅନ୍ତିମ ସଂସ୍କାର ପାଇଁ ତାଙ୍କ ମରଶରୀରକୁ ପୁରୀ ନିଆଯାଇଛି। ପୁରୁଷୋତ୍ତମପୁର ଏସ୍‌ଡିପିଓ ଘଟଣାର ତଦନ୍ତ କରିବେ ଏବଂ ଅତିରିକ୍ତ ଏସ୍‌ପି ଏହାର ତଦାରଖ କରିବେ।

ତେବେ ଆତ୍ମହତ୍ୟା ନା ହତ୍ୟା? ପ୍ରଭାସିନୀଙ୍କ ମୃତ୍ୟୁ ପଛର ପ୍ରକୃତ କାରଣ କ’ଣ? ବ୍ୟବଚ୍ଛେଦ ରିପୋର୍ଟ ଓ ପୋଲିସ ତଦନ୍ତରୁ କ’ଣ ସତ୍ୟ ସାମ୍ନାକୁ ଆସୁଛି, ତାହା ଉପରେ ଏବେ ସମସ୍ତଙ୍କ ନଜର।