ମହଙ୍ଗା ମାଡ଼ରେ ଅସ୍ତବ୍ୟସ୍ତ ସାଧାରଣ ଜନତା। ଦିନକୁ ଦିନ ବଢ଼ୁଛି ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀର ଦର। ଏବେ ଖାଉଟିଙ୍କ ଚିନ୍ତା ବଢ଼ାଇଛି ଚିନି ଦର। କିଲୋ ପିଛା ଚିନି ଦାମ ୭୦ ଟଙ୍କାରେ ପହଞ୍ଚିଥିବା ସୂଚନା ମିଳିଛି। ଗୋଟିଏ ପଟେ ଖାଦ୍ୟ ସାମଗ୍ରୀର ଦରବୃଦ୍ଧି ହେଉଥିବା ବେଳେ ଅନ୍ୟପଟେ ଚିନିର ବର୍ଦ୍ଧିତ ମୂଲ୍ୟ ମଧ୍ୟବିତ୍ତ ପରିବାରର ଘରୋଇ ବଜେଟ୍ ଉପରେ ଅତିରିକ୍ତ ଚାପ ସୃଷ୍ଟି କରିଛି।
ଦେଶର ବିଭିନ୍ନ ପ୍ରମୁଖ ସହରରେ ଚିନିର ଖୁଚୁରା ଦର ୬୦ରୁ ୭୦ ଟଙ୍କା ମଧ୍ୟରେ ରହିଛି। କୋଲକାତାରେ କିଲୋ ପିଛା ଚିନି ଦର ୭୦ ଟଙ୍କା ଛୁଇଁଥିବା ବେଳେ ଦିଲ୍ଲୀରେ ୬୪ ଟଙ୍କାରେ ବିକ୍ରି ହେଉଛି। ସେହିପରି ମୁମ୍ବାଇ ଓ ରାଞ୍ଚିରେ ୬୩ ଟଙ୍କା ଏବଂ ଚେନ୍ନାଇରେ ୬୦ ଟଙ୍କା ରହିଛି ଚିନି ଦର। ଗତ ୧୨ ମାସ ମଧ୍ୟରେ ଚିନି ଦର ପ୍ରାୟ ୩୦ ପ୍ରତିଶତ ବୃଦ୍ଧି ପାଇଥିବା ବେଳେ ଗତ ଏକ ମାସରେ ପ୍ରାୟ ୫ ପ୍ରତିଶତ ମହଙ୍ଗା ହୋଇଛି।
ତେବେ କାହିଁକି କମୁନି ଚିନି ଦର? ଅନ୍ତର୍ଜାତୀୟ ବଜାରରେ ଚିନି ଦର ବୃଦ୍ଧି ଘରୋଇ ବଜାରକୁ ପ୍ରଭାବିତ କରୁଥିବା କୁହାଯାଉଛି। ଏହାସହ ଆଖୁ ଉତ୍ପାଦନ, ଚିନି ଯୋଗାଣ ଓ ଇଥାନଲ ଉତ୍ପାଦନ ପାଇଁ ଆଖୁର ବ୍ୟବହାର ଭଳି କାରଣ ମଧ୍ୟ ଚିନି ଦରକୁ ପ୍ରଭାବିତ କରିପାରେ।
ବଜାରରେ ଚିନି ଯୋଗାଣ ବୃଦ୍ଧି କରିବା ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି। ଚିନି କଳଗୁଡ଼ିକୁ ନିର୍ଦ୍ଧାରିତ ପରିମାଣର ଚିନି ଖୋଲା ବଜାରରେ ବିକ୍ରି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହା ସତ୍ତ୍ୱେ ଖୁଚୁରା ବଜାରରେ ଦର ନିୟନ୍ତ୍ରଣକୁ ଆସିନାହିଁ।
ଅନ୍ୟପଟେ ଚିନି ଦର ବୃଦ୍ଧିର ପ୍ରଭାବ କେବଳ ରୋଷେଇ ଘର ନୁହେଁ, ବରଂ ମିଠା ଦୋକାନ, ବେକେରି ଓ ଚା’ ଦୋକାନ ଉପରେ ମଧ୍ୟ ପଡ଼ିବାର ଆଶଙ୍କା ରହିଛି। ଉତ୍ପାଦନ ଖର୍ଚ୍ଚ ବଢ଼ିଲେ ମିଠା ଓ ଅନ୍ୟାନ୍ୟ ଚିନି ପ୍ରସ୍ତୁତ ଖାଦ୍ୟ ସାମଗ୍ରୀ ମଧ୍ୟ ମହଙ୍ଗା ହୋଇପାରେ।
ଗୋଟିଏ ପଟେ ଡାଲି, ଚାଉଳ ଓ ଖାଇବା ତେଲର ଦାମ ସାଧାରଣ ଲୋକଙ୍କୁ ଚିନ୍ତାରେ ପକାଇଥିବା ବେଳେ ଏବେ ମିଠା ଚିନିର ଦାମ ଖାଉଟିଙ୍କ ପାଇଁ ପିତା ପାଲଟିଛି। ତେବେ ଆଗାମୀ ଦିନରେ ଚିନି ଦର ହ୍ରାସ ପାଇବ ନା ଆହୁରି ବୃଦ୍ଧି ପାଇବ, ତାହା ଉପରେ ଏବେ ସମସ୍ତଙ୍କ ନଜର।