Binayatosh Mishra Retirement : ଖୁବ୍‌ଶୀଘ୍ର ଓଡ଼ିଶା ପାଇବ ନୂଆ ଡିଜିପି, ନଭେମ୍ବର ୩୦ରେ ଅବସର ନେବେ ବିନୟତୋଷ ମିଶ୍ର

ଭୁବନେଶ୍ୱର: ଓଡ଼ିଶା ପୋଲିସରେ ହେବ ବଡ଼ ପରିବର୍ତ୍ତନ। ଖୁବ୍‌ଶୀଘ୍ର ରାଜ୍ୟକୁ ମିଳିବ ନୂଆ ପୋଲିସ ମହାନିର୍ଦ୍ଦେଶକ। ବଦଳିବ ଓଡ଼ିଶା ପୋଲିସର ମୁଖିଆ। ବର୍ତ୍ତମାନର ଅନ୍ତରୀଣ ଡିଜିପି ବିନୟତୋଷ ମିଶ୍ରଙ୍କ ଅବସରକୁ ରାଜ୍ୟ ସରକାରଙ୍କ ପକ୍ଷରୁ ମିଳିଛି ଅନୁମତି। ଆସନ୍ତା ନଭେମ୍ବର ୩୦ ତାରିଖ ଅପରାହ୍ଣରୁ ସେ ସରକାରୀ ଚାକିରିରୁ ଅବସର ଗ୍ରହଣ କରିବେ। ଏନେଇ ରାଜ୍ୟ ଗୃହ ବିଭାଗ ପକ୍ଷରୁ ଆନୁଷ୍ଠାନିକ ଅନୁମତି ପ୍ରଦାନ କରାଯାଇଛି।

ତେବେ ବିନୟତୋଷଙ୍କ ଅବସର ପରେ କିଏ ହେବେ ଓଡ଼ିଶାର ପରବର୍ତ୍ତୀ ଡିଜିପି? କାହା ହାତକୁ ଯିବ ରାଜ୍ୟ ପୋଲିସର ମଙ୍ଗ? ଏହାକୁ ନେଇ ଏବେ ପ୍ରଶାସନିକ ଓ ପୋଲିସ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି।

ସୂଚନାଯୋଗ୍ୟ, ବିନୟତୋଷ ମିଶ୍ର ୧୯୯୩ ବ୍ୟାଚ୍‌ର ବରିଷ୍ଠ ଆଇପିଏସ୍ ଅଧିକାରୀ। ପୂର୍ବତନ ଡିଜିପି ୱାଇ.ବି. ଖୁରାନିଆଙ୍କ ଅବସର ପରେ ଅଗଷ୍ଟ ୧୬ ତାରିଖରେ ସେ ଓଡ଼ିଶା ପୋଲିସର ଅନ୍ତରୀଣ ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। କ୍ରାଇମବ୍ରାଞ୍ଚ ଡିଜି ଦାୟିତ୍ୱ ସହ ତାଙ୍କୁ ରାଜ୍ୟ ପୋଲିସ ମୁଖ୍ୟଙ୍କ ଅତିରିକ୍ତ ଦାୟିତ୍ୱ ଦିଆଯାଇଥିଲା।

ଅନ୍ୟପଟେ ଓଡ଼ିଶାର ସ୍ଥାୟୀ ଡିଜିପି ନିଯୁକ୍ତି ପ୍ରକ୍ରିୟାକୁ ନେଇ ପୂର୍ବରୁ ସୁପ୍ରିମକୋର୍ଟରେ ମାମଲା ପହଞ୍ଚିଥିଲା। ଡିଜିପି ଚୟନ ପ୍ରକ୍ରିୟାରେ ବରିଷ୍ଠତା ଓ ନିର୍ଦ୍ଧାରିତ ନିୟମ ପାଳନକୁ ନେଇ ପ୍ରଶ୍ନ ଉଠିଥିଲା। ଏହି କାରଣରୁ ସ୍ଥାୟୀ ନିଯୁକ୍ତି ପ୍ରକ୍ରିୟା ପ୍ରଭାବିତ ହୋଇଥିଲା।

ଏବେ ବିନୟତୋଷ ମିଶ୍ରଙ୍କ ଅବସର ତାରିଖ ସ୍ପଷ୍ଟ ହେବା ପରେ ପରବର୍ତ୍ତୀ ଡିଜିପି ନିଯୁକ୍ତିକୁ ନେଇ ଉତ୍କଣ୍ଠା ବଢ଼ିଛି। ରାଜ୍ୟର ଆଇନଶୃଙ୍ଖଳା, ଅପରାଧ ନିୟନ୍ତ୍ରଣ, ସାଇବର ଅପରାଧ ଏବଂ ପୋଲିସ ପ୍ରଶାସନର ନେତୃତ୍ୱ କାହା ହାତରେ ରହିବ, ତାହା ଏବେ ବଡ଼ ପ୍ରଶ୍ନ। ତେବେ ସରକାର କାହା ନାଁରେ ମୋହର ମାରୁଛନ୍ତି, ତାହା ଉପରେ ରହିଛି ସମସ୍ତଙ୍କ ନଜର।