PF Balance Check:ଏବେ ହ୍ୱାଟ୍ସଆପ୍‌ରେ ଜାଣନ୍ତୁ ଆପଣଙ୍କ ବାଲାନ୍ସ

ଚାକିରି କରୁଥିବା ଲୋକଙ୍କ ପାଇଁ ପ୍ରୋଭିଡେଣ୍ଟ ଫଣ୍ଡ (ପିଏଫ୍) ଏକ ଗୁରୁତ୍ୱପୂର୍ଣ୍ଣ ସଞ୍ଚୟ। ଏବେ ପିଏଫ୍ ଆକାଉଣ୍ଟରେ କେତେ ଟଙ୍କା ଜମା ଅଛି, ତାହା ଜାଣିବା ପାଇଁ ଆଉ ବାରମ୍ବାର ଇପିଏଫ୍ଓ ୱେବସାଇଟ୍‌ ଖୋଲିବାକୁ ପଡ଼ିବ ନାହିଁ। କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫ୍ଓ) ପକ୍ଷରୁ ହ୍ୱାଟ୍ସଆପ୍‌ ମାଧ୍ୟମରେ ଏହି ସୁବିଧା ଆରମ୍ଭ କରାଯାଇଛି। ଏହାଦ୍ୱାରା ଘରେ ବସି ମୋବାଇଲ୍‌ରେ ପିଏଫ୍ ବାଲାନ୍ସ, ଟ୍ରାଞ୍ଜାକ୍ସନ ଓ ପାସବୁକ୍‌ ସମ୍ପର୍କିତ ତଥ୍ୟ ପାଇପାରିବେ।

ନଭେମ୍ବର ୧ରେ ଇପିଏଫ୍ଓର ୭୪ତମ ପ୍ରତିଷ୍ଠା ଦିବସ ଅବସରରେ କେନ୍ଦ୍ର ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ ମନସୁଖ ମାଣ୍ଡଭିୟ ଏହି ସେବାର ଶୁଭାରମ୍ଭ କରିଛନ୍ତି। ଏହା ମାଧ୍ୟମରେ ସଦସ୍ୟମାନେ ପିଏଫ୍ ବାଲାନ୍ସ, ଶେଷ ୫ଟି ଟ୍ରାଞ୍ଜାକ୍ସନ ଏବଂ ପାସବୁକ୍‌ ଡାଉନଲୋଡ୍‌ କରିପାରିବେ। ଏଥିସହ ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା (PMVBRY) ସମ୍ପର୍କରେ ମଧ୍ୟ ସହାୟତା ମିଳିବ।

କେପରି ଚେକ୍ କରିବେ?
ପ୍ରଥମେ ନିଜ ମୋବାଇଲ୍‌ରେ ଇପିଏଫ୍ଓର ଅଧିକୃତ ହ୍ୱାଟ୍ସଆପ୍‌ ନମ୍ବର +୯୧ ୮୭୯୬୪୪୧୮୦୦ ସେଭ୍‌ କରନ୍ତୁ। ଏହାପରେ ହ୍ୱାଟ୍ସଆପ୍‌ ଖୋଲି ଉକ୍ତ ନମ୍ବରକୁ ‘Hi’ ମେସେଜ୍‌ ପଠାନ୍ତୁ। ରିପ୍ଲାଏ ଆସିବା ପରେ ନିଜ ପସନ୍ଦର ଭାଷା ଚୟନ କରନ୍ତୁ। ଏହାପରେ ‘Check Balance’ ବିକଳ୍ପ ଚୟନ କରି UAN ସହ ଲିଙ୍କ୍‌ ହୋଇଥିବା ମୋବାଇଲ୍‌ ନମ୍ବରକୁ ଆସିଥିବା ଓଟିପି(OTP) ଦେଇ ଯାଞ୍ଚ ପ୍ରକ୍ରିୟା ପୂରଣ କରନ୍ତୁ। ଏହାପରେ ନିଜ ପିଏଫ୍‌ ଆକାଉଣ୍ଟ ଚୟନ କରି ବାଲାନ୍ସ ଜାଣିପାରିବେ।

ଏହି ସୁବିଧାରେ ‘Last 5 Transactions’ ବିକଳ୍ପ ଚୟନ କରି ଆକାଉଣ୍ଟର ଶେଷ ୫ଟି କାରବାରର ବିବରଣୀ ପାଇପାରିବେ। ସେହିପରି ‘Download Passbook’ ବିକଳ୍ପ ମାଧ୍ୟମରେ ପିଏଫ୍‌ ପାସବୁକ୍‌ ମଧ୍ୟ ଡାଉନଲୋଡ୍‌ କରିହେବ। ଏଥିରେ କର୍ମଚାରୀ ଓ ନିଯୁକ୍ତିଦାତାଙ୍କ ଅବଦାନ ସମ୍ପର୍କିତ ତଥ୍ୟ ଦେଖିପାରିବେ। ଯଦି ଏକାଧିକ ପିଏଫ୍‌ ଆକାଉଣ୍ଟ ଲିଙ୍କ୍‌ ହୋଇଥାଏ, ତେବେ ଆବଶ୍ୟକ ଆକାଉଣ୍ଟ ଚୟନ କରିବାକୁ ପଡ଼ିବ।

ତେବେ ମନେ ରଖନ୍ତୁ, ହ୍ୱାଟ୍ସଆପ୍‌ ମାଧ୍ୟମରେ ପିଏଫ୍‌ ବାଲାନ୍ସ ଯାଞ୍ଚ ଓ ପାସବୁକ୍‌ ଡାଉନଲୋଡ୍‌ କରିହେବ, କିନ୍ତୁ ସିଧାସଳଖ ଟଙ୍କା ଉଠାଣ କିମ୍ବା କ୍ଲେମ୍‌ ଦାଖଲ ସୁବିଧା ଏଥିରେ ଉପଲବ୍ଧ ନାହିଁ। ଏଥିପାଇଁ ଇପିଏଫ୍ଓର ଅଧିକୃତ ପୋର୍ଟାଲ୍‌ ବ୍ୟବହାର କରିବାକୁ ପଡ଼ିବ। ସାଇବର ଠକେଇରୁ ବର୍ତ୍ତିବା ପାଇଁ କାହାକୁ ନିଜର ଓଟିପି କିମ୍ବା ପାସୱାର୍ଡ ଦିଅନ୍ତୁ ନାହିଁ।