ବଲିଉଡ୍ର ମହାନାୟକ ଅମିତାଭ ବଚ୍ଚନଙ୍କୁ ନେଇ ବଡ଼ ଖବର। ଟାର୍ଗେଟ୍ରେ କି ବିଗ୍ ବି ? ଅମିତାଭଙ୍କ ଜୀବନ ପ୍ରତି ରହିଛି କି ବିପଦ? ମୁମ୍ବାଇରେ ଥିବା ତାଙ୍କ ବାସଭବନ ‘ଜଲସା’କୁ ବୋମାରେ ଉଡ଼ାଇଦେବା ଧମକ ପରେ ଏବେ ଚର୍ଚ୍ଚାରେ ଅମିତାଭଙ୍କ ରହସ୍ୟମୟ ସୋସିଆଲ ମିଡିଆ ପୋଷ୍ଟ। ଯାହାକୁ ନେଇ ପ୍ରଶଂସକଙ୍କ ମଧ୍ୟରେ ବଢ଼ିଛି ଚିନ୍ତା।
ନଭେମ୍ବର ୧୪ ତାରିଖରେ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଅମିତାଭ ବଚ୍ଚନ ଲେଖିଥିଲେ, ‘ବଚ୍ ଗଏ’, ଅର୍ଥାତ୍ ‘ବଞ୍ଚିଗଲୁ’। ମାତ୍ର ଏହି ଦୁଇଟି ଶବ୍ଦ ସୋସିଆଲ ମିଡିଆରେ ଆଲୋଡ଼ନ ସୃଷ୍ଟି କରିଛି। ହେଲେ କାହିଁକି ଏଭଳି ଲେଖିଲେ ବିଗ୍ ବି? କେଉଁ ବିପଦରୁ ବର୍ତ୍ତିଗଲେ ଅମିତାଭ? ତାହାକୁ ନେଇ ଉଠିଛି ଅନେକ ପ୍ରଶ୍ନ।
ଅନ୍ୟପଟେ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍ ଦୁଇଜଣ ସନ୍ଦିଗ୍ଧ ସୁଟରଙ୍କୁ ଗିରଫ କରିଛି। ଏହି ଦୁଇଜଣଙ୍କର ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ସହ ସମ୍ପର୍କ ଥିବା ସନ୍ଦେହ କରାଯାଉଛି। ଅମିତାଭଙ୍କ ବାସଭବନକୁ ଟାର୍ଗେଟ୍ କରି ଆକ୍ରମଣ ଯୋଜନା ହୋଇଥିବା ନେଇ ମଧ୍ୟ ତଦନ୍ତରେ ସନ୍ଦେହ ପ୍ରକାଶ ପାଇଛି। ତେବେ ସମସ୍ତ ଅଭିଯୋଗର ତଦନ୍ତ ଜାରି ରହିଛି।
ଏହା ପୂର୍ବରୁ ମଧ୍ୟ ଅମିତାଭଙ୍କ ଘର ‘ଜଲସା’କୁ ବୋମାରେ ଉଡ଼ାଇଦେବା ପାଇଁ ଧମକପୂର୍ଣ୍ଣ ଇମେଲ୍ ଆସିଥିଲା। ଏହାପରେ ବିଗ୍ ବିଙ୍କ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଥିଲା। ଏପରିକି ଏକ ରବିବାର ଅମିତାଭ ବୁଲେଟ୍ପ୍ରୁଫ୍ କାଚ ପଛରେ ରହି ପ୍ରଶଂସକଙ୍କୁ ଅଭିବାଦନ ଜଣାଇଥିଲେ।
ତେବେ ସବୁଠାରୁ ବଡ଼ କଥା ହେଉଛି, ନିଜର ଏହି ରହସ୍ୟମୟ ପୋଷ୍ଟ ପଛର ପ୍ରକୃତ କାରଣ ସମ୍ପର୍କରେ ଅମିତାଭ କୌଣସି ସ୍ପଷ୍ଟୀକରଣ ଦେଇନାହାନ୍ତି। ତେଣୁ ଏହାକୁ ଆକ୍ରମଣ ଷଡ଼ଯନ୍ତ୍ର ସହ ସିଧାସଳଖ ଯୋଡ଼ିବା ଠିକ୍ ହେବ ନାହିଁ।
ଏବେ ପ୍ରଶ୍ନ ଉଠୁଛି, ବିଗ୍ ବିଙ୍କ ଏହି ଦୁଇ ଶବ୍ଦ ପଛରେ କ’ଣ ରହିଛି ରହସ୍ୟ? ଆଉ କାହିଁକି ତାଙ୍କୁ ନେଇ ଏତେ ଚର୍ଚ୍ଚା? ଅମିତାଭଙ୍କ ସୁରକ୍ଷା ଓ ପୋଲିସ ତଦନ୍ତ ଉପରେ ଏବେ ସମସ୍ତଙ୍କ ନଜର।