ରାମାୟଣ’ରେ ୨ ଓଡ଼ିଆ ପୁଅଙ୍କ କମାଲ୍, VFX ଓ ଆନିମେସନ୍‌ରେ ଦେଖାଇଲେ ଜଲୱା!

ବଲିଉଡ୍‌ର ବହୁଚର୍ଚ୍ଚିତ ବିଗ୍ ବଜେଟ୍ ଚଳଚ୍ଚିତ୍ର ‘ରାମାୟଣ’ ଏବେ ଦର୍ଶକଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି। ଫିଲ୍ମର କାହାଣୀ, ଅଭିନୟ ଓ ଚମତ୍କାର ଭିଜୁଆଲ୍ ଇଫେକ୍ଟସ୍‌କୁ ନେଇ ଆଲୋଚନା ଚାଲିଥିବାବେଳେ ଏହା ସହ ଯୋଡ଼ି ହୋଇଛି ଓଡ଼ିଶାର ଦୁଇ ଯୁବ ପ୍ରତିଭାଙ୍କ ନାଁ। ବରଗଡ଼ ଜିଲ୍ଲା ଲାଉମୁଣ୍ଡା ଗାଁର ଅମିତ ମେହେର ଓ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବେଲପାଳ ଗାଁର ଭ୍ରମରବର ଦାସ ଏହି ସିନେମାର VFX ଓ ଆନିମେସନ୍ କାମରେ ନିଜ ପ୍ରତିଭାର ପରିଚୟ ଦେଇଥିବା ଜଣାପଡ଼ିଛି।

ଅମିତ ମେହେର ଫିଲ୍ମରେ VFX କମ୍ପୋଜିଟର୍ ଭାବେ କାମ କରିଥିବାବେଳେ ଭ୍ରମରବର ଦାସ ଆନିମେସନ୍ ଓ 3D ଲୁକ୍ ପ୍ରସ୍ତୁତିରେ ନିଜ ଦକ୍ଷତା ଦେଖାଇଛନ୍ତି। ଏକ ଛୋଟ ଗାଁରୁ ମୁମ୍ବାଇର ସିନେମା ଜଗତ ପର୍ଯ୍ୟନ୍ତ ଅମିତଙ୍କ ଯାତ୍ରା ବେଶ୍ ସଂଘର୍ଷପୂର୍ଣ୍ଣ ରହିଛି। ଗାଁ ସ୍କୁଲରେ ପ୍ରାଥମିକ ଶିକ୍ଷା ଶେଷ କରିବା ପରେ ସେ ଉଚ୍ଚଶିକ୍ଷା ପାଇଁ ମୁମ୍ବାଇ ଯାଇଥିଲେ। ସେଠାରେ ବିକମ୍ ପଢ଼ିବା ସହ VFX ଓ ଆନିମେସନ୍‌ରେ ସ୍ୱତନ୍ତ୍ର ପ୍ରଶିକ୍ଷଣ ନେଇଥିଲେ।

ପରେ ମୁମ୍ବାଇରେ ନିଜ କ୍ୟାରିୟର୍ ଆରମ୍ଭ କରିଥିବା ଅମିତ ‘ମୈଦାନ’, ‘ସ୍କାଏ ଫୋର୍ସ’ ଓ ‘ଟକ୍ସିକ୍’ ଭଳି ଚଳଚ୍ଚିତ୍ରରେ କାମ କରିଛନ୍ତି। ଏବେ ‘ରାମାୟଣ’ ଭଳି ବଡ଼ ପ୍ରୋଜେକ୍ଟରେ ତାଙ୍କ ନାଁ ଯୋଡ଼ି ହେବା ପରେ ପରିବାର ଓ ସାଙ୍ଗସାଥୀଙ୍କ ମଧ୍ୟରେ ଖୁସିର ମାହୋଲ୍ ସୃଷ୍ଟି ହୋଇଛି। ଫିଲ୍ମର କ୍ରେଡିଟ୍‌ରେ ଅମିତଙ୍କ ନାଁ ଦେଖି ତାଙ୍କ ପରିବାର ଗର୍ବ ଅନୁଭବ କରିଛନ୍ତି।

ସେହିପରି ଭ୍ରମରବର ଦାସ ମଧ୍ୟ ଆନିମେସନ୍ ଓ 3D କାର୍ଯ୍ୟ ମାଧ୍ୟମରେ ନିଜ ପ୍ରତିଭାର ପରିଚୟ ଦେଇଛନ୍ତି। ଓଡ଼ିଶାର ଦୁଇ ମଫସଲ ଅଞ୍ଚଳର ଯୁବକଙ୍କ ଏହି ସଫଳତା ରାଜ୍ୟର ଅନେକ ଯୁବକଯୁବତୀଙ୍କ ପାଇଁ ପ୍ରେରଣା ପାଲଟିଛି। ସ୍ୱପ୍ନ ସହ କଠିନ ପରିଶ୍ରମ ଓ ଦୃଢ଼ ଇଚ୍ଛାଶକ୍ତି ରହିଲେ ଗାଁରୁ ବି ବିଶ୍ୱସ୍ତରୀୟ ସିନେମା ଜଗତରେ ନିଜ ପରିଚୟ ସୃଷ୍ଟି କରିହେବ, ତାହାର ଉଦାହରଣ ପାଲଟିଛନ୍ତି ଏହି ଦୁଇ ଓଡ଼ିଆ ପୁଅ।