Ukraine Drone Attack : ଋଷ ଉପରେ ୟୁକ୍ରେନର ଭୟଙ୍କର ଡ୍ରୋନ୍ ଆକ୍ରମଣ! ରାତାରାତି ୧୨୦୦ ଡ୍ରୋନ୍ ମାଡ଼, ୭ ମୃତ ଓ ୧୭ ଆହତ

ଋଷ-ୟୁକ୍ରେନ ଯୁଦ୍ଧରେ ପୁଣି ଭୟଙ୍କର ରୂପ ନେଇଛି ଡ୍ରୋନ୍ ଆକ୍ରମଣ। ଋଷ ଉପରେ ୟୁକ୍ରେନର ବଡ଼ ଧରଣର ହମଲା। ରାତାରାତି ପ୍ରାୟ ୧୨୦୦ ଡ୍ରୋନ୍ ମାଡ଼ କରିଛି ୟୁକ୍ରେନ। ଏହି ଆକ୍ରମଣରେ ଋଷର ତିନୋଟି ଅଞ୍ଚଳରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୭ ଜଣ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଜଣେ ୧୨ ବର୍ଷର ଶିଶୁ ମଧ୍ୟ ରହିଛନ୍ତି। ଆକ୍ରମଣ ପରେ ବିଭିନ୍ନ ସ୍ଥାନରେ ନିଆଁ ଲାଗିବା ସହ ବ୍ୟାପକ କ୍ଷୟକ୍ଷତି ଘଟିଥିବା ସୂଚନା ମିଳିଛି।

ଋଷ ପ୍ରତିରକ୍ଷା ମନ୍ତ୍ରଣାଳୟର ଦାବି ଅନୁଯାୟୀ, ଗୁରୁବାର ବିଳମ୍ବିତ ରାତିରୁ ଶୁକ୍ରବାର ସକାଳ ମଧ୍ୟରେ ୟୁକ୍ରେନ ପକ୍ଷରୁ ପଠାଯାଇଥିବା ୧୧୯୮ଟି ଦୂରଗାମୀ ଡ୍ରୋନ୍‌କୁ ଋଷର ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ଖସାଇ ଦେଇଛି। ତଥାପି ଅନେକ ସ୍ଥାନରେ ଆକ୍ରମଣ ଯୋଗୁଁ କ୍ଷୟକ୍ଷତି ହୋଇଛି। ଅନ୍ୟପଟେ ୟୁକ୍ରେନ ଋଷର ଭୋଲଗୋଗ୍ରାଡ୍ ସହରରେ ଥିବା ଏକ ପ୍ରମୁଖ ତୈଳ ବିଶୋଧନାଗାରକୁ ଟାର୍ଗେଟ୍ କରିଥିବା ଦାବି କରିଛି। ଆକ୍ରମଣ ପରେ ସେଠାରେ ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି।

ଏହାର ଜବାବରେ ଋଷ ମଧ୍ୟ ୟୁକ୍ରେନ ଉପରେ ୧୧୭ଟି ଡ୍ରୋନ୍ ଆକ୍ରମଣ କରିଛି। ଏଥିରେ ଅତିକମ୍‌ରେ ଦୁଇଜଣଙ୍କ ମୃତ୍ୟୁ ଘଟିଛି। ଦକ୍ଷିଣ ୟୁକ୍ରେନର ଜାପୋରିଝିଆ ଅଞ୍ଚଳରେ ଆକ୍ରମଣ ଯୋଗୁଁ ଆବାସିକ କୋଠା କ୍ଷତିଗ୍ରସ୍ତ ହୋଇଛି। ସେହିପରି ଋଷର ଆକ୍ରମଣ ଯୋଗୁଁ ୟୁକ୍ରେନର ୧୨ଟି ଅଞ୍ଚଳରେ ବିଦ୍ୟୁତ୍ ଯୋଗାଣ ପ୍ରଭାବିତ ହୋଇଛି।

ସବୁଠାରୁ ବଡ଼ କଥା ହେଉଛି, ଗୋଟିଏ ପଟେ ଯୁଦ୍ଧ ବନ୍ଦ କରିବାକୁ ଶାନ୍ତି ଆଲୋଚନା ଚାଲିଥିବା ବେଳେ ଅନ୍ୟପଟେ ଜାରି ରହିଛି ଭୟଙ୍କର ଆକ୍ରମଣ। ଆମେରିକାର ମଧ୍ୟସ୍ଥତାରେ ଆବୁଧାବିରେ ନଭେମ୍ବର ୧୦ ଓ ୧୧ ତାରିଖରେ ଦୁଇଦିନିଆ ଶାନ୍ତି ଆଲୋଚନା ଶେଷ ହୋଇଛି। ଆଗାମୀ ଆଲୋଚନାରେ ୟୁରୋପୀୟ ଦେଶଗୁଡ଼ିକୁ ସାମିଲ କରିବା ନେଇ ମଧ୍ୟ ଚର୍ଚ୍ଚା ଚାଲିଛି। ତେବେ ଯୁଦ୍ଧ ବନ୍ଦ ହେବାର କୌଣସି ସ୍ପଷ୍ଟ ସଙ୍କେତ ମିଳୁନାହିଁ। ଲଗାତାର ଡ୍ରୋନ୍ ଆକ୍ରମଣ ଯୋଗୁଁ ଉଭୟ ଦେଶର ସାଧାରଣ ନାଗରିକଙ୍କ ସୁରକ୍ଷାକୁ ନେଇ ଚିନ୍ତା ବଢ଼ିଛି।