ଆସାମରେ ବଡ଼ଧରଣର ରେଳ ଦୁର୍ଘଟଣା। ଲାଇନଚ୍ୟୁତ ହେଲା କୋଲକାତା–ସାଇରାଙ୍ଗ ଏକ୍ସପ୍ରେସ୍। ବୁଧବାର ସକାଳେ ଆସାମର ଗୁଆହାଟୀ ଉପକଣ୍ଠ ଡିଗାରୁ ରେଳ ଷ୍ଟେସନ ନିକଟରେ ଏହି ଅଘଟଣ ଘଟିଛି। ଟ୍ରେନ୍ର ଇଞ୍ଜିନ ସହ ଏକାଧିକ ବଗି ରେଳଧାରଣାରୁ ଖସିପଡ଼ିଥିବା ଜଣାପଡ଼ିଛି। ଦୁର୍ଘଟଣାରେ କିଛି ଯାତ୍ରୀ ଆହତ ହୋଇଥିବା ଖବର ମିଳିଥିବା ବେଳେ ଏପର୍ଯ୍ୟନ୍ତ କୌଣସି ମୃତ୍ୟୁ ଘଟିନଥିବା ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି।
ସୂଚନା ଅନୁଯାୟୀ, ନଭେମ୍ବର ୧୧ ତାରିଖ ବୁଧବାର ସକାଳ ପ୍ରାୟ ୬ଟା ୫୪ ମିନିଟ୍ରେ ଏହି ଦୁର୍ଘଟଣା ଘଟିଥିଲା। ଉତ୍ତର-ପୂର୍ବ ସୀମାନ୍ତ ରେଳବାଇର ପ୍ରାଥମିକ ସୂଚନା ଅନୁସାରେ ଟ୍ରେନ୍ର ୬ଟି ବଗି ଲାଇନଚ୍ୟୁତ ହୋଇଛି। ତେବେ ଇଞ୍ଜିନ ସମେତ ମୋଟ କେତେଟି ବଗି ପ୍ରଭାବିତ ହୋଇଛି, ସେନେଇ ବିଭିନ୍ନ ରିପୋର୍ଟରେ ଭିନ୍ନ ତଥ୍ୟ ସାମ୍ନାକୁ ଆସିଛି।
ପ୍ରାଥମିକ ରିପୋର୍ଟ ଅନୁସାରେ, ମିଜୋରାମର ସାଇରାଙ୍ଗରୁ କୋଲକାତା ଅଭିମୁଖେ ଯାତ୍ରା କରୁଥିବା ସମୟରେ ଟ୍ରେନ୍ଟି ଦୁର୍ଘଟଣାର ଶିକାର ହୋଇଥିଲା। ଦୁର୍ଘଟଣା ପରେ ଯାତ୍ରୀଙ୍କ ସୁରକ୍ଷାକୁ ନେଇ ଚିନ୍ତା ବଢ଼ିଥିଲା। ଖବର ପାଇବା ମାତ୍ରେ ରେଳବାଇର ବରିଷ୍ଠ ଅଧିକାରୀ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳକୁ ଯାଇଥିଲେ। ଏହାସହ ରେଳଧାରଣା ପୁନରୁଦ୍ଧାର ପାଇଁ ମଧ୍ୟ ପଦକ୍ଷେପ ଆରମ୍ଭ ହୋଇଛି।
ଉତ୍ତର-ପୂର୍ବ ସୀମାନ୍ତ ରେଳବାଇର ମୁଖ୍ୟ ଲୋକସମ୍ପର୍କ ଅଧିକାରୀ କପିଞ୍ଜଲ କିଶୋର ଶର୍ମା କହିଛନ୍ତି ଯେ, ଏପର୍ଯ୍ୟନ୍ତ ଦୁର୍ଘଟଣାରେ କୌଣସି ମୃତାହତଙ୍କ ସମ୍ପର୍କରେ ନିଶ୍ଚିତ ସୂଚନା ମିଳିନାହିଁ। ଅନ୍ୟପଟେ କେତେକ ଗଣମାଧ୍ୟମରେ ଏକାଧିକ ଯାତ୍ରୀ ଆହତ ହୋଇଥିବା ଦାବି କରାଯାଇଛି। ତେବେ ଆହତଙ୍କ ପ୍ରକୃତ ସଂଖ୍ୟା ଏବଂ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ସ୍ପଷ୍ଟ ସରକାରୀ ତଥ୍ୟ ମିଳିନାହିଁ।
କେଉଁ କାରଣରୁ ଏତେ ବଡ଼ ରେଳ ଦୁର୍ଘଟଣା ଘଟିଲା, ତାହାକୁ ନେଇ ପ୍ରଶ୍ନ ଉଠିଛି। ଦୁର୍ଘଟଣାର ପ୍ରକୃତ କାରଣ, କ୍ଷୟକ୍ଷତି ଓ ଯାତ୍ରୀଙ୍କ ସ୍ଥିତି ସମ୍ପର୍କରେ ରେଳବାଇର ପରବର୍ତ୍ତୀ ସୂଚନାକୁ ଅପେକ୍ଷା କରାଯାଇଛି। ଏହି ଘଟଣାକୁ ନେଇ ଅଧିକ ତଥ୍ୟ ସାମ୍ନାକୁ ଆସିବାର ସମ୍ଭାବନା ରହିଛି।