Cancer Medicine Price Cut : କ୍ୟାନ୍ସର ରୋଗୀଙ୍କ ପାଇଁ ବଡ଼ ଖୁସି ଖବର! ଶସ୍ତା ହେଲା ୧୦୦୦ରୁ ଅଧିକ ଔଷଧ, କିଛି ଔଷଧର ଦାମ୍ ୯୬% ପର୍ଯ୍ୟନ୍ତ ହ୍ରାସ

କ୍ୟାନ୍ସର ରୋଗୀ ଓ ସେମାନଙ୍କ ପରିବାର ପାଇଁ ବଡ଼ ଆଶ୍ୱସ୍ତିକର ଖବର। ମହଙ୍ଗା କ୍ୟାନ୍ସର ଚିକିତ୍ସା ମଧ୍ୟରେ ଔଷଧ ଦାମ୍ କମାଇବାକୁ ବଡ଼ ପଦକ୍ଷେପ ନେଇଛନ୍ତି କେନ୍ଦ୍ର ସରକାର। ନଭେମ୍ବର ୯ ତାରିଖରୁ ଦେଶରେ କ୍ୟାନ୍ସର ଚିକିତ୍ସାରେ ବ୍ୟବହୃତ ଅନେକ ଔଷଧର ନୂଆ ଦର ଲାଗୁ ହୋଇଛି। କିଛି ଔଷଧର ଦାମ୍ ୯୬ ପ୍ରତିଶତରୁ ଅଧିକ କମିଥିବାବେଳେ ହଜାର ହଜାର ରୋଗୀ ଏହାର ଲାଭ ପାଇପାରିବେ।

ନ୍ୟାସନାଲ୍ ଫାର୍ମାସ୍ୟୁଟିକାଲ୍ ପ୍ରାଇସିଂ ଅଥରିଟି ବା NPPA ପକ୍ଷରୁ ୧୩୭ଟି କ୍ୟାନ୍ସର ଔଷଧର ବାଣିଜ୍ୟିକ ଲାଭ ସୀମା ୩୦ ପ୍ରତିଶତ ମଧ୍ୟରେ ରଖାଯାଇଛି। ନଭେମ୍ବର ୭ରେ ସରକାର ପ୍ରକାଶ କରିଥିବା ତଥ୍ୟ ଅନୁଯାୟୀ, ୭୬ଟି ଫାର୍ମା କମ୍ପାନୀ ୧୨୨୫ଟି ଔଷଧ ଫର୍ମୁଲେସନ୍‌ର ନୂଆ ଏମ୍‌ଆର୍‌ପି ଦାଖଲ କରିଥିଲେ। ସେଥିମଧ୍ୟରୁ ୧୦୩୧ଟିର ଦାମ୍ ହ୍ରାସ ପାଇଛି। ପ୍ରାୟ ୬୦୦ଟି ବ୍ରାଣ୍ଡର ମୂଲ୍ୟ ୫୦ ପ୍ରତିଶତରୁ ଅଧିକ କମିଛି।

ଉଦାହରଣ ସ୍ୱରୂପ, କ୍ୟାନ୍ସର ଚିକିତ୍ସାରେ ବ୍ୟବହୃତ Bryxta ଇଞ୍ଜେକ୍ସନ୍‌ର ଦାମ୍ ପୂର୍ବରୁ ୨୫ ହଜାର ୯୯୫ ଟଙ୍କା ଥିବାବେଳେ ଏବେ ୩ ହଜାର ୩୧୮ ଟଙ୍କା ହୋଇଛି। ଏହି ନିଷ୍ପତ୍ତି ଫଳରେ ରୋଗୀମାନଙ୍କର ବର୍ଷକୁ ପ୍ରାୟ ୩ ହଜାର ୫୦୨ କୋଟି ଟଙ୍କା ସଞ୍ଚୟ ହୋଇପାରିବ ବୋଲି ସରକାର ଆକଳନ କରିଛନ୍ତି।

ତେବେ ସବୁ କ୍ୟାନ୍ସର ଔଷଧର ଦାମ୍ ସମାନ ଭାବେ କମିନାହିଁ। କେତେକ ଦାମୀ ପେଟେଣ୍ଟ୍‌ଯୁକ୍ତ ଔଷଧର ମୂଲ୍ୟ ଅପରିବର୍ତ୍ତିତ ରହିଛି। ଏହାର କାରଣ ହେଉଛି ସରକାର ଔଷଧ ଉତ୍ପାଦନ ମୂଲ୍ୟ ପରିବର୍ତ୍ତେ ବିତରକ ଓ ବିକ୍ରେତାଙ୍କ ଲାଭ ସୀମାକୁ ନିୟନ୍ତ୍ରଣ କରିଛନ୍ତି।

ପୁରୁଣା ଷ୍ଟକ୍‌ର ଔଷଧ ଉପରେ ମଧ୍ୟ ନୂଆ ଦର ଲାଗୁ ହେବ। ନଭେମ୍ବର ୯ ପରଠାରୁ ଦୋକାନ ଓ ହସ୍ପିଟାଲଗୁଡ଼ିକୁ ନିର୍ଦ୍ଧାରିତ ନୂଆ ଦରରେ ଔଷଧ ବିକ୍ରି କରିବାକୁ ପଡ଼ିବ। ରୋଗୀମାନେ NPPA ୱେବସାଇଟ୍ କିମ୍ବା Pharma Sahi Daam ଆପ୍‌ରୁ ନୂଆ ଦର ଯାଞ୍ଚ କରିପାରିବେ।