ବିଶ୍ୱର ସବୁଠାରୁ ବଡ଼ AI ଚିପ୍ ନିର୍ମାତା କମ୍ପାନୀ Nvidiaକୁ ନେଇ ଉଠିଛି ବଡ଼ ବିବାଦ। ଚୀନ୍ର ଜାସୁସି ଜାଲରେ ଫସିଥିଲେ କି Nvidiaର ସିଇଓ ଜେନସେନ୍ ହୁଆଙ୍ଗ? ଜଣେ ଚୀନ୍ ମହିଳାଙ୍କ ସହ ତାଙ୍କ ସମ୍ପର୍କକୁ ନେଇ ଏବେ ଆମେରିକାରେ ସୃଷ୍ଟି ହୋଇଛି ହଇଚଇ। ଆମେରିକୀୟ ଗୁଇନ୍ଦା ସଂସ୍ଥାର ସୂଚନାକୁ ଆଧାର କରି ପ୍ରକାଶିତ ରିପୋର୍ଟରେ ଏଲିସ୍ ହୁଆଙ୍ଗ ନାମକ ଜଣେ ମହିଳାଙ୍କୁ ଚୀନ୍ର ସନ୍ଦିଗ୍ଧ ଗୁପ୍ତଚର ବୋଲି ଦର୍ଶାଯାଇଛି। ତେବେ ଏହି ଅଭିଯୋଗ ଏପର୍ଯ୍ୟନ୍ତ ସାର୍ବଜନୀନ ପ୍ରମାଣ ଦ୍ୱାରା ସିଦ୍ଧ ହୋଇନାହିଁ।
ରିପୋର୍ଟ ଅନୁଯାୟୀ, ଏଲିସ୍ ହୁଆଙ୍ଗଙ୍କ ସହ ଜେନସେନ୍ ହୁଆଙ୍ଗଙ୍କ ଘନିଷ୍ଠ ସମ୍ପର୍କ ଥିଲା। ଚୀନ୍ର ଗୁଇନ୍ଦା ସଂସ୍ଥା Ministry of State Security ଏଲିସ୍ଙ୍କୁ ବ୍ୟବହାର କରି Nvidiaର ଅତ୍ୟାଧୁନିକ AI ଚିପ୍, ସେମିକଣ୍ଡକ୍ଟର ପ୍ରଯୁକ୍ତି ଏବଂ ବ୍ୟବସାୟିକ ରଣନୀତି ସମ୍ପର୍କରେ ଗୁପ୍ତ ସୂଚନା ସଂଗ୍ରହ କରିବାକୁ ଚେଷ୍ଟା କରିଥିବା ସନ୍ଦେହ କରାଯାଉଛି।
ସବୁଠାରୁ ବଡ଼ କଥା ହେଉଛି, ଜେନସେନ୍ ହୁଆଙ୍ଗ ନିଜ ପତ୍ନୀଙ୍କ ପ୍ରତି ବିଶ୍ୱସ୍ତ ନଥିବା କଥା କମ୍ପାନୀ କର୍ମଚାରୀଙ୍କୁ ପଠାଇଥିବା ଏକ ବାର୍ତ୍ତାରେ ସ୍ୱୀକାର କରିଛନ୍ତି। ନିଜ କାର୍ଯ୍ୟ ପାଇଁ ସେ କ୍ଷମା ମଧ୍ୟ ମାଗିଛନ୍ତି। ଏହାପରେ Nvidiaର ବୋର୍ଡ ସ୍ୱାଧୀନ ତଦନ୍ତ ଆରମ୍ଭ କରିଛି। ତେବେ କମ୍ପାନୀର ଗୁପ୍ତ ତଥ୍ୟ କିମ୍ବା ଆମେରିକାର ଜାତୀୟ ସୁରକ୍ଷା ପ୍ରଭାବିତ ହୋଇଥିବାର କୌଣସି ପ୍ରମାଣ ଏପର୍ଯ୍ୟନ୍ତ ମିଳିନଥିବା Nvidia ପକ୍ଷରୁ କୁହାଯାଇଛି।
ଅନ୍ୟପଟେ ଏହି ଅଭିଯୋଗକୁ ଖଣ୍ଡନ କରିଛି ଚୀନ୍। ଚୀନ୍ ବୈଦେଶିକ ମନ୍ତ୍ରଣାଳୟ ଏହାକୁ ଭିତ୍ତିହୀନ ଅଭିଯୋଗ ବୋଲି କହିଛି। ସେପଟେ ଘଟଣାକୁ ନେଇ ଆମେରିକାରେ ରାଜନୈତିକ ଚାପ ବଢ଼ିବା ସହ Nvidiaର ସେୟାର ମୂଲ୍ୟ ମଧ୍ୟ ପ୍ରଭାବିତ ହୋଇଛି। ଏବେ ପ୍ରଶ୍ନ ଉଠୁଛି, ଏହା କେବଳ ବ୍ୟକ୍ତିଗତ ସମ୍ପର୍କ ନା ଏହା ପଛରେ ରହିଛି କୌଣସି ବଡ଼ ଅନ୍ତର୍ଜାତୀୟ ଜାସୁସି ଷଡ଼ଯନ୍ତ୍ର? ତଦନ୍ତ ପରେ ହିଁ ସାମ୍ନାକୁ ଆସିବ ପ୍ରକୃତ ସତ।