
ଦର୍ଶକବନ୍ଧୁ ଡାକ୍ତରଙ୍କ ପ୍ରେସ୍କ୍ରିପସନ୍ କହିଲେ ସାଧାରଣତଃ ମନକୁ ଆସେ ଛଟା ଇଂରାଜୀ ଅକ୍ଷର, ମେଡିକାଲ୍ ଟର୍ମ ଆଉ ବୁଝିବା କଷ୍ଟକର ହାତଲେଖା। କିନ୍ତୁ ଏଥର ଚିତ୍ରଟା ଟିକିଏ ଅଲଗା। ଇଂରାଜୀ ନୁହେଁ, ରୋଗୀଙ୍କ ପାଇଁ ଓଡ଼ିଆରେ ଲେଖାଯାଇଛି ପରାମର୍ଶ। ଆଉ ଏହି ଓଡ଼ିଆ ହାତଲେଖା ପ୍ରେସ୍କ୍ରିପସନ୍ ଏବେ ଚର୍ଚ୍ଚାରେ। କୋରାପୁଟ ଏସ୍.ଏଲ୍.ଏନ୍. ମେଡିକାଲ କଲେଜ ଓ ହସ୍ପିଟାଲ। ହସ୍ପିଟାଲର ଜେନେରାଲ୍ ସର୍ଜରୀ ବିଭାଗର ଏକ ଓପିଡି ପ୍ରେସ୍କ୍ରିପସନ୍ ଏବେ ସୋସିଆଲ୍ ମିଡିଆରେ ଖୁବ ଭାଇରଲ ହେଉଛି । କାରଣ, ଏହି ପ୍ରେସ୍କ୍ରିପସନ୍ରେ ଦେଖିବାକୁ ମିଳିଛି ଏକ ନୂଆ ଭାଷାର ବ୍ୟବହାର। ହଁ ଆଜ୍ଞା ସେ ଭାଷା କୋଉ ଏମିତି ସେମିତି ଭାଷା ନୁହେଁ ସେ ହେଉଛି ଆମ ମାତୃଭାଷା ଓଡ଼ିଆ | ୨୨ ସେପ୍ଟେମ୍ବର ୨୦୨୬ର ଓପିଡି କାର୍ଡରେ ରୋଗୀଙ୍କ ସମସ୍ୟା, ପରାମର୍ଶ ଓ କିଛି ନିର୍ଦ୍ଦେଶ ଓଡ଼ିଆରେ ହାତରେ ଲେଖାଯାଇଥିବା ଦେଖାଯାଉଛି। ଯଦିଓ ଔଷଧର ନାମ ଓ କିଛି ଚିକିତ୍ସା ପଦାବଳୀ ଇଂରାଜୀରେ ରହିଛି, ରୋଗୀଙ୍କୁ ବୁଝାଇବାକୁ ଥିବା ନିର୍ଦ୍ଦେଶ ଖାଣ୍ଟି ଓଡ଼ିଆ, ଭାଷାରେ ଲେଖାଯାଇଛି ।ପ୍ରେସ୍କ୍ରିପସନ୍ରେ GERD ଭଳି ମେଡିକାଲ୍ ଟର୍ମ ମଧ୍ୟ ରହିଛି। ଅର୍ଥାତ୍ ଚିକିତ୍ସାର ଆବଶ୍ୟକୀୟ ପଦାବଳୀ ସହିତ ରୋଗୀ ଯେପରି ସହଜରେ ପରାମର୍ଶ ବୁଝିପାରିବେ, ସେଥିପାଇଁ ଓଡ଼ିଆରେ ନିର୍ଦ୍ଦେଶ ଦିଆଯାଇଥିବା ଦେଖାଯାଉଛି| ତେବେ ଏଠି ଉଠୁଛି ବଡ଼ ପ୍ରଶ୍ନ, ଡାକ୍ତରୀ ଚିକିତ୍ସାରେ ଯଦି ମାତୃଭାଷାର ବ୍ୟବହାର ବଢ଼େ, ତେବେ ରୋଗୀଙ୍କ ପାଇଁ ଚିକିତ୍ସା ପରାମର୍ଶ ବୁଝିବା ଆହୁରି ସହଜ ହେବ କି? କାରଣ ଅନେକ ସମୟରେ ରୋଗୀ ନିଜ ଭାଷାରେ ନିଜ ସମସ୍ୟା ଡାକ୍ତରଙ୍କୁ କହିଥାନ୍ତି। କିନ୍ତୁ ପ୍ରେସ୍କ୍ରିପସନ୍ ହାତକୁ ଆସିଲେ ଦେଖିବାକୁ ମିଳେ ଅନେକ ଅପରିଚିତ ଇଂରାଜୀ ଶବ୍ଦ। ଔଷଧ କେତେବେଳେ ଖାଇବେ, କଣ ଖାଇବେ ନାହିଁ, କେଉଁ ସତର୍କତା ରଖିବେ, ଏସବୁ ଯଦି ରୋଗୀଙ୍କୁ ତାଙ୍କ ନିଜ ଭାଷାରେ ବୁଝାଇ ଦିଆଯାଏ, ତେବେ ନିର୍ଦ୍ଦେଶ ପାଳନ କରିବା ଅଧିକ ସହଜ ହୋଇପାରେ| ଓଡ଼ିଆ ଭାଷାରେ ବିଜ୍ଞାନ ଓ ଚିକିତ୍ସା ଜ୍ଞାନର ବ୍ୟବହାରକୁ ନେଇ ମଧ୍ୟ ଦୀର୍ଘଦିନ ଧରି ଆଲୋଚନା ଚାଲିଛି। ୨୦୨୪ର ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀରେ ମଧ୍ୟ ‘ବିଜ୍ଞାନର ଭାଷା ରୂପେ ଓଡ଼ିଆ’ ପ୍ରସଙ୍ଗ ଚର୍ଚ୍ଚାକୁ ଆସିଥିଲା। ଚିକିତ୍ସା କ୍ଷେତ୍ରରେ ମାତୃଭାଷାର ବ୍ୟବହାର ନେଇ ମଧ୍ୟ ମତ ପ୍ରକାଶ ପାଇଥିଲା।ଆଉ ଏବେ କୋରାପୁଟର ଏହି ଗୋଟିଏ ପ୍ରେସ୍କ୍ରିପସନ୍ ସେହି ଆଲୋଚନାକୁ ପୁଣି ତାଜା କରିଦେଇଛି| ଡାକ୍ତରଙ୍କ ହାତରେ ଓଡ଼ିଆ ପ୍ରେସ୍କ୍ରିପସନ୍, ଆଉ ରୋଗୀଙ୍କ ପାଇଁ ବୁଝିବାର ଭାଷା ବି ଓଡ଼ିଆ| ତେବେ ଏହା କେବଳ ଜଣେ ଡାକ୍ତରଙ୍କ ଭିନ୍ନ ଧରଣର ପ୍ରେସ୍କ୍ରିପସନ୍ ନା ଚିକିତ୍ସା କ୍ଷେତ୍ରରେ ମାତୃଭାଷାର ବ୍ୟବହାର ଏହାକୁ ନେଇ ଏକ ନୂଆ ଚିନ୍ତାର ଆରମ୍ଭ ହୋଇଛି |