ଢେଙ୍କାନାଳରେ ଖୋଲିଲା ଚାଉଳ ଏଟିଏମ୍, ୨୪ ଘଣ୍ଟିଆ ସେବା ପାଇବେ ହିତାଧିକାରୀ

ଢେଙ୍କାନାଳ: ଢେଙ୍କାନାଳରେ ଆରମ୍ଭ ହୋଇଛି ଚାଉଳ ଏଟିଏମ୍ ସେବା। ଢେଙ୍କାନାଳ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆର୍‌ଟିଓ) ନିକଟରେ ଏହି ଚାଉଳ ଏଟିଏମ୍‌ର ଉଦଘାଟନ କରିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ର । ସ୍ୱାୟତ୍ତ ଶାସନ ଦିବସ ଅବସରରେ ଢେଙ୍କାନାଳବାସୀଙ୍କୁ ଏହି ସୁବିଧା ଉପହାର ଦିଆଯାଇଥିବା ନେଇ ମନ୍ତ୍ରୀ କହିଛନ୍ତି।

ଏହି ଚାଉଳ ଏଟିଏମ୍‌ ଜରିଆରେ ହିତାଧିକାରୀମାନେ ୨୪ ଘଣ୍ଟିଆ ସେବା ପାଇପାରିବେ। ଫିଙ୍ଗରପ୍ରିଣ୍ଟ ଦେବା ସହ କାର୍ଡ ନମ୍ବର ଦାଖଲ କରି ହିତାଧିକାରୀମାନେ ନିଜର ଆବଶ୍ୟକତା ଅନୁଯାୟୀ ଚାଉଳ ଉଠାଇପାରିବେ।ଭୁବନେଶ୍ୱର ଓ ଝାରସୁଗୁଡ଼ା ପରେ ଢେଙ୍କାନାଳରେ ଏହି ଚାଉଳ ଏଟିଏମ୍ ସ୍ଥାପନ କରାଯାଇଛି। ଆଗାମୀ ଦିନରେ ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ଗୋଟିଏ ଲେଖାଏଁ ଚାଉଳ ଏଟିଏମ୍ ଖୋଲାଯିବ ବୋଲି ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ର ସୂଚନା ଦେଇଛନ୍ତି।

ଉଦଘାଟନ ପରେ ଯୋଗ୍ୟ ହିତାଧିକାରୀମାନେ ଫିଙ୍ଗରପ୍ରିଣ୍ଟ ଦେଇ ଏଟିଏମ୍‌ରୁ ଚାଉଳ ଉଠାଇଥିଲେ। ବିଭିନ୍ନ କାରଣରୁ ଯଦି କୌଣସି ହିତାଧିକାରୀ ନିୟମିତ ଡିଲରଙ୍କ ନିକଟକୁ ଯାଇ ଚାଉଳ ନେଇପାରୁନାହାନ୍ତି, ତେବେ ଏହି ଏଟିଏମ୍‌ରୁ ଆବଶ୍ୟକତା ଅନୁସାରେ ଚାଉଳ ଉଠାଇପାରିବେ। ଏହା ଦ୍ୱାରା ହିତାଧିକାରୀଙ୍କୁ ଅଧିକ ସୁବିଧା ମିଳିବା ସହ ରାସନ ବଣ୍ଟନ ବ୍ୟବସ୍ଥାରେ ମଧ୍ୟ ସ୍ୱଚ୍ଛତା ଆସିବ ବୋଲି କୁହାଯାଇଛି।