
ଲଗାଣ ବର୍ଷା ପରେ ମହାନଦୀ ଓ ଦେବୀ ନଦୀରେ ଜଳସ୍ତର ବୃଦ୍ଧି ପାଇବା ସହ ଜଗତସିଂହପୁର ଜିଲ୍ଲାରେ ବନ୍ୟା ପରିସ୍ଥିତି ଗମ୍ଭୀର ହୋଇପଡ଼ିଛି। ନଦୀର ପାଣି ତଳିଆ ଅଞ୍ଚଳକୁ ପ୍ରବେଶ କରିବାରୁ ଅନେକ ଗାଁ ଜଳବନ୍ଦୀ ହୋଇଛି ଏବଂ ଜନଜୀବନ ବ୍ୟାପକ ଭାବେ ପ୍ରଭାବିତ ହୋଇଛି।ଜିଲ୍ଲାର କୁଜଙ୍ଗ, ତିର୍ତ୍ତୋଲ ଓ ବିରିଡ଼ି ବ୍ଲକ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି। ଗ୍ରାମାଞ୍ଚଳରେ ରାସ୍ତାଘାଟ ଜଳମଗ୍ନ ହୋଇଥିବା ବେଳେ ଅନେକ ସ୍ଥାନରେ ଯାତାୟାତ ବ୍ୟାହତ ହୋଇଛି। ବନ୍ୟା ପାଣି ଚାଷଜମିରେ ପଶିଯିବାରୁ ୬ ହଜାରରୁ ଅଧିକ ଏକର ଚାଷଜମି ଜଳମଗ୍ନ ହୋଇଥିବା ସୂଚନା ମିଳିଛି। ଫଳରେ ଚାଷୀମାନେ ବଡ଼ କ୍ଷତିର ସମ୍ମୁଖୀନ ହୋଇଛନ୍ତି।
ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛି। ଜଗତସିଂହପୁର ଜିଲ୍ଲାର ୧୦୪ଟି ସ୍କୁଲ ଓ ୧୯୦ଟି ଅଙ୍ଗନବାଡ଼ି କେନ୍ଦ୍ରକୁ ଅସ୍ଥାୟୀ ଭାବେ ବନ୍ଦ ଘୋଷଣା କରାଯାଇଛି, ଯାହାଦ୍ୱାରା ଛାତ୍ରଛାତ୍ରୀ ଓ ଶିଶୁମାନଙ୍କ ସୁରକ୍ଷା ସୁନିଶ୍ଚିତ ହୋଇପାରିବ।ପ୍ରଶାସନ ପକ୍ଷରୁ ବନ୍ୟା ପ୍ରଭାବିତ ଅଞ୍ଚଳରେ ନଜରଦାରି ବଢ଼ାଯାଇଥିବା ବେଳେ ଆବଶ୍ୟକ ସ୍ଥାନରେ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ପାଇଁ ବ୍ୟବସ୍ଥା କରାଯାଇଛି। ନଦୀର ଜଳସ୍ତର ଉପରେ ପ୍ରଶାସନ ନିରନ୍ତର ନଜର ରଖିଛି ଏବଂ ତଳିଆ ଅଞ୍ଚଳର ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।