ସ୍ୱାଧୀନତାର ଦୀର୍ଘବର୍ଷପରେ ବି ଆଜି ପିଇବା ପାଣି ଟୋପେ ପାଇଁ ଡହଳ ବିକଳ ହେଉଛନ୍ତି ପତ୍ରପୁର ପଞ୍ଚାୟତର 60 ପରିବାର।ଗୋଟେପଟେ ସରକାର ବିକଶିତ ଗାଁ, ବିକଶିତ ଓଡ଼ିଶା ଯୋଜନା ନାରା ଦେଇ ବିକାଶ ନାଁ ରେ ଡିଣ୍ଡିମ ପିଟୁଥିବାବେଳେ, ଅନ୍ୟପଟେ ମୌଳିକ ସୁବିଧା, ପାନୀୟ ଜଳରୁ ବଞ୍ଚିତ ହେଉଛନ୍ତି ଓଡ଼ିଶାର ଶତାଧିକ ପଞ୍ଚାୟତରେ ହଜାର ହଜାର ଗାଁ ।ଆମ ନଜରକୁ ଆସିଛି ଏମିତି ଏକ ଗାଁ ଯେଉଁଠି ଏଭଳି ଏକ ଦୟନୀୟ ଚିତ୍ର ଦେଖିବାକୁ ମିଳିଛି।
କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ ଅଧୀନ ପତ୍ରପୁର ପଞ୍ଚାୟତର ୬ ଓ ୭ ନମ୍ବର ଏହି ଦୁଇଟି ୱାର୍ଡରେ ପ୍ରାୟ ୬୦ଟି ପରିବାର ବସବାସ କରୁଥିବା ବେଳେ, ଦୀର୍ଘ ଦିନ ଧରି ପାନୀୟ ଜଳ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।ଗ୍ରାମର ନାକିମଙ୍ଗଳା ଠାକୁରାଣୀଙ୍କ ମନ୍ଦିର ନିକଟରେ ଥିବା ନଳକୂପ ପ୍ରାୟ ଛଅ ମାସ ହେବ ଅଚଳ ହୋଇ ପଡ଼ିରହିଛି। ସେହିପରି ଅଙ୍ଗନୱାଡ଼ି କେନ୍ଦ୍ର ନିକଟରେ ଥିବା ଅନ୍ୟ ଏକ ନଳକୂପ ପନ୍ଦର ଦିନ ହେବ ଅଚଳ ଅବସ୍ଥାରେ ରହିଛି। ଗ୍ରାମକୁ ଯୋଗାଯାଉଥିବା ବୋରିଂ ପାଣି ଉପରେ ଲୋକେ ନିର୍ଭରଶୀଳ ଥିଲେ ମଧ୍ୟ, ପଞ୍ଚାୟତର ଅବହେଳା ଯୋଗୁଁ ତାହା ନିୟମିତ ଭାବେ ମିଳୁନାହିଁ।
ପରିସ୍ଥିତି ଏପରି ହୋଇଛି ଯେ, ବାଧ୍ୟ ହୋଇ ଗ୍ରାମବାସୀ ପୋଖରୀ ଓ ନାଳର ଅପରିଷ୍କାର ଜଳ ଉପରେ ନିର୍ଭର କରୁଛନ୍ତି। ପ୍ରଭାବରେ ଗ୍ରାମର ମହିଳା ଓ ଛୋଟ ଛୋଟ ଶିଶୁ ବିଭିନ୍ନ ଜଳବାହିତ ଓ ଅନ୍ୟାନ୍ୟ ରୋଗରେ ପୀଡ଼ିତ ହେଉଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି।ସମସ୍ୟାର ସମାଧାନ ପାଇଁ ପଞ୍ଚାୟତ, ପାନୀୟ ଜଳ ଯୋଗାଣ ବିଭାଗ, ସ୍ଥାନୀୟ ସରପଞ୍ଚ ଓ ୱାର୍ଡ ସଭ୍ୟଙ୍କୁ ବାରମ୍ବାର ଜଣାଇଥିଲେ ମଧ୍ୟ କୌଣସି ଫଳ ମିଳିନଥିବାରୁ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ତୁରନ୍ତ ପାନୀୟ ଜଳ ସମସ୍ୟାର ସ୍ଥାୟୀ ସମାଧାନ କରିବାକୁ ୬ ଓ ୭ ନମ୍ବର ୱାର୍ଡବାସୀ ପ୍ରଶାସନଙ୍କ ନିକଟରେ ଦାବି କରିଛନ୍ତି।
ତେବେ ଆଳି ବ୍ଲକ ପ୍ରଶାସନ, ପଞ୍ଚାୟତିରାଜ ବିଭାଗ ଓ ପାନୀୟ ଜଳ ବିଭାଗ କେବେ ଏହି ସମସ୍ୟାର ସ୍ଥାୟୀ ସମାଧାନ କରି ଅଞ୍ଚଳବାସୀଙ୍କୁ ନିୟମିତ ବିଶୁଦ୍ଧ ପାନୀୟ ଜଳ ଯୋଗାଇଦେବେ, ସେଥିପ୍ରତି ସମସ୍ତଙ୍କ ଅପେକ୍ଷା ରହିଛି।