
ଚଳିତ ବର୍ଷର ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୬ର ବିଜେତା ଜ୍ୟୋତିର୍ମୟୀ ନାୟକଙ୍କୁ ଆଜି ନିଜ ସରକାରୀ ବାସଭବନରେ ସମ୍ବର୍ଦ୍ଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଏହି ଅବସରରେ ସେ ଜ୍ୟୋତିର୍ମୟୀଙ୍କ ପାଇଁ ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛନ୍ତି।ଜ୍ୟୋତିର୍ମୟୀ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ପ୍ରଦର୍ଶନ କରିବା ସହ ସଫଳତା ପଛରେ ଥିବା ନିଜର କଠିନ ପରିଶ୍ରମ, ସଂଘର୍ଷ ଓ ଅଧ୍ୟବସାୟ ବିଷୟରେ ଆଲୋଚନା କରିଥିଲେ।
ମୁଖ୍ୟମନ୍ତ୍ରୀ ଜ୍ୟୋତିର୍ମୟୀଙ୍କୁ ଅଭିନନ୍ଦନ ଜଣାଇ କହିଥିଲେ ଯେ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରୁ ସେ ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି। ନୂଆ ପିଢ଼ିର କଣ୍ଠଶିଳ୍ପୀଙ୍କ ପାଇଁ ଜ୍ୟୋତିର୍ମୟୀ ଏକ ପ୍ରେରଣା ବୋଲି ମଧ୍ୟ ସେ ମତ ପ୍ରକାଶ କରିଥିଲେ।ସଙ୍ଗୀତ କ୍ଷେତ୍ରରେ ସଫଳତା ସହିତ ଜ୍ୟୋତିର୍ମୟୀ ସମାଜସେବାରେ ମଧ୍ୟ ନିଜକୁ ନିୟୋଜିତ କରିଛନ୍ତି। ସେ ରାଜ୍ୟର ବିଭିନ୍ନ କ୍ୟାନସର ହସ୍ପିଟାଲରେ ମ୍ୟୁଜିକ୍ ଥେରାପି ମାଧ୍ୟମରେ ରୋଗୀଙ୍କୁ ସହାୟତା କରୁଥିବା ଜଣାପଡ଼ିଛି। ତାଙ୍କ ଏହି ଉଦ୍ୟମକୁ ମଧ୍ୟ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଥିଲେ।