ଯୁବପିଢ଼ିଙ୍କୁ ନିଶାଠାରୁ ଦୂରେଇ ରହିବାକୁ ଆହ୍ୱାନ

ଆନ୍ତର୍ଜାତୀୟ ଡ୍ରଗ୍ସ ନିରୋଧ ଦିବସ ଅବସରରେ ବାଣୀଧାରା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଜୟଦେବ ସଦନ ପରିସରରେ ଏକ ଡ୍ରଗ୍ସ ବିରୋଧୀ ସଚେତନତା ସଭା ଆୟୋଜିତ ହୋଇଥିଲା। ଯୁବପିଢ଼ିଙ୍କୁ ଡ୍ରଗ୍ସ ଓ ନିଶାଠାରୁ ଦୂରେଇ ରଖିବା ଉଦ୍ଦେଶ୍ୟରେ ଟ୍ରଷ୍ଟ ପକ୍ଷରୁ ବିଭିନ୍ନ ସମୟରେ ସଚେତନତା କାର୍ଯ୍ୟକ୍ରମ କରାଯାଉଥିବା ବେଳେ, ଏହି ଅବସରରେ ମଧ୍ୟ ଏକ ବ୍ୟାପକ ଜନସଚେତନତା ଅଭିଯାନ ଚାଲିଥିଲା।

ଆଇନଜୀବି ଗତିକୃଷ୍ଣ ଶତପଥୀଙ୍କ ନେତୃତ୍ୱରେ ସକାଳୁ ଏକ ସଚେତନତା ପଦଯାତ୍ରା ପାରାଦୀପ ସହର ପରିକ୍ରମା କରିଥିଲା। ପଦଯାତ୍ରାରେ ସାମିଲ ହୋଇଥିବା ସଦସ୍ୟମାନେ ଯୁବପିଢ଼ିଙ୍କୁ ନିଶାଠାରୁ ଦୂରେଇ ରହିବା ଏବଂ ସୁସ୍ଥ ସମାଜ ଗଠନରେ ସହଯୋଗ କରିବା ପାଇଁ ସଚେତନତା ବାର୍ତ୍ତା ଦେଇଥିଲେ।ସନ୍ଧ୍ୟାରେ ଆୟୋଜିତ ସଚେତନତା ସଭାରେ ଜଗତସିଂହପୁର ସାଂସଦ ବିଭୂପ୍ରସାଦ ତରାଇ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଯୁବସମାଜକୁ ଡ୍ରଗ୍ସ ନିଶାର କୁପ୍ରଭାବରୁ ସତର୍କ ରହିବାକୁ ଆହ୍ୱାନ କରିଥିଲେ। ସମ୍ମାନିତ ଅତିଥି ଭାବେ ପାରାଦୀପ ପୌର ପରିଷଦ ଅଧ୍ୟକ୍ଷ ବସନ୍ତ ବିଶ୍ୱାଳ, ହାଇକୋର୍ଟର ଆସିଷ୍ଟାଣ୍ଟ ସଲିସିଟର ଜେନେରାଲ ପ୍ରସନ୍ନ କୁମାର ପାଢ଼ୀ ଓ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଆଜିଙ୍କ୍ୟ ମାଣେ ଉପସ୍ଥିତ ରହିଥିଲେ।

ଏସଭିଏମ ମହାବିଦ୍ୟାଳୟର ଅଧ୍ୟକ୍ଷା ଡଃ ସୁଜାତା ହୋତା ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଡ୍ରଗ୍ସ ନିଶାର ଭୟାବହ ପରିଣାମ ସମ୍ପର୍କରେ ଆଲୋକପାତ କରିବା ସହ ଯୁବପିଢ଼ିଙ୍କୁ ଏହି କୁଅଭ୍ୟାସଠାରୁ ଦୂରେଇ ରହିବାକୁ ପରାମର୍ଶ ଦେଇଥିଲେ। କାର୍ଯ୍ୟକ୍ରମ ଶେଷରେ ଡ୍ରଗ୍ସ ବିରୋଧୀ ସଚେତନତା ମୂଳକ ଏକ ନାଟକ ପରିବେଶଣ କରାଯାଇଥିଲା, ଯାହା ଉପସ୍ଥିତ ଦର୍ଶକଙ୍କ ମଧ୍ୟରେ ନିଶା ବିରୋଧୀ ବାର୍ତ୍ତାକୁ ଆହୁରି ସୁଦୃଢ଼ କରିଥିଲା।