ଶେଷ ହେଲା ତିନି ରଥର ଦଣ୍ଡା ଗୋଳେଇ କାର୍ଯ୍ୟ, ଆସନ୍ତାକାଲି ଦାଣ୍ଡରେ ପଡ଼ିବ କଣ୍ଟା

ଶ୍ରୀଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ପାଇଁ ଚାଲିଥିବା ତିନି ରଥର ନିର୍ମାଣ କାର୍ଯ୍ୟରେ ଆଜି ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟ ସଫଳତାର ସହ ସମ୍ପନ୍ନ ହୋଇଛି। ତିନି ରଥର ଦଣ୍ଡା ଗୋଳେଇ ଆଜି ଶେଷ ହୋଇଥିବାବେଳେ ଅଖ ଉପରକୁ ଦଣ୍ଡା ଫ୍ରେମ୍ ଉଠାଇବା କାର୍ଯ୍ୟ ମଧ୍ୟ ସମ୍ପନ୍ନ ହୋଇଛି।ଆଜି ପୂର୍ବାହ୍ନରେ ମୁଖ୍ୟ ମହାରଣାମାନଙ୍କ ଦ୍ୱାରା ତିନି ରଥର ଦଣ୍ଡାରେ ନଡ଼ିଆ ବାଡେଇ ଅନୁକୂଳ ପୂଜା କରାଯାଇଥିଲା। ପରେ ସହଯୋଗୀ ମହାରଣା ଓ ଭୋଇ ସର୍ଦ୍ଦାର ରବି ଭୋଇଙ୍କ ନେତୃତ୍ୱରେ ଭୋଇ ସେବକମାନଙ୍କ ସହଯୋଗରେ ତିନି ରଥର ଅଖ ଉପରକୁ ଦଣ୍ଡା ଫ୍ରେମ୍ ଉଠାଇବା କାର୍ଯ୍ୟ ସଫଳତାର ସହ ସମାପ୍ତ ହୋଇଥିଲା।ଦଣ୍ଡା ଉଠିବା ପରେ ମୁଖ୍ୟ ମହାରଣାମାନଙ୍କ ମାର୍ଗଦର୍ଶନରେ ସହଯୋଗୀ ମହାରଣାମାନେ ଦଣ୍ଡା ଗୋଳେଇ ପାଇଁ ମାପ ଚିହ୍ନ ଦେଇ ଖୋଦେଇ କାର୍ଯ୍ୟ ଶେଷ କରିଥିଲେ। ପରବର୍ତ୍ତୀ ପର୍ଯ୍ୟାୟରେ ଦଣ୍ଡାଗୁଡ଼ିକୁ ଅଖ ସହ ସେଟିଂ କରାଯାଇ ପାଞ୍ଚ ଦଣ୍ଡା, ଆଗ ଓ ପଛ ମୁହାଁଟ ସଂଯୋଗ କରାଯାଇଥିଲା।

ଆଗ ମୁହାଁଟରେ ସାଲ ଗୁଜ ଏବଂ ପଛ ମୁହାଁଟରେ ଜଳଯନ୍ତ୍ର ସହ ଦୁଇଟି ସାଲ ଗୁଜ ସ୍ଥାପନ କରାଯାଇଥିବାବେଳେ, ଗୁଜ ଉପରେ ନିରାଡ଼ି ଓ କୁଡୁକା ସଂଯୋଗ କାର୍ଯ୍ୟ ମଧ୍ୟ ସମ୍ପନ୍ନ ହୋଇଛି। ଦାଣ୍ଡରେ କଣ୍ଟା ବାଡ଼ିବା ପାଇଁ କତା ଦଉଡ଼ି ଦ୍ୱାରା ଟାଣ ଦେଇ ବାନ୍ଧେଣୀ କାର୍ଯ୍ୟ ମଧ୍ୟ ଶେଷ ହୋଇଛି।

ଆସନ୍ତାକାଲି ଦାଣ୍ଡରେ ପଡ଼ିବ କଣ୍ଟା

ରଥ ନିର୍ମାଣର ପରବର୍ତ୍ତୀ ପର୍ଯ୍ୟାୟରେ ଆସନ୍ତାକାଲି ପୂର୍ବାହ୍ନରେ ଓଝା କମାର ସେବକମାନଙ୍କ ଦ୍ୱାରା ତିନି ରଥର ଦାଣ୍ଡରେ କଣ୍ଟା ପଡ଼ିବା କାର୍ଯ୍ୟ ସମ୍ପନ୍ନ ହେବ।ଏହା ସହିତ ତିନି ରଥର ସମସ୍ତ ଗୟଳର ଚଉପଟ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ରୂପକାର ସେବକମାନେ ତିନି ରଥର ବେଦୀ ସିଂହାସନ ମୁହାଁଟରେ ଚିତ୍ର ଖୋଦେଇ କାର୍ଯ୍ୟ ଏବଂ ନାଟ ଗୋଡ଼ରେ ଗନ୍ଧର୍ବ ରୂପ ଖୋଦେଇ କାର୍ଯ୍ୟ ଜାରି ରଖିଛନ୍ତି।

ଦୋଳବେଦୀରେ ଚାଲିଛି ନୀତି ସାମଗ୍ରୀ ପ୍ରସ୍ତୁତି

ଅନ୍ୟପକ୍ଷରେ, ଦୋଳବେଦୀଠାରେ ପାହି ମହାରଣାମାନେ ଅଣସର ଓ ରଥଯାତ୍ରା ସମୟର ସେବା-ପୂଜା ନୀତି ପାଇଁ ଆବଶ୍ୟକ କାଠ ସରଞ୍ଜାମ ନିର୍ମାଣ କାର୍ଯ୍ୟ ଜାରି ରଖିଛନ୍ତି। ଦୋଳବେଦୀ କମାରଶାଳରେ ଓଝା ସେବକମାନେ ପୋଟଳ କଣ୍ଟା ନିର୍ମାଣ ସହ ତିନି ରଥର ଦାଣ୍ଡରେ କଣ୍ଟା ପଡ଼ିବା ପାଇଁ ଆବଶ୍ୟକ ସମସ୍ତ ଦଣ୍ଡା କଣ୍ଟା ସାଇତା କାର୍ଯ୍ୟ ଶେଷ କରିଛନ୍ତି।ରଥ ନିର୍ମାଣ କାର୍ଯ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଥିବାବେଳେ, ଆଗାମୀ ଦିନଗୁଡ଼ିକରେ ରଥଗୁଡ଼ିକର ଆକୃତି ଅଧିକ ସ୍ପଷ୍ଟ ହେବା ସହ ନିର୍ମାଣ କାର୍ଯ୍ୟ ଆହୁରି ତ୍ୱରାନ୍ୱିତ ହେବ ବୋଲି ଜଣାପଡ଼ିଛି।

—ପୁରୀରୁ ଧଡୁ ପଟ୍ଟନାୟକ