ପୁରୀ ଶ୍ରୀମନ୍ଦିରର ମହାପ୍ରସାଦକୁ ଅନଲାଇନ୍ରେ ବିକ୍ରି କରାଯାଉଥିବା ଏବଂ ଟଙ୍କା ନେଇ ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥା କରାଯିବା ନେଇ ନୂଆ ବିବାଦ ସୃଷ୍ଟି ହୋଇଛି। ଏକପଟେ “ପୁଣ୍ୟଭାବନା” ନାମକ ୱେବସାଇଟ୍ ମାଧ୍ୟମରେ ମହାପ୍ରସାଦ ଘରେ ପହଞ୍ଚାଇବାର ବିଜ୍ଞାପନ ଦିଆଯାଇଥିବା ବେଳେ, ଅନ୍ୟପଟେ ଏକ ଅନଲାଇନ୍ ଆପ୍ ମାଧ୍ୟମରେ ଶ୍ରୀମନ୍ଦିର ଦର୍ଶନ ପାଇଁ ଜଣପିଛା ୧୧୦୦ ଟଙ୍କା ଆଦାୟ କରାଯିବ ବୋଲି ପ୍ରଚାର ହେଉଛି। ଏହାକୁ ନେଇ ସେବାୟତ ମହଲ ଓ ସନାତନ ଧର୍ମାବଲମ୍ବୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

ସୂଚନା ଅନୁଯାୟୀ, “ପୁଣ୍ୟଭାବନା” ନାମକ ଏକ ୱେବସାଇଟ୍ରେ “ଅଥେଣ୍ଟିକ ଜଗନ୍ନାଥ ପୁରୀ ମନ୍ଦିର ମହାପ୍ରସାଦ ଏବେ ଆପଣଙ୍କ ଘରେ” ଶୀର୍ଷକରେ ବିଜ୍ଞାପନ ଦିଆଯାଇଛି। ଏଥିରେ ୧୧୦୦ ଟଙ୍କା ପ୍ରଦାନ କଲେ କୋରିଅର ମାଧ୍ୟମରେ ମହାପ୍ରସାଦ ଘରେ ପହଞ୍ଚିବ ବୋଲି ଦାବି କରାଯାଇଛି। ଏହି ବିଜ୍ଞାପନ ଫେସବୁକ୍ ଓ ଇନ୍ଷ୍ଟାଗ୍ରାମ ପରି ସାମାଜିକ ଗଣମାଧ୍ୟମରେ ଦ୍ରୁତ ଗତିରେ ଭାଇରାଲ୍ ହେଉଛି।ଏହା ପୂର୍ବରୁ ମଧ୍ୟ ଏଭଳି ଅନଲାଇନ୍ ମହାପ୍ରସାଦ ବିକ୍ରିକୁ ନେଇ ବିବାଦ ଉଠିଥିଲା। ଶ୍ରୀମନ୍ଦିର ପ୍ରଶାସନ ଓ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ପୁଣିଥରେ ଏଭଳି ବିଜ୍ଞାପନ ସାମ୍ନାକୁ ଆସିବା ନେଇ ପ୍ରଶ୍ନ ଉଠିଛି। ସେବାୟତମାନଙ்କ ମତରେ, ମହାପ୍ରସାଦ କେବଳ ଶ୍ରୀମନ୍ଦିରର ପରମ୍ପରା ଓ ଆଧ୍ୟାତ୍ମିକ ଭାବନା ସହ ଜଡିତ ଥିବାରୁ ଏହାର ବ୍ୟବସାୟିକ ବ୍ୟବହାର ଅନୁଚିତ।
ଏହା ସହିତ “PRAY FULLIT” ଓ “YATRA ASTHA KI” ନାମକ ଏକ ଅନଲାଇନ୍ ଆପ୍ରେ ମହାପ୍ରଭୁଙ୍କ ଦର୍ଶନ ନେଇ ବିଜ୍ଞାପନ ଦିଆଯାଇଥିବା ମଧ୍ୟ ଚର୍ଚ୍ଚାର ବିଷୟ ପାଲଟିଛି। ଆପ୍ରେ ଦର୍ଶନ ପାଇଁ ଭକ୍ତମାନଙ୍କ ନାମ, ମୋବାଇଲ୍ ନମ୍ବର, ଇମେଲ୍ ଆଇଡି, ବୟସ ଓ ଦର୍ଶନ ତାରିଖ ଆଦି ତଥ୍ୟ ଦେବାକୁ କୁହାଯାଇଛି। ସେଥିସହ ଜଣେ ଭକ୍ତଙ୍କ ପାଇଁ ୧୧୦୦ ଟଙ୍କା ଶୁଳ୍କ ଉଲ୍ଲେଖ ହୋଇଥିବାରୁ ଅସନ୍ତୋଷ ବଢ଼ିଛି।ସେବାୟତ ମହଲର ଅଭିଯୋଗ ହେଉଛି, ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏପର୍ଯ୍ୟନ୍ତ ଏଭଳି କୌଣସି ଅଧିକୃତ ଦର୍ଶନ ବୁକିଂ ବ୍ୟବସ୍ଥା ଘୋଷଣା କରାଯାଇନାହିଁ। ତେଣୁ ଏଭଳି ଆପ୍ ଓ ୱେବସାଇଟ୍ ମାଧ୍ୟମରେ ଭକ୍ତମାନଙ୍କୁ ପ୍ରଲୋଭନ ଦେଖାଇ ଟଙ୍କା ଆଦାୟ କରିବାର ଚେଷ୍ଟା କରାଯାଉଛି ବୋଲି ସେମାନେ ଅଭିଯୋଗ କରିଛନ୍ତି।ଏହି ଘଟଣାର ତଦନ୍ତ କରି ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବା ସହ ଶ୍ରୀମନ୍ଦିର ପ୍ରଶାସନ ନିଜ ଆଡୁ ଏତଲା ଦେବାକୁ ଦାବି ହୋଇଛି। ଏବେ ଭକ୍ତମାନଙ୍କ ମନରେ ପ୍ରଶ୍ନ ଉଠିଛି, ମହାପ୍ରଭୁଙ୍କ ନାମରେ ଚାଲିଥିବା ଏହି ଅନଲାଇନ୍ ବ୍ୟବସ୍ଥା ସତରେ ବୈଧ କି, ନା କେବଳ ଶ୍ରଦ୍ଧାଳୁଙ୍କୁ ଠକିବାର ଏକ ନୂଆ ଉପାୟ?